Videos
|
Business

Gas Price Hike / ୧ ସେପ୍ଟେମ୍ବରରେ ବଦଳିବ ଦର ଗ୍ୟାସ୍ ସିଲିଣ୍ଡର ନେଇ ବଡ଼ ଅପଡେଟ୍

Rashmita Mishra
Browse all articles by Rashmita Mishra
·40 mins ago·3 min read
୧ ସେପ୍ଟେମ୍ବରରେ ବଦଳିବ ଦର ଗ୍ୟାସ୍ ସିଲିଣ୍ଡର ନେଇ ବଡ଼ ଅପଡେଟ୍
Gas Price Hike

Key Points

LPG ଶସ୍ତା ନା ମହଙ୍ଗା...
୧ ସେପ୍ଟେମ୍ବରରେ ବଦଳିବ ଦର ଗ୍ୟାସ୍ ସିଲିଣ୍ଡର ନେଇ ବଡ଼ ଅପଡେଟ୍ 

ପ୍ରତିମାସର ପହିଲା ତାରିଖ ଆସିଲେ କୋଟି କୋଟି ଗୃହିଣୀ, ଢାବା ମାଲିକ ଓ ହୋଟେଲ ବ୍ୟବସାୟୀଙ୍କ ନଜର ରହେ LPG ସିଲିଣ୍ଡର ଦର ଉପରେ । ଦାମ କମିବ ନା ବଢ଼ିବ ଏହାକୁ ନେଇ ୧ ସେପ୍ଟେମ୍ବର ପୂର୍ବରୁ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କେତେବେଳେ ସେପ୍ଟେମ୍ବର ମାସ ଗ୍ରାହକଙ୍କୁ ବଡ଼ ରାହତ ଦେଇଛି, ତ ଆଉ କେତେବେଳେ ହଠାତ୍ ବଢ଼ିଛି ସିଲିଣ୍ଡର ଦର । ଇଣ୍ଡିଆନ୍ ଅଏଲ୍ (IOCL)ର ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତର ତଥ୍ୟକୁ ଦେଖିଲେ ସେପ୍ଟେମ୍ବରରେ LPG ଦରର ଚିତ୍ର କେତେ ରୋଚକ ଥିଲା, ତାହା ସ୍ପଷ୍ଟ ହୁଏ ।

୧୯ କେଜି କମର୍ସିଆଲ୍ ସିଲିଣ୍ଡର: ୬ ଥର ଦର କମିଛି, ୫ ଥର ବଢ଼ିଛି

ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହୃତ ୧୯ କେଜି ଇଣ୍ଡେନ୍ କମର୍ସିଆଲ୍ ସିଲିଣ୍ଡରର ଦରକୁ ଦେଖିଲେ, ଦିଲ୍ଲୀର ତଥ୍ୟ ଅନୁସାରେ ଗତ ୧୨ ବର୍ଷରେ ସେପ୍ଟେମ୍ବର ମାସରେ ୬ ଥର ଦାମ କମିଛି । ଅନ୍ୟପଟେ ୫ ଥର ଦାମ ବଢ଼ିଥିବା ବେଳେ ଗୋଟିଏ ଥର ଦର ଅପରିବର୍ତ୍ତିତ ରହିଥିଲା ।

ସେପ୍ଟେମ୍ବରରେ ସବୁଠାରୁ ବଡ଼ ଦର ହ୍ରାସ କେବେ ?
ବ୍ୟବସାୟୀଙ୍କ ପାଇଁ ୨୦୨୩ର ସେପ୍ଟେମ୍ବର ମାସ ସବୁଠାରୁ ଅଧିକ ରାହତ ଆଣିଥିଲା । ଅଗଷ୍ଟ ୧ରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ ୧,୬୮୦ ଟଙ୍କା ଥିବାବେଳେ ସେପ୍ଟେମ୍ବର ୧ରେ ଏହା ୧୫୭.୫୦ ଟଙ୍କା କମି ୧,୫୨୨.୫୦ ଟଙ୍କା ହୋଇଥିଲା । କୋଲକାତାରେ ଏହି ଦର ହ୍ରାସ ଆହୁରି ଅଧିକ ଥିଲା । ସେଠାରେ ପ୍ରାୟ ୧୬୬.୫୦ ଟଙ୍କାର ରେକର୍ଡ କମିବା ଦେଖାଯାଇଥିଲା । ଏହା ବ୍ୟତୀତ ୨୦୧୪, ୨୦୧୫, ୨୦୨୨ ଓ ୨୦୨୫ର ସେପ୍ଟେମ୍ବରରେ ମଧ୍ୟ କମର୍ସିଆଲ୍ LPG ଦର କମିଥିଲା ।

