Historic Baliyatra Cuttack / ୫ଟାରେ ଉଦଘାଟନ ହେବ ଐତିହାସିକ କଟକ ବାଲିଯାତ୍ରା

Key Points
ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଆଜି ସନ୍ଧ୍ୟା ୫ଟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପସ୍ଥିତ ରହିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଅତିଥି । କଟକ ଇନ୍ କଟକ, ଓରମାସକୁ ଉଦଘାଟନ କରିବା ପରେ ବାଲିଯାତ୍ରା ୨୦୨୫ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅତିଥିମାନଙ୍କୁ ୩ଟି ବୋଟରେ ବୋଟ କ୍ଳବରୁ ମେଳା ପଡ଼ିଆକୁ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ।
ସେପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପୁରା ପଡ଼ିଆକୁ ସିସିଟିଭି ନଜରରେ ରଖାଯାଇଛି ବୋଲି କହିଛନ୍ତି କଟକ ଡିସିପି । ମହାନଦୀ ପଠାର ବାଲିଯାତ୍ରା ପଡିଆରେ ୮ ଦିନ ଧରି ହେବ ଲୋକାରଣ୍ୟ । ଆଉ ସେଇ ଜନଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ପରିଚାଳନା ପାଇଁ ବଡ ଧରଣର ପ୍ରସ୍ତୁତି କରାଯାଇଛି । ବୁଧବାର ଠାରୁ ନେଇ ୧୨ ତାରିଖ ଯାଏଁ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଟକଣା ଲଗାଯାଇଛି ।
ଏହି ଦିନଗୁଡିକରେ ଅପରାହ୍ନ ୨ଟାରୁ ଭିଡ ଭାଙ୍ଗିବା ଯାଏଁ କଟକଣା ଲାଗି ରହିବ । କିନ୍ତୁ ଆମ୍ବଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉପଯୋଗୀ ସେବା ରେ ନିୟୋଜିତ ଯାନଗୁଡ଼ିକ ନିମନ୍ତେ କଟକଣା ଲାଗୁ ହେବ ନାହିଁ ।
ସେପଟେ ପାରାଦୀପ ବନ୍ଦରରେ ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା । କଟକ ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ... ଜୟ ମା' ଝଙ୍କଡବାସୀନୀରୁ ଭାଷଣ ଆରମ୍ଭ କରିବା ସହ ଓଡିଶା ନୌବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ସହ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇଥିଲେ । ପୂର୍ବଭାରତର ଗେଟ ୱେ ଅଫ ଇଣ୍ଡିଆ ପାରାଦୀପର ବିକାଶ ପାଇଁ ପୂର୍ବବର୍ଷ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିଛନ୍ତି । ପାରାଦୀପରେ ଏକ ଲକ୍ଷ ୪୫ ହଜାର କୋଟି ପୁଞ୍ଜିନେବଶ ହୋଇଛି । ପେଟ୍ରୋକେମିକାଲ୍ସରେ ୨୫ ହଜାର ସ୍ଥାନୀୟ ଯୁବକ, ଯୁବତୀ ନିଯୁକ୍ତି ସହ ତିର୍ତ୍ତୋଲରେ ୫ଶହ କୋଟି ଟଙ୍କାର ଟେକ୍ସଟାଇଲ ପାର୍କ ଖୁବଶୀଘ୍ର ଆରମ୍ଭ ହେଵ ବୋଲି କହିଛନ୍ତି ସିଏମ । ମଙ୍ଗଳ ବାର ପାରାଦୀପରେ ରାତିରେ ରହିବା ପରେ ବୁଧବାର ପାରାଦୀପ ବନ୍ଦର ବୋଇତବନ୍ଦାଣ ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସାତ ଦିନ ଧରି ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ।
📱 Get Argus News App
✨Related Topics
Explore more stories