Muhurat Trading / ୧୯୫୭ରୁ ୨୦୨୬... ଘୋଡ଼ାଗାଡ଼ିରୁ ମୋବାଇଲ୍ ଆପ୍, କେମିତି ବଦଳିଲା ମୁହୂର୍ତ୍ତ ଟ୍ରେଡିଂ ?

Key Points
ଦୀପାବଳିରେ କାହିଁକି ହୁଏ ମୁହୂର୍ତ୍ତ ଟ୍ରେଡିଂ? ଜାଣନ୍ତୁ ୬୯ ବର୍ଷର ରୋଚକ ଇତିହାସ
ଯେଉଁଠି ଘୋଡ଼ାଗାଡ଼ିରେ ଆସୁଥିଲେ ଟ୍ରେଡର୍, ଆଜି ସେଠି ମୋବାଇଲ୍ରେ ହେଉଛି କୋଟି କୋଟିର କାରବାର!
ମୁହୂର୍ତ୍ତ ଟ୍ରେଡିଂର ଅଜଣା କାହାଣୀ! କେମିତି ଆରମ୍ଭ ହୋଇଥିଲା ଦୀପାବଳିର ଏହି ଖାସ୍ ପରମ୍ପରା?
ଦୀପାବଳି ଆସିଲେ ବଜାରରେ ଉତ୍ସବର ମାହୋଲ ଦେଖିବାକୁ ମିଳେ । ଏହି ଦିନ ଲୋକେ ସୁନା, ରୁପା, ଗାଡ଼ି ଓ ଘର କିଣିବାକୁ ଶୁଭ ମନେ କରନ୍ତି । ଏହା ସହିତ ଭାରତୀୟ ଶେୟାର ବଜାରରେ ମଧ୍ୟ ଦୀପାବଳିର ରହିଛି ଏକ ବିଶେଷ ମହତ୍ତ୍ୱ । ଏହି ଦିନ କିଛି ସମୟ ପାଇଁ ମୁହୂର୍ତ୍ତ ଟ୍ରେଡିଂ ହୁଏ । ଏଥିରେ ନିବେଶକମାନେ ଶୁଭ ସମୟରେ ଶେୟାର କିଣାବିକା କରନ୍ତି ।
କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯେତେବେଳେ ମୁହୂର୍ତ୍ତ ଟ୍ରେଡିଂ ଆରମ୍ଭ ହୋଇଥିଲା, ସେତେବେଳେ ଶେୟାର କିଣିବାର ପ୍ରକ୍ରିୟା କିପରି ଥିଲା ? ସେହି ସମୟରେ ମଧ୍ୟ କ'ଣ ଲୋକେ ମୋବାଇଲ୍ ଆପ୍ ଖୋଲି ଶେୟାର କିଣୁଥିଲେ ? ନା, ଆଜିଠାରୁ ପ୍ରାୟ ୬୯ ବର୍ଷ ପୂର୍ବେ ଏହାର ଚିତ୍ର ସମ୍ପୂର୍ଣ୍ଣ ଅଲଗା ଥିଲା । ସେତେବେଳେ ନା କମ୍ପ୍ୟୁଟର ଥିଲା ନା ଅନଲାଇନ୍ ଟ୍ରେଡିଂର ସୁବିଧା ।
ସେହି ସମୟରେ ଶେୟାର ବଜାର ସହ ଜଡ଼ିତ ବ୍ୟବସାୟୀମାନେ ଦୀପାବଳି ଦିନ ସୁନ୍ଦର ପୋଷାକ ପିନ୍ଧି ମୁମ୍ବାଇର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ପହଞ୍ଚୁଥିଲେ । କିଛି ବ୍ୟବସାୟୀ ଘୋଡ଼ାଗାଡ଼ିରେ ମଧ୍ୟ ଆସୁଥିଲେ । ସେଠାରେ ପୂଜାପାଠ ହେଉଥିଲା, ମିଠା ବଣ୍ଟାଯାଉଥିଲା ଏବଂ ନୂଆ ବ୍ୟବସାୟିକ ବର୍ଷର ଶୁଭାରମ୍ଭ କରାଯାଉଥିଲା । ସମୟ ବଦଳିବା ସହ ଶେୟାର ବଜାରର କାରବାର ପ୍ରଣାଳୀ ବଦଳିଛି, କିନ୍ତୁ ଦୀପାବଳିରେ ଶୁଭ ମୁହୂର୍ତ୍ତରେ ଟ୍ରେଡିଂ କରିବାର ପରମ୍ପରା ଆଜି ବି ଜାରି ରହିଛି ।
୧୯୫୭ରେ ଆରମ୍ଭ ହୋଇଥିଲା ମୁହୂର୍ତ୍ତ ଟ୍ରେଡିଂର ପରମ୍ପରା
ଭାରତରେ ମୁହୂର୍ତ୍ତ ଟ୍ରେଡିଂର ପରମ୍ପରା ୧୯୫୭ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରେ ମୁମ୍ବାଇର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଦୀପାବଳି ଦିନ ବ୍ୟବସାୟୀମାନେ ଏକାଠି ହେଉଥିଲେ । ହିନ୍ଦୁ ଧର୍ମୀୟ ପରମ୍ପରା ଅନୁସାରେ ଦୀପାବଳିକୁ ନୂଆ କାମ ଓ ନିବେଶ ଆରମ୍ଭ କରିବା ପାଇଁ ଶୁଭ ଦିନ ବୋଲି ମନେ କରାଯାଏ।
ଏହି ବିଶ୍ୱାସକୁ ଆଧାର କରି ଶେୟାର ବଜାରରେ ମଧ୍ୟ ଶୁଭ ସମୟରେ କାରବାର କରିବାର ପରମ୍ପରା ଆରମ୍ଭ ହୋଇଥିଲା । ବ୍ୟବସାୟୀମାନେ ଏହି ଅବସରରେ ନିଜର ହିସାବ ଖାତା ପୂଜା କରୁଥିଲେ ଏବଂ ମା' ଲକ୍ଷ୍ମୀଙ୍କ ନିକଟରେ ଭଲ ବ୍ୟବସାୟ ପାଇଁ ପ୍ରାର୍ଥନା କରୁଥିଲେ । ଧୀରେ ଧୀରେ ଏହା ଶେୟାର ବଜାରର ଏକ ସ୍ୱତନ୍ତ୍ର ପରମ୍ପରା ପାଲଟିଗଲା । ଏହାକୁ ମୁହୂର୍ତ୍ତ ଟ୍ରେଡିଂ କୁହାଗଲା ।
ଘୋଡ଼ାଗାଡ଼ିରେ ଆସୁଥିଲେ ବ୍ୟବସାୟୀ, ବଜାରରେ ଥିଲା ଉତ୍ସବର ମାହୋଲ
ଆଜି ଶେୟାର ବଜାରରେ ନିବେଶ କରିବା ପାଇଁ ଲୋକଙ୍କୁ କେଉଁଠିକୁ ଯିବାକୁ ପଡ଼ୁନାହିଁ । ମୋବାଇଲ୍ରେ ଆପ୍ ଖୋଲି କିଛି ସେକେଣ୍ଡ ମଧ୍ୟରେ ଶେୟାର କିଣାଯାଇପାରୁଛି । କିନ୍ତୁ ପୁରୁଣା ସମୟରେ କାରବାର କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେତେବେଳେ ଶେୟାର କିଣିବା ଓ ବିକିବା ପାଇଁ ବ୍ୟବସାୟୀମାନଙ୍କୁ ଷ୍ଟକ୍ ଏକ୍ସଚେଞ୍ଜ ଯିବାକୁ ପଡ଼ୁଥିଲା । ଦୀପାବଳି ଦିନ ସେଠାରେ ସାଧାରଣ ଦିନଠାରୁ ଭିନ୍ନ ଏକ ଉତ୍ସବମୁଖର ପରିବେଶ ରହୁଥିଲା । ବ୍ୟବସାୟୀମାନେ ଭଲ ପୋଷାକ ପିନ୍ଧି ପରିବାର ସହ ପହଞ୍ଚୁଥିଲେ । କିଛି ଧନୀ ବ୍ୟବସାୟୀ ଘୋଡ଼ାଗାଡ଼ିରେ ଆସୁଥିଲେ । ପୂଜାପାଠ ପରେ କାରବାର ଆରମ୍ଭ ହେଉଥିଲା । ପରସ୍ପରକୁ ଦୀପାବଳି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ମିଠା ବଣ୍ଟାଯାଉଥିଲା । ଭଲ ଲାଭର ଆଶା ନେଇ ନୂଆ ବ୍ୟବସାୟିକ ବର୍ଷର ଆରମ୍ଭ ହେଉଥିଲା ।
ସେତେବେଳେ ସ୍ମରଣଶକ୍ତି ଉପରେ ନିର୍ଭର କରୁଥିଲା ଲକ୍ଷ ଲକ୍ଷ ଟଙ୍କାର ହିସାବ
ପୁରୁଣା ଶେୟାର ବଜାରରେ କାରବାର କରିବା ଆଜି ତୁଳନାରେ ଅଧିକ କଷ୍ଟକର ଥିଲା । ସେହି ସମୟରେ ପ୍ରତ୍ୟେକ କାରବାରର ରେକର୍ଡ ରଖିବା ପାଇଁ କମ୍ପ୍ୟୁଟର ସୁବିଧା ନଥିଲା । ବ୍ୟବସାୟୀମାନେ ନିଜେ ସମସ୍ତ ସୌଦାର ହିସାବ ରଖୁଥିଲେ । ଅନେକ ସମୟରେ ନିଜର ସ୍ମରଣଶକ୍ତି ଉପରେ ଭରସା କରି ଦିନସାରାର କାରବାର ମନେ ରଖୁଥିଲେ ।
ବ୍ୟବସାୟୀ ମନୁଭାଇ ମାଣେକଲାଲ ଗୋଟିଏ ଦିନରେ ପ୍ରାୟ ୨୫୦ରୁ ୩୦୦ଟି ସୌଦା କରୁଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ସେ ପ୍ରତ୍ୟେକ ସୌଦାକୁ ତୁରନ୍ତ ଲେଖିବା ପରିବର୍ତ୍ତେ ପରେ ମନେ ପକାଇ ତାହାର ହିସାବ ଲେଖୁଥିଲେ । ତାଙ୍କ ବାପା ମଧ୍ୟ ଏହିଭଳି ଭାବେ କାରବାରର ହିସାବ ରଖୁଥିଲେ । ଏଥିରୁ ଜଣାପଡ଼େ ଯେ ସେହି ସମୟରେ ଶେୟାର ବଜାରରେ କାମ କରିବା ପାଇଁ କେତେ ତୀକ୍ଷ୍ଣ ସ୍ମରଣଶକ୍ତି ଓ ଅଭିଜ୍ଞତାର ଆବଶ୍ୟକତା ଥିଲା ।
୧୯୯୫ରେ କମ୍ପ୍ୟୁଟର ବଦଳାଇଦେଲା ଶେୟାର ବଜାରର ଚିତ୍ର
ଶେୟାର ବଜାରରେ ଏକ ବଡ଼ ପରିବର୍ତ୍ତନ ୧୯୯୫ ମସିହାରେ ଆସିଥିଲା । ଏହି ବର୍ଷ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ BOLT (BSE Online Trading) ସିଷ୍ଟମ୍ ଆରମ୍ଭ କରିଥିଲା । ଏହା ପରେ ଶେୟାର କିଣାବିକା ପାଇଁ ବ୍ୟବସାୟୀମାନଙ୍କୁ ପୂର୍ବଭଳି ଗୋଟିଏ ସ୍ଥାନରେ ଏକାଠି ହେବାକୁ ପଡ଼ିଲା ନାହିଁ । କମ୍ପ୍ୟୁଟର ମାଧ୍ୟମରେ ଟ୍ରେଡିଂ ଆରମ୍ଭ ହେଲା । ଧୀରେ ଧୀରେ ଏହି ସୁବିଧା ସାଧାରଣ ନିବେଶକଙ୍କ ପାଖରେ ମଧ୍ୟ ପହଞ୍ଚିଲା ।
ପ୍ରଥମେ ବ୍ରୋକରଙ୍କ ମାଧ୍ୟମରେ ଶେୟାର କିଣାବିକା ହେଉଥିଲା । ପରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଟ୍ରେଡିଂ ଏହାକୁ ଆହୁରି ସହଜ କରିଦେଲା । ଏବେ ନିବେଶକମାନେ ଘରେ ବସି କିଛି ମିନିଟ୍ ମଧ୍ୟରେ ଶେୟାର ବଜାରରେ ନିବେଶ କରିପାରୁଛନ୍ତି ।
ମୁହୂର୍ତ୍ତ ଟ୍ରେଡିଂରେ ମଧ୍ୟ ଆସିଛି ବଡ଼ ପରିବର୍ତ୍ତନ
