ଚେକ୍ କ୍ଲିଅର୍ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବନି ୨ ଦିନ, RBI ନେଲା ବଡ଼ ନିଷ୍ପତ୍ତି

Key Points
ଆଉ ୨ ଦିନ ନୁହେଁ ଏଣିକି କିଛି ଘଣ୍ଟାରେ କ୍ଲିଅର ହେବ ଚେକ୍ ।
ଏନେଇ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ।
ମୁମ୍ବାଇ:ଚେକ୍ କ୍ଲିଅର ପାଇଁ ପ୍ରତୀକ୍ଷାର ହେବ ଅନ୍ତ । ଆଉ ୨ ଦିନ ନୁହେଁ ଏଣିକି କିଛି ଘଣ୍ଟାରେ କ୍ଲିଅର ହେବ ଚେକ୍ । ଏନେଇ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ଅକ୍ଟୋବର ୪ ତାରିଖରୁ ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଫଳରେ ପୂର୍ବରୁ ଏକ ଚେକ୍ ଆକାଉଣ୍ଟରେ କ୍ରେଡିଟ୍ ହେବାକୁ ଯେଉଁଠି ୨ ଦିନ ଲାଗୁଥିଲା ତାହା ମାତ୍ର କେଇ ଘଣ୍ଟାରେ ହୋଇଯିବ ।
ଆରବିଆଇର ଘୋଷଣା ଅନୁସାରେ, ନୂଆ ଜ୍ଞାନକୌଶଳର ଉପଯୋଗ କରି ବ୍ୟାଙ୍କ ନୂତନ ଓ ପୁରୁଣା ଚେକ୍ ଗୁଡ଼ିକ ଯାଞ୍ଚ କରିବ । ବ୍ୟାଙ୍କର କାର୍ଯ୍ୟ ସମୟ ସହ କେଇ ଘଣ୍ଟା ବ୍ୟବଧାନରେ ଚେକ୍ କ୍ଲିଅର ହେବ । ବର୍ତ୍ତମାନ ଚେକ୍ କ୍ଲିଅର ପାଇଁ କାର୍ଯ୍ୟକାରୀ ହେଉଥିବା (CTS) ପ୍ରକ୍ରିୟା ପାଇଁ ୨ ଦିନ ସମୟ ଲାଗୁଛି ।
ଆଉ ଏହି ସମୟ ସୀମାକୁ ହ୍ରାସ କରିବା ଲାଗି ଆରବିଆଇ, CTSକୁ ବ୍ୟାଚ୍ ପ୍ରୋସେସିଂରୁ ନିୟମିତ କ୍ଲିଅରିଂ ସହ ଅନ୍-ରିଆଲାଇଜେସନ୍-ସେଟେଲମେଣ୍ଟକୁ ଆସିବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ଵାରା ଚେକ୍ କ୍ଲିଅରାନ୍ସ କ୍ଷମତା ବଢ଼ିବା ସହ ଗ୍ରାହକ ଉନ୍ନତ ଅଭିଜ୍ଞତା ପାଇବେ, ଅଂଶଗ୍ରହଣକାରୀଙ୍କ ସମାଧାନ ବିପଦ ହ୍ରାସ ହେବ ।
ତେବେ CTSକୁ ଅନ୍-ରିଆଲାଇଜେସନ୍-ସେଟେଲମେଣ୍ଟରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୪ରୁ ଆରମ୍ଭ ହେବ ଏବଂ ଦ୍ଵିତୀୟ ପର୍ଯ୍ୟାଯ ୨୦୨୬ ଜାନୁଆରୀ ୩ରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।
📱 Get Argus News App
✨
ଏଥିପାଇଁ ପ୍ରେଜେଣ୍ଟେସନ୍ ସେସନ୍ ବି ହେବ । ଯେଉଁଥିରେ ବ୍ୟାଙ୍କ ଚେକ୍ର ଫଟୋକୁ ଅର୍ଥ ଉଠାଣ ପାଇଁ ନିୟମିତ ବ୍ୟବଧାନରେ ଅନ୍ୟ ବ୍ୟାଙ୍କକୁ ପଠାଇବ । ଏହି ପ୍ରକ୍ରିୟା ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ପ୍ରତିଟି ଚେକ୍ ପାଇଁ ସମ୍ବନ୍ଧୀୟ ବ୍ୟାଙ୍କକୁ ସୂଚନା ଦେବାକୁ ପଡ଼ିବ ।
ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଗୁଡ଼ିକ ସନ୍ଧ୍ୟା ୭ଟା ଭିତରେ ଆସିଥିବା ଚେକ୍ରୁ ଉଠାଣ ନେଇ ନିଶ୍ଚିତ କରିବେ । ନିଶ୍ଚିତ ନ କଲେ ତାହାକୁ ସେଟେଲମେଣ୍ଟ ପାଇଁ ଅନୁମୋଦନ କରି ଦିଆଯିବ । ଦ୍ଵିତୀୟ ପର୍ଯ୍ୟାୟରେ ଏହି ସମୟ ସୀମାକୁ ଆହୁରି ହ୍ରାସ କରି T+3 ଅର୍ଥାତ୍ ୩ ଘଣ୍ଟା ରଖାଯିବ ।
ଦିନ ୧୦ଟା କିମ୍ବା ୧୧ଟା ସୁଦ୍ଧା ମିଳିଥିବା ଚେକ୍ରୁ ଉଠାଣ ନେଇ ସମ୍ବନ୍ଧିତ ବ୍ୟାଙ୍କ ଦିନ ୨ଟା ସୁଦ୍ଧା ନିଶ୍ଚିତ କରିବେ । ଅନ୍ୟଥା ଦିନ ୨ଟା ପରେ ଉକ୍ତ ଚେକ୍କୁ ସେଟେଲମେଣ୍ଟ ପାଇଁ ଯୋଗ୍ୟ ବିବେଚିତ କରାଯିବ । ଚେକ୍ କ୍ଲିଅରାନ୍ସକୁ ନେଇ ନୂଆ ନିୟମ ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା ଲାଗି ବ୍ୟାଙ୍କଗୁଡ଼ିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି ।