ଶୀଘ୍ର ମାରୁତି ଆଣୁଛି ପ୍ରଥମ EV, ଥରେ ଚାର୍ଜରେ ଦୌଡ଼ିବ ୫୦୦ କିମି

ଭାରତୀୟ ରାସ୍ତାରେ ଦୌଡ଼ୁଥିବା କାର ମଧ୍ୟରେ ଅନ୍ୟତମ ମାରୁତି ସୁଜୁକି । ଆଉ କାର କ୍ଷେତ୍ରରେ ମାରୁତିକୁ ଶୁଆ କୁହାଯାଏ । ବିଗତ କିଛି ଦଶନ୍ଧି ଧରି ମାରୁତି ଭାରତୀୟ ବଜାରରେ ରାଜ୍ କରି ଆସୁଛି । ଏବେ କମ୍ପାନୀ ଆଣିବାକୁ ଯାଉଛି ତାର ପ୍ରଥମ ଇଲେକ୍ଟ୍ରିକ୍ କାର୍ । ଯାହାକୁ ନିକଟରେ ଅଟୋ ଏକ୍ସପୋ-୨୦୨୫ରେ କମ୍ପାନୀ ପ୍ରଦର୍ଶିତ କରିଥିଲା ।
ମାରୁତିର ଏହି ଇଭି କାର ହାର୍ଟେକ୍ଟ (Heartect) ଇ-ପ୍ଲାଟଫର୍ମରେ ଆସିବ । ଯେଉଁଥିରେ ଏକାଧିକ ଟେକ୍ନୋଲୋଜି ଓ ସୁରକ୍ଷା ଫିଚର୍ସ ମଧ୍ୟ ରହିବ । ଏହାର ଦମ୍ଦାର ବ୍ୟାଟେରି ପ୍ୟାକ୍ ଲମ୍ବା ରେଞ୍ଜ ପ୍ରଦାନ କରିବ । ଯାହା ଭାରତୀୟ ଗ୍ରାହକଙ୍କ ଲାଗି ଏକ ଭଲ ବିକଳ୍ପ ହୋଇପାରେ ।
ମାରୁତି ଇ-ଭିଟାରା ୨ଟି ବ୍ୟାଟେରି ପ୍ୟାକ ବିକଳ୍ପ ସହ ଆସିବ । ଯାହାକି ୧୪୧ bhp ପାୱାର ଜେନେରେଟ୍ କରିବା ସହ ୫୦୦ କିଲୋମିଟରର ରେଞ୍ଜ ଦେବ । ଉଭୟ ବ୍ୟାଟେରି ପ୍ୟାକ ଭ୍ୟାରିଏଣ୍ଟରେ ୧୮୯ Nm ପିକ୍ ଟର୍କ ପ୍ରଦାନ କରିବ ।
📱 Get Argus News App
✨
ଏହି ଇଲେକ୍ଟ୍ରିକ୍ ଏସ୍ୟୁଭିରେ ଭିନ୍ନ ଭିନ୍ନ ଏଲ୍ଇଡି ଡେ-ଟାଇମ୍ (DRLs) ରହିଛି । ଯାହା ଗାଡ଼ିର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଉଛି । ଗାଡ଼ିର ସମ୍ମୁଖ ଭାଗରେ କଳା ରଙ୍ଗର ଗ୍ରିଲ୍ ରହିଛି, ଯେଉଁଥିରେ ରହିଛି ମାରୁତିର ଲୋଗୋ । ଏହି କାର ୧୦ ପ୍ରକାରର ଭିନ୍ନ ଭିନ୍ନ ରଙ୍ଗରେ ବଜାରରେ ଉପଲବ୍ଧ ହେବ । ଫଳରେ ଗ୍ରାହକ ଗାଡ଼ି କିଣିବା ବେଳେ ରଙ୍ଗ ବାଛିବାର ବିକଳ୍ପ ପାଇବେ ।
ବାହାର ଭଳି ଗାଡ଼ିର ଇଣ୍ଟରିୟର୍ ମଧ୍ୟ ଆକର୍ଷଣୀୟ ଓ ଆରାମଦାୟକ ରହିବ । ଏଥିରେ ୪ ଡୁଆଲ୍ ଟୋନ୍ ଇଣ୍ଟରିୟର୍ ବିକଳ୍ପ ରହିବ । ଯାହା କ୍ୟାବିନ୍କୁ ଅଧିକ ପ୍ରିମିୟମ୍ ଲୁକ୍ ଦେବ । କାର୍ରେ ସ୍ପ୍ଲିଟ୍ ଫୋଲ୍ଡିଂ ସିଟ୍ସ ମିଳିବ । ଫଳରେ ଗାଡ଼ିରେ ଅଧିକ ଲଗେଜ୍ ରହି ପାରିବ । ଏହା ଛଡ଼ା ଏଥିରେ ଡୁଆଲ୍ ସ୍କ୍ରିନ୍ ଡିସ୍ ପ୍ଲେ ସହ ନୂଆ ଅପରେଟିଂ ସିଷ୍ଟମ ରହିବ ।
ଏହି ଏସୟୁଭିର ADAS ଲେଭଲ୍ ୨ ଟେକ୍ନୋଲୋଜିରେ ପରିପୂର୍ଣ୍ଣ । ଯାହା ଗାଡ଼ିକୁ ଅଧିକ ସୁରକ୍ଷିତ ସହ ଆଡଭାନ୍ସ କରୁଛି । ଏଥିର ଆଡପ୍ଟିଭ୍ କ୍ରୁଜ୍ କଣ୍ଟୋଲ୍ ରହିଛି, ଯାହା ଗାଡ଼ିର ବେଗକୁ ନିୟନ୍ତ୍ରଣ କରିବ । ଲେନ୍ କିପ୍ ଆସିଷ୍ଟ ଫିଚର କାରକୁ ସଠିକ୍ ଲେନ୍ରେ ରଖିବ । ସୁରକ୍ଷା ପାଇଁ ୭ଟି ଏୟାର ବ୍ୟାଗ ଦିଆଯାଇଛି । ଯାହାକି ସବୁ ଭ୍ୟାରିଆଣ୍ଟରେ ମିଳିବ । ତେବେ ଏହି ଗାଡ଼ିର ଦର ୨୦ରୁ ୨୫ ଲକ୍ଷ ମଧ୍ୟରେ ରହିବା ସମ୍ଭାବନା ରହିଛି ।