୨୦୧୭ରେ ଲାଗିଥିଲା ବଡ଼ ଝଟକା
ଦର ହ୍ରାସର ଠିକ୍ ବିପରୀତ ଚିତ୍ର ୨୦୧୭ରେ ଦେଖିବାକୁ ମିଳିଥିଲା । ସେହି ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ହଠାତ୍ ୧୧୫ ଟଙ୍କା ମହଙ୍ଗା ହୋଇଥିଲା । ଫଳରେ ଦାମ ୯୬୬ ଟଙ୍କାରୁ ବଢ଼ି ୧,୦୮୧ ଟଙ୍କାରେ ପହଞ୍ଚିଥିଲା । ଏହା ବ୍ୟତୀତ ୨୦୧୮, ୨୦୧୯, ୨୦୨୧ ଓ ୨୦୨୪ର ସେପ୍ଟେମ୍ବରରେ ମଧ୍ୟ କମର୍ସିଆଲ୍ LPG ଦର ବୃଦ୍ଧି ପାଇଥିଲା ।

ଘରୋଇ LPG ସିଲିଣ୍ଡରରେ କଣ ଥିଲା ?
ଘରେ ରୋଷେଇ ପାଇଁ ବ୍ୟବହୃତ ୧୪.୨ କେଜି ଘରୋଇ LPG ସିଲିଣ୍ଡରର ଦର ମଧ୍ୟ ସେପ୍ଟେମ୍ବରରେ ଅନେକ ଥର ପରିବର୍ତ୍ତନ ହୋଇଛି । ୨୦୧୪ରେ ସେପ୍ଟେମ୍ବର ଆସିବା ବେଳକୁ ଘରୋଇ ସିଲିଣ୍ଡର ପ୍ରାୟ ୧୯ ଟଙ୍କା ଶସ୍ତା ହୋଇଥିଲା । ୨୦୧୫ରେ ମଧ୍ୟ ପ୍ରାୟ ୨୫.୫୦ ଟଙ୍କା ଦର କମିଥିଲା । କିନ୍ତୁ ୨୦୧୭ର ସେପ୍ଟେମ୍ବରରେ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଥିଲା । ଘରୋଇ ସିଲିଣ୍ଡରର ଦର ସିଧାସଳଖ ୭୩.୫୦ ଟଙ୍କା ବଢ଼ିଥିଲା । ୨୦୧୮ ଓ ୨୦୧୯ରେ ମଧ୍ୟ ଦରରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା ।

ଅନ୍ୟପଟେ ୨୦୨୩ ଅଗଷ୍ଟ ଶେଷରେ ସରକାର ଘରୋଇ LPG ଉପରେ ୨୦୦ ଟଙ୍କାର ବଡ଼ ରିହାତି ଘୋଷଣା କରିଥିଲେ । ଏହା ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦର ପ୍ରାୟ ୮୦୩ ଟଙ୍କାକୁ ହ୍ରାସ ପାଇଥିଲା ।

ସେପ୍ଟେମ୍ବର ଆଣିବ ରାହତ ନା ମହଙ୍ଗାଇର ଝଟକା ?
ଗତ ୧୨ ବର୍ଷର ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ LPG ଦର ପାଇଁ ସେପ୍ଟେମ୍ବର ମାସ ସବୁବେଳେ ଅନୁମାନ କରିବା କଷ୍ଟକର । କେବେ ବଡ଼ ଦର ହ୍ରାସ ଗ୍ରାହକଙ୍କୁ ରାହତ ଦେଇଛି, ତ କେବେ ହଠାତ୍ ଦାମ ବଢ଼ିଛି ।

ଏବେ ସମସ୍ତଙ୍କ ନଜର ୧ ସେପ୍ଟେମ୍ବର ଉପରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଓ ଅନ୍ୟାନ୍ୟ ବଜାର ସ୍ଥିତିକୁ ଦେଖି ତୈଳ ବିପଣନ କମ୍ପାନୀଗୁଡ଼ିକ LPG ଦରରେ କଣ ପରିବର୍ତ୍ତନ କରିବେ, ତାହା ଉପରେ ଗୃହିଣୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: