Videos
|
Business

Digital Payments / ୨ ହଜାରରୁ ଅଧିକ UPI ପେମେଣ୍ଟରେ MDR, ଜାଣନ୍ତୁ କାହାକୁ ଦେବାକୁ ପଡ଼ିବ

Rashmita Mishra
Browse all articles by Rashmita Mishra
·1 hour ago·3 min read
୨ ହଜାରରୁ ଅଧିକ UPI ପେମେଣ୍ଟରେ MDR, ଜାଣନ୍ତୁ କାହାକୁ ଦେବାକୁ ପଡ଼ିବ
Digital Payments

Key Points

UPIରେ ବଦଳିଲା ନିୟମ, ଗ୍ରାହକ ନୁହେଁ ବ୍ୟବସାୟୀ ଦେବେ ଚାର୍ଜ
୨ ହଜାରରୁ ଅଧିକ UPI ପେମେଣ୍ଟରେ MDR, ଜାଣନ୍ତୁ କାହାକୁ ଦେବାକୁ ପଡ଼ିବ
UPI ପେମେଣ୍ଟ ହେବ କି ମହଙ୍ଗା ? ନୂଆ MDR ନିୟମରେ କାହା ଉପରେ ଚାର୍ଜ
UPIରେ ବଡ଼ ପରିବର୍ତ୍ତନ, ୦.୪% MDR ସହ ସର୍ବାଧିକ ୩୦୦ ଟଙ୍କା ଚାର୍ଜ

ଆଜିକାଲି ପନିପରିବା କିଣିବାଠାରୁ ଆରମ୍ଭ କରି ବଡ଼ ବଡ଼ ସପିଂ ବିଲ୍ ପରିଶୋଧ କରିବା ପର୍ଯ୍ୟନ୍ତ ଲୋକେ, ଓ ଭଳି UPI ଆପ୍‌ ଉପରେ ନିର୍ଭର କରୁଛନ୍ତି । ଏହି ସମୟରେ UPI ପେମେଣ୍ଟ ସହ ଜଡ଼ିତ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ପକ୍ଷରୁ ଅକ୍ଟୋବର ୧୫ରୁ UPI ପେମେଣ୍ଟରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ସମ୍ପର୍କିତ ନିୟମରେ ପରିବର୍ତ୍ତନ କରାଯିବା ନେଇ ସୂଚନା ଆସିଛି । ଏହା ପରେ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଛି ଏଣିକି UPIରେ ପେମେଣ୍ଟ କରିବା ମହଙ୍ଗା ହେବ କି ?

ଗ୍ରାହକଙ୍କୁ ଦେବାକୁ ପଡ଼ିବ କି ଚାର୍ଜ ?

ସରଳ ଭାବେ କହିଲେ, ସାଧାରଣ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ UPI ଚାର୍ଜ ଲାଗିବ ନାହିଁ । ଆପଣ ଯଦି UPI ମାଧ୍ୟମରେ ବନ୍ଧୁ, ପରିବାର କିମ୍ବା ଅନ୍ୟ କାହାକୁ ଟଙ୍କା ପଠାନ୍ତି, ତେବେ ଏଥିପାଇଁ ଅଲଗା ଟ୍ରାଞ୍ଜାକ୍ସନ୍ ଫି ଦେବାକୁ ପଡ଼ିବ ନାହିଁ । ସେହିପରି ଦୋକାନ, ମଲ୍ କିମ୍ବା ଅନଲାଇନ୍ ସପିଂ ସମୟରେ UPIରେ ପେମେଣ୍ଟ କଲେ ମଧ୍ୟ ଗ୍ରାହକଙ୍କଠାରୁ ଅତିରିକ୍ତ ପ୍ଲାଟଫର୍ମ କିମ୍ବା ଟ୍ରାଞ୍ଜାକ୍ସନ୍ ଫି ନିଆଯିବ ନାହିଁ ।

ତେବେ ଚାର୍ଜ କାହା ଉପରେ ?
ନୂଆ ବ୍ୟବସ୍ଥାରେ ଚାର୍ଜ ମର୍ଚ୍ଚାଣ୍ଟ ବା ବ୍ୟବସାୟୀଙ୍କ ଉପରେ ଲାଗୁ ହେବ। ଏହାକୁ MDR (Merchant Discount Rate) କୁହାଯାଏ । ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍‌ରେ ମର୍ଚ୍ଚାଣ୍ଟଙ୍କଠାରୁ ମଧ୍ୟ MDR ନିଆଯିବ ନାହିଁ । ତେଣୁ ଛୋଟ ମୂଲ୍ୟର ଅଧିକାଂଶ UPI ପେମେଣ୍ଟ ଏହି ଚାର୍ଜରୁ ବାହାରେ ରହିବ ।

