Videos
|
Business

Indian Railways / ଟ୍ରେନ୍ ଲେଟ୍ ହେଲେ ମିଳିପାରେ କ୍ଷତିପୂରଣ ! ରେଲୱେ ଦେବ ୩୫ ହଜାର

Rashmita Mishra
Browse all articles by Rashmita Mishra
·1 hour ago·2 min read
ଟ୍ରେନ୍ ଲେଟ୍ ହେଲେ ମିଳିପାରେ କ୍ଷତିପୂରଣ ! ରେଲୱେ ଦେବ ୩୫ ହଜାର
Indian Railways

Key Points

୯ ଘଣ୍ଟା ବିଳମ୍ବ ହେଲା ଟ୍ରେନ୍, ଏବେ ରେଲୱେ ଦେବ ୩୫ ହଜାର
ଟ୍ରେନ୍ ବିଳମ୍ବ ପଡ଼ିଲା ମହଙ୍ଗା, ଯାତ୍ରୀଙ୍କୁ ୩୫ ହଜାର ଦେବ ରେଲୱେ
୮ ଘଣ୍ଟା ୪୮ ମିନିଟ୍ ବିଳମ୍ବ, ରେଲୱେକୁ ୩୫ ହଜାର ଜରିମାନା
ଟ୍ରେନ୍ ଲେଟ୍ ହେଲେ ମିଳିପାରେ କ୍ଷତିପୂରଣ! ରେଲୱେକୁ ୩୫ ହଜାର ଦେବାକୁ ଆଦେଶ 

ଭାରତୀୟ ରେଲୱେରେ ଟ୍ରେନ୍ ବିଳମ୍ବରେ ଚାଲିବା ଏକ ସାଧାରଣ ଘଟଣା । କିନ୍ତୁ ଟ୍ରେନ୍ ପ୍ରାୟ ୯ ଘଣ୍ଟା ବିଳମ୍ବରେ ପହଞ୍ଚିବା ଜଣେ ଯାତ୍ରୀଙ୍କୁ ଏତେ ଅସୁବିଧାରେ ପକାଇଲା ଯେ ସେ ରେଲୱେ ବିରୋଧରେ ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହେଲେ। ଏହି ମାମଲାରେ ରେଲୱେକୁ ଏବେ ମୋଟ ୩୫ ହଜାର ଟଙ୍କା ଦେବାକୁ ଆଦେଶ ହୋଇଛି ।

ଘଟଣାଟି ଝାଡ଼ଖଣ୍ଡର ସରାଇକେଲା ଜିଲ୍ଲାର। ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ପୂର୍ବ ରେଲୱେକୁ ଯାତ୍ରୀଙ୍କୁ ୩୫,୦୦୦ ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି । ଟ୍ରେନ୍ ପ୍ରାୟ ୯ ଘଣ୍ଟା ବିଳମ୍ବ ହେବା ଯୋଗୁଁ ଯାତ୍ରୀ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଅସୁବିଧାର ସମ୍ମୁଖୀନ ହୋଇଥିବା ଆୟୋଗ ମାନିଛନ୍ତି ।

୫ ଘଣ୍ଟା ୩୨ ମିନିଟ୍‌ର ଯାତ୍ରା, ଲାଗିଗଲା ୮ ଘଣ୍ଟା ୪୮ ମିନିଟ୍
ମାମଲାଟି ସେପ୍ଟେମ୍ବର ୨୦୨୪ର । ଅଭିଯୋଗକାରୀ ଟାଟାନଗରରୁ ସମ୍ବଲପୁର ଯିବା ପାଇଁ ଇସ୍ପାତ ଏକ୍ସପ୍ରେସର ସ୍ଲିପର କ୍ଲାସରେ ଦୁଇଟି ଟିକେଟ୍ ବୁକ୍ କରିଥିଲେ । ସୂଚୀ ଅନୁସାରେ ଟ୍ରେନ୍‌ଟି ଟାଟାନଗରରୁ ସକାଳ ୧୦ଟା ୧୮ ମିନିଟ୍‌ରେ ଛାଡ଼ି ଅପରାହ୍ନ ୩ଟା ୫୦ ମିନିଟ୍‌ରେ ସମ୍ବଲପୁର ପହଞ୍ଚିବାର ଥିଲା । କିନ୍ତୁ ଟ୍ରେନ୍ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଛାଡ଼ିବା ସହ ସମ୍ବଲପୁରରେ ୫୨୮ ମିନିଟ୍, ଅର୍ଥାତ୍ ୮ ଘଣ୍ଟା ୪୮ ମିନିଟ୍ ବିଳମ୍ବରେ ପହଞ୍ଚିଥିଲା ।

ଏହି ଦୀର୍ଘ ବିଳମ୍ବ ଯୋଗୁଁ ଅସୁବିଧାରେ ପଡ଼ିଥିବା ଯାତ୍ରୀ ପ୍ରଥମେ ରେଲୱେ ଅଧିକାରୀଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ। ପରେ ସେ ଉପଭୋକ୍ତା ଆୟୋଗରେ ଅଭିଯୋଗ କରି ୪.୫ ଲକ୍ଷ ଟଙ୍କା ଦାବି କରିଥିଲେ ।

ରେଲୱେର ଯୁକ୍ତି କଣ ଥିଲା ?
ଅଭିଯୋଗର ବିରୋଧ କରି ରେଲୱେ ପକ୍ଷରୁ କୁହାଯାଇଥିଲା ଯେ ଟ୍ରେନ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କର ପ୍ରକୃତ ଆର୍ଥିକ କ୍ଷତି କେତେ ହୋଇଛି, ତାହା ପ୍ରମାଣ କରିବା ପାଇଁ ସେ କୌଣସି ଠୋସ୍ ପ୍ରମାଣ ଦେଇନାହାନ୍ତି । ଏହା ସହ ରେଲୱେ ଆଉ ଏକ ଯୁକ୍ତି ଦେଇଥିଲା ଯେ ଏହି ମାମଲାର ଶୁଣାଣି ଉପଭୋକ୍ତା ଆୟୋଗରେ ନୁହେଁ, ବରଂ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ ଆକ୍ଟ, ୧୯୮୭ ଅନୁସାରେ ହେବା ଉଚିତ ।

ତେବେ ଆୟୋଗ ରେଲୱେର ଏହି ଅଧିକାରକ୍ଷେତ୍ର ସମ୍ପର୍କିତ ଯୁକ୍ତିକୁ ଖାରଜ କରିଦେଇଥିଲେ । ଆୟୋଗ ସୁପ୍ରିମକୋର୍ଟର ଏକ ରାୟକୁ ଉଦ୍ଧୃତ କରି କହିଥିଲେ ଯେ ଏଭଳି ମାମଲାର ଶୁଣାଣି ଉପଭୋକ୍ତା ଆୟୋଗ କରିପାରିବ ।

ରେଲୱେ ଦେବ ୩୫ ହଜାର ଟଙ୍କା
ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ ଟ୍ରେନ୍ ବିଳମ୍ବ ହେବାର କାରଣ ରେଲୱେର ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି ଯୋଗୁଁ ହୋଇଥିଲା ବୋଲି ପ୍ରମାଣ କରିବାରେ ରେଲୱେ ବିଫଳ ହୋଇଛି। ଅନ୍ୟପକ୍ଷରେ ଅଭିଯୋଗକାରୀ ନିଜ ମାମଲାକୁ ପର୍ଯ୍ୟାପ୍ତ ଓ ବିଶ୍ୱସନୀୟ ପ୍ରମାଣ ମାଧ୍ୟମରେ ପ୍ରମାଣିତ କରିଥିବା ଆୟୋଗ କହିଛନ୍ତି ।
ଏହାପରେ ଆୟୋଗ ରେଲୱେକୁ ଯାତ୍ରୀଙ୍କୁ ମାନସିକ ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସୁବିଧା ପାଇଁ ୩୦,୦୦୦ ଟଙ୍କା ମୁଆଁ ଦେବାକୁ ଆଦେଶ ଦେଇଛନ୍ତି । ଏହା ସହ ୫,୦୦୦ ଟଙ୍କା ମାମଲାର ଖର୍ଚ୍ଚ ଭାବେ ଦେବାକୁ କୁହାଯାଇଛି ।

ଅର୍ଥାତ୍ ରେଲୱେକୁ ମୋଟ ୩୫,୦୦୦ ଟଙ୍କା ଦେବାକୁ ପଡ଼ିବ। ଆଦେଶର ତାରିଖଠାରୁ ୪୫ ଦିନ ମଧ୍ୟରେ ଏହି ଟଙ୍କା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରେଲୱେ ନିର୍ଦ୍ଧାରିତ ସମୟରେ ଟଙ୍କା ପ୍ରଦାନ ନକରେ, ତେବେ ବାର୍ଷିକ ୧୨ ପ୍ରତିଶତ ସୁଧ ସହ ରାଶି ପ୍ରଦାନ କରିବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: