Videos
|
Business

Fixed Deposit / ୧ ଅକ୍ଟୋବରରୁ ବଦଳିବ FD... ଜାଣନ୍ତୁ ନୂଆ ନିୟମ

Rashmita Mishra
Browse all articles by Rashmita Mishra
·1 day ago·2 min read
୧ ଅକ୍ଟୋବରରୁ ବଦଳିବ FD... ଜାଣନ୍ତୁ ନୂଆ ନିୟମ
Fixed Deposit

Key Points

RBI ର ବଡ଼ ନିୟମ Bulk FD ରେ ନୂଆ ନିୟମ !
୧ ଅକ୍ଟୋବରରୁ ବଦଳିବ ନିୟମ FD ସୁଧ ନେଇ ବଡ଼ ଅପଡେଟ୍
FD ରେ ଆସିଲା ପରିବର୍ତ୍ତନ ଜମାକାରୀଙ୍କ ପାଇଁ ବଡ଼ ଖବର
ବ୍ୟାଙ୍କର ମନମାନି ବନ୍ଦ ! Bulk FD ସୁଧ ହାର ହେବ ସ୍ପଷ୍ଟ
 

ବଲ୍କ ଫିକ୍ସଡ୍ ଡିପୋଜିଟ୍‌ (Bulk FD) ଉପରେ ସୁଧ ହାର ନିର୍ଦ୍ଧାରଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ବଡ଼ ପରିବର୍ତ୍ତନ କରାଯାଉଛି । ନୂଆ ନିୟମ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ । ବ୍ୟାଙ୍କିଂ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଆଣିବା ସହ ଜମାକାରୀଙ୍କୁ ସ୍ପଷ୍ଟ ସୂଚନା ଦେବା ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରତି କାର୍ଯ୍ୟଦିବସରେ ବଲ୍କ ଫିକ୍ସଡ୍ ଡିପୋଜିଟ୍‌ ସୁଧ ହାର ପ୍ରକାଶ କରିବାକୁ ପଡ଼ିବ
ନୂଆ ନିୟମ ଅନୁସାରେ, ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୧୦ଟା ସୁଦ୍ଧାସେହି ଦିନ ପାଇଁ ଲାଗୁ ହେଉଥିବା ବଲ୍କ ଫିକ୍ସଡ୍ ଡିପୋଜିଟ୍‌ ସୁଧ ହାର ନିଜ ୱେବସାଇଟ୍‌ରେ ପ୍ରକାଶ କରିବାକୁ ପଡ଼ିବ । ସୁଧ ହାର ଅପଡେଟ୍ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ୧୦ ମିନିଟ୍‌ର ସମୟ ମିଳିବ। ଜମାକାରୀଙ୍କୁ ସୁଧ ପ୍ରଦାନ କରିବା ସମୟରେ ବ୍ୟାଙ୍କର ୱେବସାଇଟ୍‌ରେ ପ୍ରଦର୍ଶିତ ଲାଗୁ ସୁଧ ହାରକୁ ହିଁ ଅନୁସରଣ କରିବାକୁ ହେବ ।

ବଲ୍କ ଫିକ୍ସଡ୍ ଡିପୋଜିଟ୍‌ କ’ଣ ?
୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର ଏକକ ଫିକ୍ସଡ୍ ଡିପୋଜିଟ୍‌କୁ ବଲ୍କ ଡିପୋଜିଟ୍‌ ଭାବେ ବିବେଚନା କରାଯାଏ । ଏଭଳି ବଡ଼ ଜମା ଉପରେ ବ୍ୟାଙ୍କଗୁଡ଼ିକ ସାଧାରଣ ରିଟେଲ୍ FD ତୁଳନାରେ ଭିନ୍ନ ସୁଧ ହାର ପ୍ରଦାନ କରିପାରନ୍ତି । ନୂଆ ବ୍ୟବସ୍ଥାରେ ସୁଧ ହାର ସମ୍ପର୍କିତ ସୂଚନା ପ୍ରତିଦିନ ସ୍ପଷ୍ଟ ଭାବେ ମିଳିବାରୁ ଜମାକାରୀଙ୍କ ମଧ୍ୟରେ ଅଧିକ ପାରଦର୍ଶିତା ଆସିବ ବୋଲି ଆଶା କରାଯାଉଛି ।

