ଘର
ଓଡ଼ିଶା
କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍
କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍
by Smruti Parija
NEWS HIGHLIGHTS
- ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର
- ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍ ପାଇଁ ଦେଲେ ପରାମର୍ଶ
- କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍
- ଅଙ୍ଗନବାଡ଼ି କର୍ମୀ ଗାଁକୁ ଯାଇ କରିବେ ଭେରିଫିକେସନ
- ସରକାରଙ୍କ ଲକ୍ଷ୍ୟ, ୧ କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ
ଅର୍ଗସ ବ୍ୟୁରୋ: ସୁଭଦ୍ରା ପାଇଁ ଆବେଦନ କରିଥିବା ମହିଳା, ଯାହାଙ୍କୁ ଏଯାଏ ଟଙ୍କା ମିଳିନାହିଁ, ସେମାନଙ୍କୁ ଚିନ୍ତା କରିବାର ନାହିଁ । କାରଣ ଯେଉଁମାନଙ୍କର ରିଜେକ୍ଟ ହୋଇଛି ବା ଅନ୍ୟ କୌଣସି ସମସ୍ୟା ଅଛି ତାହାର କାରଣ ଖୋଜିବ ଟିମ୍ । ଏହାସହ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୁଭଦ୍ରା ଯୋଜନାରେ 2 ଲକ୍ଷ 67 ହଜାର ରିଜେକ୍ସନ ତାଲିକା ବିଭିନ୍ନ ବ୍ଲକକୁ ଯାଇଛି । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ସହ ଲିଙ୍କେଜ ହୋଇନି । ବ୍ୟାଙ୍କ ଆକାଉଣ୍ଟ- ଆଧାର- ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ । ଯାହାର ୨-୩ଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍ । ଅଙ୍ଗନବାଡ଼ି କର୍ମୀ ଗାଁକୁ ଯାଇ କରିବେ ଭେରିଫିକେସନ । ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟର ୨୦ ଲକ୍ଷକୁ ମିଶାଇ ଏହି ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛନ୍ତି । ସେହିପରି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ତେବେ ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳା ମାନଙ୍କୁ ନୂଆ ପରିଚୟ ଦେଇଛି ।
କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା । ରାଜ୍ୟରେ ପୂର୍ବରୁ ଏକ ସଙ୍ଗରେ ଏତେ ସଂଖ୍ୟକ ମହିଳାଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦେବା ଭଳି କୌଣସି ଯୋଜନା ହୋଇନଥିଲା । ମହିଳାଙ୍କୁ ସଶକ୍ତ, ସମୃଦ୍ଧ ଓ ସ୍ବାବଲମ୍ବୀ କରିବାର ନାରା ଦେଇ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ।