DA Hike / ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର... ୪୨%ରୁ ୬୦% ହୋଇପାରେ DA

Key Points
୪୨%ରୁ ୬୦% ହୋଇପାରେ DA
ପଞ୍ଜାବର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance-DA)କୁ ୪୨ ପ୍ରତିଶତରୁ ବଢ଼ାଇ ୬୦ ପ୍ରତିଶତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯଦି ଏହି ପ୍ରସ୍ତାବକୁ ଅନ୍ତିମ ମଞ୍ଜୁରୀ ମିଳେ, ତେବେ କର୍ମଚାରୀଙ୍କ DAରେ ସିଧାସଳଖ ୧୮ ପ୍ରତିଶତ ବୃଦ୍ଧି ହେବ । ଫଳରେ ହଜାର ହଜାର କର୍ମଚାରୀଙ୍କ ମାସିକ ଟେକ୍-ହୋମ୍ ସାଲାରି ବଢ଼ିବ ।
କେଉଁ କର୍ମଚାରୀଙ୍କୁ ମିଳିବ ଲାଭ ?
ଏହି ପ୍ରସ୍ତାବର ସିଧାସଳଖ ଲାଭ ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ମିଳିପାରେ । ବିଶେଷକରି ୧୭ ଜୁଲାଇ ୨୦୨୦ ପରେ ୭ମ ବେତନ କମିଶନ ଅନୁଯାୟୀ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ଏହି DA ବୃଦ୍ଧିର ଲାଭ ପାଇବେ ।
ଏହି ୮୫ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୧ ହଜାରଙ୍କୁ ବର୍ତ୍ତମାନର ସରକାର ନିଯୁକ୍ତି ଦେଇଥିବା ବେଳେ ପ୍ରାୟ ୧୪ ହଜାର କର୍ମଚାରୀ ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ହୋଇଥିଲେ । ନୂଆ କର୍ମଚାରୀଙ୍କ ବେତନକୁ କେନ୍ଦ୍ର ସରକାରଙ୍କ ପେ-ସ୍କେଲ୍ ସହ ସମାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।
ଦରମାରେ କେତେ ବଢ଼ିବ ?
DA ୪୨ ପ୍ରତିଶତରୁ ୬୦ ପ୍ରତିଶତ ହେଲେ କର୍ମଚାରୀଙ୍କ ବେସିକ୍ ପେ’ର ୧୮ ପ୍ରତିଶତ ଅତିରିକ୍ତ ରାଶି ମିଳିବ । ଉଦାହରଣ ସ୍ୱରୂପ, ଜଣେ କର୍ମଚାରୀଙ୍କ ବେସିକ୍ ପେ ୩୦,୦୦୦ ଟଙ୍କା ହେଲେ, ୧୮ ପ୍ରତିଶତ DA ବୃଦ୍ଧି ଅନୁସାରେ ମାସିକ ଦରମାରେ ୫,୪୦୦ ଟଙ୍କା ଅତିରିକ୍ତ ମିଳିପାରେ ।
କ୍ୟାବିନେଟ୍ ସବ୍-କମିଟିର ସୁପାରିସ
ତେବେ ଏହି ନିଷ୍ପତ୍ତି ଏପର୍ଯ୍ୟନ୍ତ ଅନ୍ତିମ ଭାବେ ଲାଗୁ ହୋଇନାହିଁ । ୩ ଜଣିଆ କ୍ୟାବିନେଟ୍ ସବ୍-କମିଟି ୧୮ ପ୍ରତିଶତ DA ବୃଦ୍ଧି ପାଇଁ ସୁପାରିସ କରିଛି । ଏବେ ପ୍ରସ୍ତାବଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅନ୍ତିମ ମଞ୍ଜୁରୀ ପାଇଁ ଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ।
ପୁରୁଣା କର୍ମଚାରୀଙ୍କ କଣ ହେବ ?
ଏହି ନିଷ୍ପତ୍ତିରେ ପ୍ରାୟ ୮୫ ହଜାର ନୂଆ କର୍ମଚାରୀ ଲାଭବାନ ହେବାକୁ ଥିବା ବେଳେ ପଞ୍ଜାବର ପ୍ରାୟ ୩.୧୫ ଲକ୍ଷ ପୁରୁଣା ଓ ବରିଷ୍ଠ ସରକାରୀ କର୍ମଚାରୀ ଏହି ବିଶେଷ DA ବୃଦ୍ଧିର ପରିସରରେ ନାହାନ୍ତି । ସେମାନେ ଏବେ ମଧ୍ୟ ବକେୟା DA ଏରିଅର ଏବଂ ଅନ୍ୟାନ୍ୟ ଦାବି ନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।
📱 Get Argus News App
✨Related Topics
Explore more stories