DA Hike / ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର, DA ୬୦%ରୁ ବଢ଼ି ୬୩%

Key Points
DA ୬୦%ରୁ ବଢ଼ି ୬୩%
PF ଖାତାରେ ଜମା ହେବ ବକେୟା ଟଙ୍କା
କେନ୍ଦ୍ର ସରକାରଙ୍କ ପରେ ଏବେ ଉତ୍ତରପ୍ରଦେଶର ଯୋଗୀ ସରକାର ମଧ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ମହଙ୍ଗା ଭତ୍ତା (Dearness Allowance-DA) ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ୨୦୨୬ରୁ ଲାଗୁ ହେବ । ସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ, ଉତ୍ତରପ୍ରଦେଶ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୬୦ ପ୍ରତିଶତରୁ ବଢ଼ାଇ ୬୩ ପ୍ରତିଶତ କରିଛନ୍ତି । ଅର୍ଥାତ୍ DAରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି ।
ସରକାରଙ୍କ ସୂଚନା ଅନୁଯାୟୀ, ନଭେମ୍ବର ମାସର ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ । ଏହା ସହିତ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ବକେୟା ରାଶି ମଧ୍ୟ ଏକାଥରେ ପ୍ରଦାନ କରାଯିବ । ଫଳରେ କର୍ମଚାରୀଙ୍କ ନଭେମ୍ବର ମାସର ଦରମା ଏବଂ ପେନସନଭୋଗୀଙ୍କ ପେନସନରେ ବୃଦ୍ଧି ଦେଖିବାକୁ ମିଳିବ ।
PF ଖାତାରେ ଜମା ହେବ ବକେୟା ଟଙ୍କା
ଯୋଗୀ ସରକାରଙ୍କ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତର ବକେୟା ମହଙ୍ଗା ଭତ୍ତା (Arrear) ରାଶି କର୍ମଚାରୀଙ୍କ ଭବିଷ୍ୟନିଧି (PF) ଖାତାରେ ଜମା କରାଯିବ । ଏହି ନିଷ୍ପତ୍ତିର ଲାଭ ରାଜ୍ୟ ସରକାରୀ କର୍ମଚାରୀ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପାଇବେ । ଏହା ସହିତ ସହରାଞ୍ଚଳ ସ୍ଥାନୀୟ ନିକାୟର କର୍ମଚାରୀମାନଙ୍କୁ ମଧ୍ୟ ବର୍ଦ୍ଧିତ DAର ଲାଭ ମିଳିବ ।
କେନ୍ଦ୍ର ସରକାର ମଧ୍ୟ ବଢ଼ାଇଥିଲେ ୩% DA
ଏହା ପୂର୍ବରୁ କେନ୍ଦ୍ରର ମୋଦୀ ସରକାର ମଧ୍ୟ ସପ୍ତମ ବେତନ ଆୟୋଗ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଥିଲା । ସେହିପରି ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ମଧ୍ୟ ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହୋଇଥିଲେ ।
୮ମ ବେତନ ଆୟୋଗର ରିପୋର୍ଟକୁ ଅପେକ୍ଷା
ଅନ୍ୟପଟେ, ଏବେ ୮ମ ବେତନ ଆୟୋଗ (8th Pay Commission)ର ଟିମ୍ ବିଭିନ୍ନ ସହରରେ ବୈଠକ କରି କର୍ମଚାରୀ ଓ ପେନସନଭୋଗୀଙ୍କ ଦାବି ଏବଂ ମତାମତ ସଂଗ୍ରହ କରୁଛି । ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଶେଷ ହେବା ପରେ ଆୟୋଗ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରୀୟ କ୍ୟାବିନେଟ୍ ସମ୍ମୁଖରେ ଉପସ୍ଥାପନ କରିବ । ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଓ ପେନସନ ବୃଦ୍ଧି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏବେ ସମସ୍ତଙ୍କ ନଜର ୮ମ ବେତନ ଆୟୋଗର ରିପୋର୍ଟ ଉପରେ ରହିଛି ।
📱 Get Argus News App
✨Related Topics
Explore more stories