ସମାନ FD ପାଇଁ ସବୁ ବ୍ରାଞ୍ଚରେ ସମାନ ସୁଧ ହାର
ନୂଆ ନିୟମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସମାନ ରାଶିର ବଲ୍କ ଡିପୋଜିଟ୍‌ ପାଇଁ ଭିନ୍ନ ଭିନ୍ନ ବ୍ରାଞ୍ଚରେ ଭିନ୍ନ ସୁଧ ହାର ଦେବାରେ ରୋକ୍ ଲଗାଯିବ । ଅର୍ଥାତ୍, ଗୋଟିଏ ବ୍ୟାଙ୍କର ଭିନ୍ନ ଶାଖାରେ ଏକେ ଦିନରେ ଗ୍ରହଣ କରାଯାଇଥିବା ସମାନ ରାଶିର ବଲ୍କ ଡିପୋଜିଟ୍‌ ପାଇଁ ସମାନ ଲାଗୁ ସୁଧ ହାର ରଖିବାକୁ ପଡ଼ିବ । ଏହା ଫଳରେ ଜମାକାରୀ ଗୋଟିଏ ବ୍ୟାଙ୍କର ଅନ୍ୟ ଶାଖାକୁ ଯାଇ ଅଲଗା ସୁଧ ହାର ପାଇବାର ସୁଯୋଗ କମିବ ଏବଂ ହାର ନିର୍ଦ୍ଧାରଣ ପ୍ରକ୍ରିୟା ଅଧିକ ସ୍ପଷ୍ଟ ହେବ ।

ତେବେ ବ୍ୟାଙ୍କଗୁଡ଼ିକୁ କୌଣସି ଲଚିଳାପଣ ମିଳିବ କି ?
ହଁ... ନୂଆ ଢାଞ୍ଚାରେ ବ୍ୟାଙ୍କଗୁଡ଼ିକୁ ନିଜର ତରଳତା (Liquidity) ଆବଶ୍ୟକତା ଅନୁସାରେ କିଛି ପରିସ୍ଥିତିରେ ସୁଧ ହାରରେ ଭିନ୍ନତା ରଖିବାର ସୁଯୋଗ ଦିଆଯାଇଛି । ବ୍ୟାଙ୍କଗୁଡ଼ିକ Liquidity Coverage Ratio (LCR) ଢାଞ୍ଚା ଅଧୀନରେ ଲାଗୁ ହେଉଥିବା withdrawal rate ଆଧାରରେ Bulk Deposit ଉପରେ ଭିନ୍ନ ସୁଧ ହାର ପ୍ରଦାନ କରିପାରିବେ ।

ଜମାକାରୀଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ?
ନୂଆ ନିୟମର ସବୁଠାରୁ ବଡ଼ ପ୍ରଭାବ ହେଉଛି ପାରଦର୍ଶିତା ବୃଦ୍ଧି । ଜମାକାରୀମାନେ ପ୍ରତି କାର୍ଯ୍ୟଦିବସରେ ବ୍ୟାଙ୍କର ୱେବସାଇଟ୍‌ରେ ଲାଗୁ Bulk FD ସୁଧ ହାର ଦେଖିପାରିବେ । ଏହା ସହ ସମାନ ରାଶି ଓ ସମାନ ଦିନର ଜମା ପାଇଁ ବ୍ୟାଙ୍କର ବିଭିନ୍ନ ଶାଖାରେ ଭିନ୍ନ ହାର ରଖିବାର ସୁଯୋଗ ମଧ୍ୟ ସୀମିତ ହେବ । ନୂଆ ନିୟମ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବା ପରେ Bulk FD ଉପରେ ସୁଧ ହାର ନିର୍ଦ୍ଧାରଣ ଓ ପ୍ରକାଶ ପ୍ରକ୍ରିୟା ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fixed Deposit | FD Rules Change From October 1: Know New Fixed Deposit Rules and Updates | Argus News