ଟିକସ ଛଡ଼ା ବଜେଟ୍ରେ ହେଲା ଏହି ୧୦ ବଡ଼ ପରିବର୍ତ୍ତନ

ଅର୍ଗସ ବ୍ୟୁରୋ: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟ୍ରେ ମଧ୍ୟବିତ୍ତଙ୍କୁ ଆଶ୍ଵସ୍ତି ଦେବା ଲାଗି ଅନେକ ଘୋଷଣା ହୋଇଛି । ମୋଦି ସରକାର ଆୟକର ସୀମାରେ ପରିବର୍ତ୍ତନ ଆଣିଛନ୍ତି । ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ଅର୍ଥାତ୍ ଆପଣଙ୍କ ଆୟ ୧୨ ଲକ୍ଷ ଟଙ୍କା ହୋଇଥିଲେ ଆୟକର ଦେବାକୁ ପଡ଼ିବ ନାହିଁ ।
ଆୟକର ଛଡ଼ା ବଜେଟ୍ରେ ଅନ୍ୟ କ୍ଷେତ୍ରକୁ ନେଇ ବି ଅନେକ ଘୋଷଣା ହୋଇଛି । ମ୍ୟାନୁଫ୍ୟାକଚରିଂରୁ ନେଇ କୃଷି, ଟେକ୍ନୋଲୋଜି ଓ ମହିଳାଙ୍କ ଲାଗି ହୋଇଛି ବଡ଼ ଘୋଷଣା । ଆସନ୍ତୁ ନଜର ପକାଇବା... ବଜେଟ୍ରେ ହୋଇଥିବା ୧୦ଟି ବଡ଼ ଘୋଷଣା ଉପରେ ।...
୧)ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯିବ । ଯେଉଁଥିରେ ମ୍ୟାନୁଫ୍ୟାକଚରିଂ ମିଶନ ଜରିଆରେ କ୍ଷୁଦ୍ର-ମଧ୍ୟମ ଓ ବଡ଼ ଶିଳ୍ପକୁ ସାମିଲ୍ କରାଯିବ ।
୨) ଦେଶରେ ଫୁଟୱେୟର ଓ ଚମଡ଼ା କ୍ଷେତ୍ରରେ ଉତ୍ପାଦନ, ଘୁଣବତ୍ତାକୁ ପ୍ରୋତ୍ସାହନ ଦେବା ଲାଗି ସ୍ଵତନ୍ତ୍ର ନୀତି ସହ ସୁବିଧା ଲାଗୁ ହେବ ।
୩) ଖେଳଣା ଲାଗି ଆକ୍ସନ୍ ପ୍ଲାନ ହେବ । ଭାରତକୁ ଖେଳଣା ଲାଗି ଏକ ବୈଶ୍ଵିକ କେନ୍ଦ୍ର କରାଯିବ । ଯେଉଁଥିରେ କ୍ଲଷ୍ଟର, କୌଶଳ ସହ ନିର୍ମାଣକୁ ବିକଶିତ କରାଯିବ । ଏହାଦ୍ଵାରା ମେକ୍ ଇନ୍ ଇଣ୍ଡିଆକୁ ବଳ ମିଳିବା ସହ ଗୁଣବତ୍ତା ସମ୍ପନ୍ନ ଖେଳଣା ତିଆରି ହେବ ।
୪) ୧.୭ କୋଟି କୃଷକଙ୍କୁ ଲାଭ ମିଳିବ । ପ୍ରଧାନମନ୍ତ୍ରୀ କୃଷି ଯୋଜନାରେ ରାଜ୍ୟ ସହ ବୁଝାମଣା କରି କୃଷି ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ କମ ଉତ୍ପାଦନକାରୀ ୧୦୦ ଜିଲ୍ଲାକୁ ସାମିଲ୍ କରାଯିବ ।
📱 Get Argus News App
✨୫) କୃଷି ଉତ୍ପାଦନ ବଢ଼ାଇବା ଲାଗି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା । ଏହା ୧୦୦ ଜିଲ୍ଲାରେ ଆରମ୍ଭ ହେବ । ଏହାର ଉଦ୍ଦେଶ୍ୟ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ସହ ସଂରକ୍ଷଣ ଓ ଜଳସେଚନରେ ସୁଧାର ଆଣିବା ।
୬) ବିହାରରେ ସ୍ଥାପନ ହେବ ମଖାନା ବୋର୍ଡ । ଡାଲି କ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି ମିଶନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ୬ ବର୍ଷ ପର୍ଯ୍ୟନ୍ତ ଚାଲିବ ।
୭) ୟୁରିଆ ଉପଲବ୍ଧତା ବଢ଼ାଇବା ଲାଗି ଆସାମରେ ୟୁରିଆ କାରଖାନା ସ୍ଥାପନ ହେବ । ଆସାମର ନାମଋପରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରାଯିବ ।
୮) ରାସ୍ତାକଡ଼ ବୁଲା ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରେ ସାମିଲ୍ କରାଯିବ । ଏଥିରେ ସାମିଲ୍ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ବ୍ୟାଙ୍କ ଓ ୟୁପିଆଇ ସଂଯୋଗୀକୃତ କ୍ରେଡିଟ୍ କାର୍ଡ ମିଳିବ । ଯାହାର ଲିମିଟ୍ ରହିବ ୨୦ ହଜାର ଟଙ୍କା ।
୯) ଅନଲାଇନ୍ ଫୁଡ୍ ଡେଲିଭରୀ ସର୍ଭିସ୍ ଦେଉଥିବା ଗିଗ୍ ୱାର୍କର୍ସଙ୍କୁ ସାମାଜିକ ସୁରକ୍ଷା ସହ ସ୍ଵାସ୍ଥ୍ୟ ସୁବିଧା ମିଳିବ ।
୧୦) ପ୍ରଥମଥର କୌଣସି ଉଦ୍ୟୋଗ ଆରମ୍ଭ କରୁଥିବା ୫ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ନୂଆ ଯୋଜନା ଆରମ୍ଭ ହେବ ।