ଏହା ସହିତ, ଛୋଟ ଦୋକାନ, ପଥପାର୍ଶ୍ୱ ବ୍ୟବସାୟୀ ଓ ପନିପରିବା ବିକ୍ରେତାଙ୍କ ଭଳି P2PM ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ରିହାତି ଦିଆଯାଇଛି । UPI QR କୋଡ୍ ମାଧ୍ୟମରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରହଣ କରୁଥିବା ଏଭଳି ଛୋଟ ବ୍ୟବସାୟୀ ଏହି ଚାର୍ଜରୁ ବାଦ ପଡ଼ିବେ ।

୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ କେତେ ଚାର୍ଜ ?
ବଡ଼ ମର୍ଚ୍ଚାଣ୍ଟଙ୍କୁ ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ମିଳିଲେ ୦.୪% MDR ଦେବାକୁ ପଡ଼ିବ । ତେବେ ଏହି ଚାର୍ଜର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି।

ଉଦାହରଣ ସ୍ୱରୂପ
- ୩,୦୦୦ ଟଙ୍କାର ପେମେଣ୍ଟରେ MDR ହେବ ୧୨ ଟଙ୍କା।
- ୫୦,୦୦୦ ଟଙ୍କାର ପେମେଣ୍ଟରେ MDR ହେବ ୨୦୦ ଟଙ୍କା।
- ୧ ଲକ୍ଷ ଟଙ୍କାର ପେମେଣ୍ଟରେ ୦.୪% ହିସାବରେ ୪୦୦ ଟଙ୍କା ହେବା କଥା । କିନ୍ତୁ ୩୦୦ ଟଙ୍କାର କ୍ୟାପ୍ ଥିବାରୁ ସର୍ବାଧିକ ୩୦୦ ଟଙ୍କା ଚାର୍ଜ ହେବ ।

କିଛି ଜରୁରୀ ସେବା ପାଇଁ ଅଲଗା ଦର
ରେଲୱେ, ଟେଲିକମ୍, ଇନ୍‌ସୁରାନ୍ସ ଓ ଫ୍ୟୁଏଲ୍‌ ଭଳି କିଛି କ୍ଷେତ୍ର ପାଇଁ ବିଶେଷ ହାର ରଖାଯାଇଛି । ଏଠାରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ ୦.୪% ବଦଳରେ ୫ ଟଙ୍କାର ଫ୍ଲାଟ୍ MDR ଲାଗୁ ହେବ । ସେହିପରି ଶେୟର ବଜାର, ମ୍ୟୁଚୁଆଲ୍ ଫଣ୍ଡ ଭଳି କ୍ୟାପିଟାଲ୍ ମାର୍କେଟ୍ ସମ୍ପର୍କିତ ପେମେଣ୍ଟ ପାଇଁ ୦.୦୨% ଚାର୍ଜ ଧାର୍ଯ୍ୟ କରାଯାଇଛି । ଏଠାରେ ମଧ୍ୟ ସର୍ବାଧିକ ୩୦୦ ଟଙ୍କାର କ୍ୟାପ୍ ରହିବ ।

NPCI କାହିଁକି ଆଣୁଛି ଏହି ବ୍ୟବସ୍ଥା ?
ଦେଶରେ UPIର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି । ଅଗଷ୍ଟ ୨୦୨୬ରେ UPI ମାଧ୍ୟମରେ ୨,୪୫୧ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ୍ ହୋଇଥିବା ଦାବି କରାଯାଇଛି । ଏତେ ବଡ଼ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁରକ୍ଷିତ ଭାବେ ଚଳାଇବା, ସର୍ଭର ଓ ଡିଜିଟାଲ୍ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ମଜବୁତ କରିବା, ସାଇବର ସୁରକ୍ଷା ବଢ଼ାଇବା ଏବଂ ଅନଲାଇନ୍ ଠକେଇ ରୋକିବା ପାଇଁ ବହୁତ ଖର୍ଚ୍ଚ ହେଉଛି। ସରକାରୀ ସବସିଡି ଉପରେ ନିର୍ଭରଶୀଳତା କମାଇ ଏକ କମର୍ସିଆଲ୍ ମଡେଲ୍ ଆଣିବା ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

UPI ପେମେଣ୍ଟ ନେଇ ଗ୍ରାହକଙ୍କୁ ଭୟଭୀତ ହେବାର କାରଣ ନାହିଁ । ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି ଦୋକାନରେ UPI ମାଧ୍ୟମରେ ବିଲ୍ ପେମେଣ୍ଟ ସାଧାରଣ ଗ୍ରାହକଙ୍କଠାରୁ ଏହି MDR ଚାର୍ଜ ନିଆଯିବ ନାହିଁ । ଏହି ନୂଆ ଚାର୍ଜ ମୁଖ୍ୟତଃ ଯୋଗ୍ୟ ବଡ଼ ମର୍ଚ୍ଚାଣ୍ଟଙ୍କ ପାଇଁ ଲାଗୁ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: