JOB: ଟେକ୍ନିକାଲ ପିଲାଙ୍କ ପାଇଁ ଖୁସି ଖବର, ୨୦୨୫ରେ ଚାକିରି ବର୍ଷା !

ଅର୍ଗସ ବ୍ୟୁରୋ: ନୂଆ ବର୍ଷ ଆଣିଛି ନୂଆ ସୁଯୋଗ । ଚଳିତ ବର୍ଷ ହେବ ଚାକିରି ବର୍ଷା । ଛପରଫାଡ଼ ଚାକିରିର ମିଳିବ ସୁଯୋଗ । ଉତ୍ତମ ପ୍ରତିଭାଙ୍କ ଦରମା ବଢ଼ିବାର ରହିଛି ଅନେକ ସମ୍ଭାବନା । ନୂଆ ବର୍ଷ ଭାରତରେ କାମ କରୁଥିବା ଚାକିରିଆଙ୍କ ପାଇଁ ଖୁସିର ଉପହାର ଆଣିଛି କହିଲେ ଚଳେ । ଏକ ନୂଆ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଦେଶର ବିଭିନ୍ନ କ୍ଷେତ୍ରରେ ଚାକିରିଆଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। HR କନସଲ୍ଟିଂ ଫାର୍ମ 'ମର୍ସର' ଏକ ସର୍ଭେକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କର୍ମଚାରୀଙ୍କ ଦରମା କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ୨୦୨୦ରେ ୮ ପ୍ରତିଶତ ତୁଳନାରେ ୨୦୨୫ରେ ଏହା ୯.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ସମସ୍ତ ସେକ୍ଟରରେ ୯.୪ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଏବଂ କୁଶଳୀ ପ୍ରତିଭାଙ୍କ ଚାହିଦାକୁ ପ୍ରତିଫଳିତ କରୁଛି । ଏହି ତାଲିକାରେ ଅଟୋମୋବାଇଲ୍ କ୍ଷେତ୍ରକୁ ଆଗରେ ରଖାଯାଇଛି । ଅଟୋମୋବାଇଲ୍ କ୍ଷେତ୍ରରେ ଦରମା ୮.୮ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହାର କ୍ରେଡିଟ ଦେଶରେ ବୈଦ୍ୟୁତିକ ଯାନ ଗୁଡ଼ିକର ଚାହିଦା ଏବଂ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ଯାଉଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମାନୁଫାକଚରିଂ ଓ ଇଞ୍ଜିନିୟରିଂ । ଏହି ସେକ୍ଟରରେ କାମ କରୁଥିବା ଲୋକଙ୍କର ବେତନ ୮ ରୁ ୯.୭ ପ୍ରତିଶତ ବୃଦ୍ଧି ହୋଇପାରେ, ଯାହା ମାନୁଫାକଚରିଂ ଇକୋସିଷ୍ଟମର ଅଭିବୃଦ୍ଧିକୁ ଦର୍ଶାଉଛି ।
'ମର୍ସର'ର ଏହି ସର୍ଭେରେ ଦେଶର ବିଭିନ୍ନ କ୍ଷେତ୍ରର ୧,୫୫୦ ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଟେକ୍ନୋଲୋଜି, ଲାଇଫ ସାଇନ୍ସ, ଫାଇନାନସିଆଲ ସର୍ଭିସ, କଞ୍ଜ୍ୟୁମର ଗୁଡସ, ଉତ୍ପାଦନ ଏବଂ ଅଟୋମୋବାଇଲ୍ ସାମିଲ ରହିଛି । ୨୦୨୫ ମସିହାରେ ୩୭ ପ୍ରତିଶତ ସଂସ୍ଥା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା କରିଛନ୍ତି, ଯାହା ସାରା ଦେଶରେ ଥିବା କୁଶଳୀ ପ୍ରତିଭାଙ୍କ ଚାହିଦାକୁ ଦର୍ଶାଉଛି ।
ଏହି ଅବଧି ମଧ୍ୟରେ କମ୍ପାନୀ ଗୁଡିକରେ ୧୧.୯ ପ୍ରତିଶତ କର୍ମଚାରୀଙ୍କ ଛଟେଇ ମଧ୍ୟ ସ୍ଥିର ରହିବ । ଦେଶ ଏବେ ପ୍ରତିଭା ଦୃଶ୍ୟପଟ୍ଟ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ୭୫ ପ୍ରତିଶତ ସଂସ୍ଥାରେ ଉନ୍ନତ କାର୍ଯ୍ୟ ଉପରେ ଆଧାର କରି ଦରମା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଭଲ କାମ ପାଇଁ ଭଲ ଦରମା ପ୍ରଦାନ କରାଯିବ । ଏହି କାରଣରୁ ଏହି ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କୁ ନିଜ କମ୍ପାନୀରେ ଅଧିକ ଦିନ ରଖିବା ଧାରାକୁ ପ୍ରାଧାନ୍ୟ ଦେଉଛନ୍ତି ।