ସମୟ ସହିତ ମୁହୂରତ୍ ଟ୍ରେଡିଂର ପ୍ରକ୍ରିୟା ମଧ୍ୟ ବଦଳିଯାଇଛି । ପୂର୍ବରୁ ବ୍ୟବସାୟୀମାନେ ଷ୍ଟକ୍ ଏକ୍ସଚେଞ୍ଜରେ ପହଞ୍ଚି ପୂଜା କରିବା ପରେ କିଣାବିକା କରୁଥିଲେ । କିନ୍ତୁ ଏବେ ଲୋକେ ଘରେ ବସି ଅନଲାଇନ୍ରେ ଟ୍ରେଡିଂ କରୁଛନ୍ତି । ୧୯୯୯ ମସିହାରେ ମୁହୂର୍ତ୍ତ ଟ୍ରେଡିଂର ବିଶେଷ ସେସନ୍ ପ୍ରାୟ ୯୦ ମିନିଟ୍ ଧରି ଚାଲିଥିଲା । ସେହିପରି ୨୦୦୮ ମସିହାରେ ବିଶ୍ୱ ଆର୍ଥିକ ସଙ୍କଟ ସମୟରେ ମଧ୍ୟ ମୁହୂର୍ତ୍ତ ଟ୍ରେଡିଂ ସମୟରେ ବଜାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଥିଲା ।
ଆଜି ଏହି ବିଶେଷ ସେସନ୍ରେ ଛୋଟ ନିବେଶକଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଉଛନ୍ତି । ୨୦୨୪ ମସିହାର ମୁହୂର୍ତ୍ତ ଟ୍ରେଡିଂ ସେସନ୍ରେ NSEର କ୍ୟାଶ୍ ମାର୍କେଟ୍ରେ ପ୍ରାୟ ୯୬.୯ ଲକ୍ଷ କାରବାର ରେକର୍ଡ ହୋଇଥିଲା ।
ଆଜି ବି କାହିଁକି ଖାସ୍ ମୁହୂର୍ତ୍ତ ଟ୍ରେଡିଂ ?
ମୁହୂର୍ତ୍ତ ଟ୍ରେଡିଂ କେବଳ ଏକ ଘଣ୍ଟାର ଶେୟାର କିଣାବିକା ନୁହେଁ । ଏହା ଭାରତୀୟ ଶେୟାର ବଜାର ସହ ଜଡ଼ିତ ଏକ ପୁରୁଣା ପରମ୍ପରା । ଅନେକ ନିବେଶକ ଏହି ଦିନ ପ୍ରତୀକାତ୍ମକ ଭାବେ ଗୋଟିଏ କିମ୍ବା କିଛି ଶେୟାର କିଣିଥାନ୍ତି । ସେମାନଙ୍କ ବିଶ୍ୱାସ ଯେ ଦୀପାବଳିର ଶୁଭ ଦିନରେ ନିବେଶ ଆରମ୍ଭ କଲେ ଆଗାମୀ ବର୍ଷରେ ଆର୍ଥିକ ସମୃଦ୍ଧି ଓ ଖୁସି ମିଳିପାରେ । ତେବେ ମୁହୂର୍ତ୍ତ ଟ୍ରେଡିଂରେ ଶେୟାର କିଣିଲେ ଲାଭ ହେବାର କୌଣସି ଗ୍ୟାରେଣ୍ଟି ନାହିଁ । ଶେୟାର ବଜାରରେ ନିବେଶ କରିବା ପୂର୍ବରୁ କମ୍ପାନୀ ଓ ଏହାର ପ୍ରଦର୍ଶନ ସମ୍ପର୍କରେ ଭଲ ଭାବେ ଜାଣିବା ଜରୁରୀ ।
ଏହିପରି ଭାବେ ୧୯୫୭ରେ ଘୋଡ଼ାଗାଡ଼ିରେ ଷ୍ଟକ୍ ଏକ୍ସଚେଞ୍ଜ ପହଞ୍ଚୁଥିବା ବ୍ୟବସାୟୀଙ୍କଠାରୁ ଆରମ୍ଭ ହୋଇଥିବା ମୁହୂର୍ତ୍ତ ଟ୍ରେଡିଂର ଯାତ୍ରା ଆଜି ମୋବାଇଲ୍ ଆପ୍ରେ ପହଞ୍ଚିଛି । ଟେକ୍ନୋଲୋଜି ବଦଳିଛି, କାରବାରର ଶୈଳୀ ବଦଳିଛି, କିନ୍ତୁ ଦୀପାବଳିରେ ଶୁଭ ମୁହୂର୍ତ୍ତରେ ନିବେଶ କରିବାର ପରମ୍ପରା ଆଜି ବି ଅତୁଟ ରହିଛି ।
📱 Get Argus News App
✨Related Topics
Explore more stories