ଜାଣନ୍ତୁ ସେକେଣ୍ଡ ହ୍ୟାଣ୍ଡ କାର୍ କିଣିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍

ସମସ୍ତଙ୍କର ଗୋଟିଏ ସ୍ୱପ୍ନ ଥାଏ ଭଲ ଘର କରିବା ଓ ପାଖରେ ଗୋଟିଏ ଭଲ ଗାଡ଼ି ରଖିବା। ଦୁଇ ଚକିଆ ଗାଡ଼ି ତ ଏବେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଘରେ ଅଛି। ହେଲେ ନୂଆ କାର ଟିଏ କିଣିବା ସମସ୍ତଙ୍କ ପାଇଁ ସମ୍ଭବପର ନୁହେଁ। ଏଠି ଆର୍ଥିକ ସମ୍ଭଳର କଥା ଆସେ। ହେଲେ ଏବେ ଅଧିକାଂଶ ମଧ୍ୟବିତ୍ତଙ୍କ ପାଇଁ ଏକ ପ୍ରମୁଖ ବିକଳ୍ପ ପାଲଟିଛି ବଜାରରେ ବିକ୍ରି ହେଉଥିବା ସେକେଣ୍ଡ ହ୍ୟାଣ୍ଡ୍ କାର୍। ଏଥିପାଇଁ ଘରୋଇ ବ୍ୟାଙ୍କ ଓ ଫାଇନାସିଆଲ କମ୍ପାନୀ ଋଣ ପ୍ରଦାନ ସୁବିଧା ମଧ୍ୟ ଦେଉଛନ୍ତି।
ବାହାର ରାଜ୍ୟଠାରୁ ନେଇ ଓଡ଼ିଶା ପର୍ଯ୍ୟନ୍ତ, ଦୃତ ଗତିରେ ବୃଦ୍ଧି ପାଉଛି ସେକେଣ୍ଡ ହ୍ୟାଣ୍ଡ୍ କାର୍ ବ୍ୟବସାୟ। କେବେ ନା କେବେ ଲକ୍ଷ୍ୟ କରିଥିବେ କଟକରୁ ଭୁବେନଶ୍ବର ଓ ଭୁବେନଶ୍ବରରୁ ପୁରୀ ଯିବା ବାଟରେ ଛତୁ ଫୁଟିଲା ଭଳି ଖୋଲି ଯାଇଛି ୟୁଜଡ୍ କାର ଶୋରୁମ୍। ଯେଉଁଠାରୁ ଲୋକମାନେ ନିଜ ବଜେଟ୍ ଅନୁସାରେ ନିଜ ମନ ପସନ୍ଦର କାର୍ ଘରକୁ ନେଉଛନ୍ତି।
📱 Get Argus News App
✨ତେବେ ଜାଣନ୍ତୁ ସେକେଣ୍ଡ ହ୍ୟାଣ୍ଡ କାର୍ କିଣିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ -
ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିବା ସମୟରେ ପ୍ରଥମେ ଗାଡ଼ିର କାଗଜପତ୍ର ଯାଞ୍ଚ କରନ୍ତୁ
ଗାଡ଼ିର ସର୍ଭିସିଂ ଡିଟେଲସ ଚେକ୍ କରନ୍ତୁ, ଗାଡି ଠିକ୍ ସମୟରେ ସର୍ଭିସିଂ ହୋଇଛି କି ନା ତାହା ଯାଞ୍ଚ କରନ୍ତୁ। କାରଣ ଗାଡ଼ି ସଠିକ୍ ସମୟରେ ସର୍ଭିସିଂ ହୋଇନଥିଲେ, ଗାଡ଼ିର ଇଞ୍ଜିନ୍ ଭବିଷ୍ୟତରେ ଅଯଥା ଖର୍ଚ୍ଚାନ୍ତରେ ପକାଇପାରେ
