ନିର୍ବାଚନ ପାଖେଇ ଆସୁଥିବାରୁ କଳବଳେ କୌଶଳେ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛି ବିଜେଡି । ହେଲେ ବବିଙ୍କର ଏପରି ହରକତ ଲାଗି ଦଳୀୟ ନେତା ହିଁ ଦଳକୁ ହରାଇ ଦେବେ ବୋଲି ଖବର ପାଇଥିଲେ ପାଣ୍ଡିଆନ୍ । ଆଉ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ମିଡ୍ ନାଇଟ୍ ଅପରେସନ୍ । ପର କାଟିବାକୁ ପ୍ଲାନ ତିଆରି କଲେ ।
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦଳରେ କେତେ ପାୱାର ଥିଲା ସେକଥା କାହାକୁ ବି ଅଛପା ନାହିଁ । କିନ୍ତୁ ସେହି ପାୱାରକୁ ନେଇ ଯେବେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଲା ସେତେବେଳେ ଚିନ୍ତା ବଢିଲା । ବାରମ୍ବାର ବୁଝାଇବା ପରେ ସ୍ଥିତି ଏମିତି ହେଲା ଯେ ବବିଙ୍କୁ ସାଇଡ୍ କରାଗଲା । କଥାରେ ଅଛି ମାଛ ପାଣି ବିନା ଯେମିତି ଛଟପଟ ହୁଏ ପାୱାର ଚାଲିଗଲେ ନେତା ବି ଛଟପଟ ହୁଅନ୍ତି । ବୋଧହୁଏ ସେଇଥି ଲାଗି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହୁନ୍ତି, ଯାହାର ନଥିବ ଗତି ସେ କରିବ ରାଜନୀତି । ଆଉ ଥରେ ରାଜନୀତି ୧୪ ପୁରୁଷ ପର୍ଯ୍ୟନ୍ତ ସମ୍ପତ୍ତି ।
ସେ ଯାହା ବି ହେଉ, ବବିଙ୍କ ହାତରୁ ସଙ୍ଗଠନ ଚାଲିଯାଉଥିବା ଦେଖି କେମିତି ପୁଣି କ୍ଷମତା ଫେରିପାଇବେ ସେନେଇ ବୈଠକ ହେଲା । ଏମିତିକି କ୍ଷମତା ମିଳିବ ହେଲେ ସୀମା ଭିତରେ ରହି କାମ କରିବେ ବୋଲି କୁହାଗଲା । ଆଉ ଉପାୟଶୂନ୍ୟ ହୋଇ ରାଜି ହେଲେ ବବି । ବୋଧହୁଏ ସେଇଥି ଲାଗି ଗତ ଶନିବାର ପାଣ୍ଡିଆନ୍ଙ୍କ ସହ ବବି ଯେବେ ପୁରୀ ଯାଇଥିଲେ ଭାରି ଗମ୍ଭୀର ଦିଶୁଥିଲେ । ହେଲେ ଗୋଟିଏ କଥା ଏବେ ସ୍ପଷ୍ଟ ବବିଙ୍କର ଆଉ ଆଗପରି ନାହିଁ ଦବଦବା ।