Odisha Got One Lakh Investment / ଓଡ଼ିଶା ଆସିବ ୧ ଲକ୍ଷ କୋଟି

Key Points
କୋଲକାତା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା
୯୦ ହଜାର ନିଯୁକ୍ତି ସୃଷ୍ଟି ହେବ
ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟିର ନିବେଶ। କୋଲକାତା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ ପାଇଁ କୋଲକାତାରୁ ମିଳିଲା ପ୍ରତିଶ୍ରୁତି। ଏହସହ ଏଥିରେ ଆଉ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ରୋଡ୍ ସୋ ମାଧ୍ୟମରେ ଓଡ଼ିଶାକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହ ୨୭ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏମ୍ଓୟୁ ଜରିଆରେ ୮୧,୮୬୪ କୋଟି ଟଙ୍କାର ନିବେଶ ଆସିଛି। ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ୬୩,୧୬୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ ୧୮,୪୫୩ କୋଟି ଟଙ୍କାର ୧୯ଟି ନିବେଶ ଆଗ୍ରହ ପ୍ରସ୍ତାବ ମିଳିଛି। ଏହା କାର୍ଯ୍ୟକାରୀ ହେଲେ ୨୭,୫୯୧ ଜଣଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ। ବିଶେଷ କରି ପୋଷାକ, ପୋଷାକ ଆସେସୋରିଜ୍, ଟେକ୍ନିକାଲ୍ ଟେକ୍ସଟାଇଲ୍, ଫାର୍ମାମ୍ୟୁଟିକାଲ୍ସ, ମେଡିକାଲ ଡିଭାଇସ୍ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ ନିବେଶ ଆସିଛି।
ସ୍ବାକ୍ଷରିତ ଏମଓୟୁ ମଧ୍ୟରୁ ଇସ୍ପାତ କ୍ଷେତ୍ରରେ ସର୍ବାଧିକ ୪ଟି ଏମ୍ଓୟୁ କରାଯାଇ ସର୍ବାଧିକ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ଆକୃଷ୍ଟ କରାଯାଇପାରିଛି। ଏହା ପଛକୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨ଟି ଏମ୍ଓୟୁ ଜରିଆରେ ୨୭,୨୨୨ କୋଟି, ଅକ୍ଷୟ ଶକ୍ତି ଉପକରଣ କ୍ଷେତ୍ରରେ ୮୯୫୫ କୋଟି, ଖଣି କ୍ଷେତ୍ରରେ ୪ ହଜାର କୋଟି, ମେକାନିକାଲ୍ ଓ ପୁଞ୍ଜିସାମଗ୍ରୀ କ୍ଷେତ୍ରରେ ୩୨୦୦ କୋଟି, ଏୟାର ସେପାରେସନ୍ ୟୁନିଟ୍ କ୍ଷେତ୍ରରେ ୩୨୦୦ କୋଟି ନିବେଶ ସୁଯୋଗ ସୃଷ୍ଟି ହୋଇଛି। କୋଲକାତା ଆଇଟିସି ସୋନାର ପରିସରରେ ଆୟୋଜିତ ରୋଡ୍ ସୋକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓଡ଼ିଶାର ବିକାଶରେ ସହଭାଗୀ ହେବା ପାଇଁ ନିବେଶକମାନଙ୍କୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, ପୂର୍ବୋଦୟ ମିସନ୍ ଅଧୀନରେ ପୂର୍ବ ଭାରତର ଶିଳ୍ପ ଅଭିବୃଦ୍ଧିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାଲାଗି ଓଡ଼ିଶା ଅନ୍ୟ ରାଜ୍ୟ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି।
ପୂର୍ବାଞ୍ଚଳରେ ବିକାଶ ପ୍ରତିଯୋଗିତାମୂଳକ ହେବ ନାହିଁ, ବରଂ ସହଭାଗିତାମୂଳକ ହେବ। ଏକ ମଜଭୁତ୍ ଶିଳ୍ପ କରିଡର୍ ସ୍ଥାପନ କ୍ଷେତ୍ରରେ ପୂର୍ବ ଭାରତର ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆର୍ଥିକ ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ମଜଭୁତ୍ ରହିଛି। ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ସୁରକ୍ଷିତ। ଏକ ସମ୍ବଳଭିତ୍ତିକ ରାଜ୍ୟରୁ ଓଡ଼ିଶା ଏକ ମୂଲ୍ୟଯୁକ୍ତ ଓ ଅତ୍ୟାଧୁନିକ ବିନିର୍ମାଣ ହବ୍ରେ ରୂପାନ୍ତରିତ ହେଉଛି। ଓଡ଼ିଶାର ଥିବା ଦୀର୍ଘ ଉପକୂଳ, ପାରାଦୀପ, ଧାମରା ଓ ଗୋପାଳପୁର ଭଳି ବନ୍ଦର ବନ୍ଦରଭିତ୍ତିକ ଶିଳ୍ପାୟନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପୂର୍ବ ଓ କେନ୍ଦ୍ରୀୟ ଭାରତର ଶିଳ୍ପାୟନକୁ ଏହା ବଳ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ଦୂରଦୃଷ୍ଟି ଉପସ୍ଥାପନ କରିଥିଲେ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ନିବେଶକମାନଙ୍କୁ ସେମାନଙ୍କ ବ୍ୟବସାୟ ଓଡ଼ିଶାରେ ସଂପ୍ରସାରଣ କରିବାକୁ ଆମନ୍ତ୍ରଣ କରିଥିଲେ। ଏମ୍ଓୟୁଗୁଡ଼ିକୁ ସମୟ ଅନୁସାରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରୋଡ୍ ସୋରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁଙ୍କ ବ୍ୟତୀତ ଶିଳ୍ପ, ବ୍ୟବସାୟୀ ସଂଘ ଓ ବିଭିନ୍ନ ପ୍ରତିଷ୍ଠାନର ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।
📱 Get Argus News App
✨Related Topics
Explore more stories