ଯେଉଁ ସଂସ୍ଥା ଠାରୁ ଗାଡ଼ି କିଣୁଛନ୍ତି, ସମ୍ପୃକ୍ତ ସଂସ୍ଥା ସରକାରୀ ନିୟମ ଅନୁସାରେ ପଞ୍ଜୀକୃତ ହୋଇଛନ୍ତି କି ନା ଯାଞ୍ଚ କରନ୍ତୁ
ଏହା ମଧ୍ୟ ତଦାରଖ କରନ୍ତୁ, ଆପଣଙ୍କୁ ଦେଖାଯାଉଥିବା ତଥ୍ୟ ନକଲି ନୁହେଁତ
ଗାଡିର ଆରସିରେ ଥିବା ନମ୍ବର ସହ ଗାଡ଼ିର ଇଞ୍ଜିନ୍ ନଂ ଓ ଚେଚିସ୍ ନମ୍ବର ମଧ୍ୟ ମିଳାନ୍ତୁ। ଏଥିରୁ ସ୍ପଷ୍ଟ ହେବ ଆପଣଙ୍କ ସହ ଠକାମୀ ହେଉଛି କି ନାଁ
ବୀମା ରେକର୍ଡ, ଋଣ ଏନଓସି ଭଳି ଡକ୍ୟୁମେଣ୍ଟ ଗୁଡ଼ିକ ମଧ୍ୟ ଯାଞ୍ଚ କରନ୍ତୁ
ଗାଡ଼ି ଯଦି ଫାଇନାନ୍ସରେ କିଣାଯାଇଥାଏ, ତାର ପୂର୍ବରୁ କୌଣସି ବକେୟା ରହିଛି କି ନା ଜାଣନ୍ତୁ। ହେଲେ ଗାଡିର ମାଲିକାନା ପରିବର୍ତ୍ତନ ସମୟରେ ସମସ୍ୟାରେ ପଡ଼ିପାରନ୍ତି
ଜଣେ ଅଭିଜ୍ଞ ଗାଡ଼ି ଚାଳକଙ୍କ ଦ୍ବାରା ଗାଡ଼ି ଟେଷ୍ଟ ଡ୍ରାଇଭ୍ କରନ୍ତୁ। ଗାଡ଼ିରେ ଆଗକୁ କ'ଣ କ'ଣ ଖର୍ଚ୍ଚ ଆବଶ୍ୟକ ତାହା ସ୍ପଷ୍ଟ ହୋଇଯିବ
ଆପଣ କିଣିବାକୁ ଚିନ୍ତା କରୁଥିବା ଗାଡ଼ିର ମିଟର ଯାଞ୍ଚ କରନ୍ତୁ। ବ୍ୟବସାୟୀ ମାନେ ହୁଏତ ଅଧିକ ଲାଭ ଆଶାରେ ଆପଣଙ୍କୁ ଗାଡ଼ିର ରନିଙ୍ଗ୍ କିଲୋମିଟର ନେଇ ମିଛ କହି ପାରନ୍ତି। ଯାହାକୁ ମିଟର ଟ୍ୟାମ୍ପରିଂ କୁହାଯାଏ।
ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିବା ସମୟରେ, ଗାଡିର କିଣା ମୂଲ୍ୟ ଓ ବ୍ୟବହାର, ବର୍ତ୍ତମାନର ନୂଆ ମୂଲ୍ୟ ଆଦିକୁ ନଜରକୁ ନେଇ ଟଙ୍କା ଦେଣନେଣ କରନ୍ତୁ, ନଚେତ ନୂଆ ଗାଡ଼ିର ଟଙ୍କା ନେଇ ପୁରୁଣା ଗାଡ଼ି କିଣିବା ଭଳି ଠକାମୀରେ ପଡ଼ିପାରନ୍ତି
ସୋସିଆଲ ମିଡିଆ ଭିଡ଼ିଓ ଦେଖି ତରତରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନକଲି ଓ୍ବେବସାଇଟ୍ ଓ ଡିଲରଙ୍କ ପ୍ରତି ସାବଧାନ ରୁହନ୍ତୁ। ଅଫରରେ ପ୍ରଲୋଭିତ ହୋଇ ଗାଡ଼ି କିଣନ୍ତୁ ନାହିଁ