GST Rate Cut: ଜିଏସ୍ଟି ହ୍ରାସ ପ୍ରଭାବ, ୫ରୁ ୬ ପ୍ରତିଶତ ବଢ଼ିପାରେ ଦୁଇ ଚକିଆ ଯାନ ବିକ୍ରି

Key Points
ଚଳିତ ଆର୍ଥିକ ବର୍ଷରେ ଦୁଇ ଚକିଆ ଯାନ ବିକ୍ରି ୫ରୁ ୬ ପ୍ରତିଶତ ବଢ଼ିପାରେ । GST କାଉନସିଲ୍ ବୈଠକରେ ଟିକସ ହ୍ରାସ ନିଷ୍ପତ୍ତି ନିଆ ଯାଇଥିବାରୁ ବିକ୍ରି ବୃଦ୍ଧି ସମ୍ଭାବନା ରହିଛି ।
ନୂଆଦିଲ୍ଲୀ: ଖସିଲା GST, ବଢ଼ିବ ଗାଡ଼ି ବିକ୍ରି । ପାର୍ବଣ ପୂର୍ବରୁ କେନ୍ଦ୍ର ସରକାର ଜିଏସଟି ହ୍ରାସ କରିଛନ୍ତି । ଯାହା ଫଳରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବାକୁ ଯାଉଛି । ଖାଲି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନୁହେଁ ଜିଏସଟି ହ୍ରାସ ଫଳରେ ଗାଡ଼ି ଦର ମଧ୍ୟ ଖସିବ । ଆଉ ଏହାଦ୍ଵାରା ଗାଡ଼ି ବିକ୍ରି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।
ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଦୁଇ ଚକିଆ ଯାନ ବିକ୍ରି ୫ରୁ ୬ ପ୍ରତିଶତ ବଢ଼ିପାରେ । GST କାଉନସିଲ୍ ବୈଠକରେ ଟିକସ ହ୍ରାସ ନିଷ୍ପତ୍ତି ନିଆ ଯାଇଥିବାରୁ ବିକ୍ରି ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଆକଳନ କରିଛି କ୍ରିସିଲ୍ ରେଟିଂ । ରେଟିଂ ଫାର୍ମ କହିଛି, ଟିକସ ହ୍ରାସ ବିଶେଷ କରି ଦୁଇ ଚକିଆ ଯାନ ଓ ପାସେଞ୍ଜର ବାହାନ ବିକ୍ରି ବଢ଼ାଇବ । ଯାହାକି ବଜାର ମାତ୍ରାର ୯୦ ପ୍ରତିଶତ ।
ରେଟିଂ ଫାର୍ମ ଆହୁରି ଆକଳନ କରିଛି ଯେ, ଜିଏସଟି ହ୍ରାସ୍ ଦ୍ଵାରା ଦୁଇ ଚକିଆ ଯାନର ଚାହିଦା ୨୦୦ ବେସିସ୍ ପଏଣ୍ଟ ଏବଂ ଯାତ୍ରୀବାହୀ ଗାଡ଼ିର ଚାହିଦା ପ୍ରାୟ ୧୦୦ ବେସିସ୍ ପଏଣ୍ଟ ବଢ଼ିବ । ତେବେ, ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ଵାର୍ଟରରେ ଦୁଇ ଚକିଆ ଯାନ ବିକ୍ରି ଅନ୍-ବୋର୍ଡ ଡାଇଗ୍ନୋସିସ୍ ୨ (OBD2) ନିୟମ ପାଇଁ ପ୍ରଭାବିତ ହୋଇଥିଲା ।
📱 Get Argus News App
✨
GST ହ୍ରାସ ଫଳରେ ଗାଡ଼ି ଦର ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଖସିପାରେ ଏବଂ ପାର୍ବଣ ସମୟରେ ଏହା ଗାଡ଼ି ବିକ୍ରି ବୃଦ୍ଧି କରିପାରେ । ନୂଆ GST ଦର ଅନୁସାରେ, ୩୫୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଦୁଇ ଚକିଆ ଯାନ, ବାଣିଜ୍ୟିକ ବାହାନ ଏବଂ ତିନି ଚକିଆ ଯାନ ପାଇଁ ଏଣିକି ୨୮ ପ୍ରତିଶତ ବଦଳରେ ୧୮ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।