Salary Hike / EPFO,ESI ମାସିକ ଦରମା ୩୦ ହଜାରକୁ ବଢ଼ିବ !

Key Points
EPFO ଓ ESI ପାଇଁ ବେତନ ସୀମା ୩୦ ହଜାରକୁ ବଢ଼ିପାରେ, କୋଟି କୋଟି କର୍ମଚାରୀ ଲାଭାନ୍ବିତ
ବଡ଼ ଖବର: EPFO–ESI ଦରମା ସୀମା ୩୦ ହଜାର କରିବାକୁ କେନ୍ଦ୍ର ସରକାରର ବିଚାର
ଦରମା ସୀମା ବୃଦ୍ଧିର ପ୍ରସ୍ତାବ: EPFO ଓ ESI ଅଧୀନରେ ଆସିବେ ଅଧିକ କର୍ମଚାରୀ
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଓ କର୍ମଚାରୀ ରାଜ୍ୟ ବୀମା ନିଗମ (ESI) ଲାଗି ମାସିକ ଦରମା ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ବିଚାର କରୁଛନ୍ତି । ଦରମା ବଢ଼ାଇବାକୁ ବହୁଦିନରୁ ଶ୍ରମିକ ସଂଗଠନଗୁଡ଼ିକ ଦାବି କରିଆସୁଥିଲେ ।
ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ହସ୍ତକ୍ଷେପ କରି ସରକାରଙ୍କୁ ପ୍ରସ୍ତାବ ଉପରେ ବିଚାର କରିବାକୁ କହିଥିଲେ । EPFOର ମାସିକ ବେତନ ସୀମା ୧୫ ହଜାର ଟଙ୍କା ଓ ଇଏସ୍ଆଇସି ପାଇଁ ୨୧ ହଜାର ଟଙ୍କା ରହିଛି । ଉଭୟ ସଂସ୍ଥା ପାଇଁ ଏହି ସୀମାକୁ ବଢ଼ାଇ ୨୫ହଜାର ଟଙ୍କା କିମ୍ବା ୩୦ହଜାର ଟଙ୍କା କରିବା ଉପରେ ସରକାର ବିଚାର କରୁଛନ୍ତି । ସର୍ବନିମ୍ନ ମଜୁରିରେ ହୋଇଥିବା ବୃଦ୍ଧି, ମୁଦ୍ରାସ୍ଫୀତିର ପ୍ରଭାବ ପାଇଁ ବେତନ ସୀମା ସଂଶୋଧନ ଜରୁରୀ ହୋଇପଡ଼ିଛି । ଏହା ଘଟିଲେ ବହୁବର୍ଷ ଧରି ପୂର୍ଣ୍ଣ ସାମାଜିକ ସୁରକ୍ଷା ପାଇବାରୁ ବଞ୍ଚିତ ଥିବା ଘରୋଇ କ୍ଷେତ୍ରର କୋଟି କୋଟି କର୍ମଚାରୀମାନେ ଉପକୃତ ହେବେ।
EPFOରେ ବର୍ତ୍ତମାନ ୮.୫ କୋଟି ସଦସ୍ୟ ଥିବା ବେଳେ ଇଏସ୍ଆଇସିରେ ବୀମାଭୁକ୍ତ ଥିବା କର୍ମଚାରୀ ସଂଖ୍ୟା ୩.୨୫ କୋଟି ରହିଛି । ଇଏସ୍ଆଇସିରେ ପରିବାର ସଦସ୍ୟଙ୍କୁ ମଧ୍ୟ ବୀମାଭୁକ୍ତ କରାଯାଇଛି । ତେଣୁ ଏହି ସଂସ୍ଥାର ମୋଟ୍ ବୀମାଭୁକ୍ତ ହିତାଧିକାରୀ ସଂଖ୍ୟା ୧୪ କୋଟିରୁ ଅଧିକ ରହିଛି । ଏଠାରେ ଦରମା ସୀମା ତାହାକୁ ବୁଝାଉଛି ଯାହା ଉପରେ ସଦସ୍ୟଙ୍କ ମାସିକ ଦରମାରୁ ଯୋଗଦାନ ରାଶି ସଂଗ୍ରହ କରାଯାଉଛି ।
ଜଣେ କର୍ମଚାରୀଙ୍କ ଦରମା ଯେତେ ହୋଇଥାଉ ନା କାହିଁକି, EPF ଯୋଗଦାନ ରାଶି କଟିବା ବେଳେ ତାଙ୍କ ଦରମାକୁ ଏବେ ମାସିକ ୧୫ ହଜାର ଟଙ୍କା ହିଁ ବିଚାର କରାଯାଉଛି । ସେହି ସୀମା ୩୦ ହଜାର ହେଲେ ତାଙ୍କ ଦରମାରୁ ଦୁଇଗୁଣା ଅଧିକ ରାଶି କଟିବ । ଫଳରେ ତାଙ୍କ ଅବସରକାଳୀନ ପାଣ୍ଠିରେ ବଡ଼ ଧରଣର ବୃଦ୍ଧି ହୋଇପାରିବ । କିନ୍ତୁ ତାହାର ବିପରୀତ ଦିଗଟି ହେଉଛି ଲୋକଙ୍କ ହାତକୁ ପ୍ରତି ମାସରେ ଆସୁଥିବା ଦରମାର ପରିମାଣ କମିଯିବ।
ଶେଷ ଥର ପାଇଁ ୨୦୧୪ରେ EPFO ସଦସ୍ୟଙ୍କ ବେତନ ସୀମାକୁ ସଂଶୋଧନ କରାଯାଇଥିଲା । ସଂପ୍ରତି ଉଭୟ ବେତନଭୋଗୀ ଓ ନିଯୁକ୍ତିଦାତାଙ୍କ ତରଫରୁ କର୍ମଚାରୀଙ୍କ ମାସିକ ମୂଳ ବେତନ ଓ ମହଙ୍ଗା ଭତ୍ତାର ୧୨ ପ୍ରତିଶତକୁ ଯୋଗଦାନ ରାଶି ଭାବେ ଖାତାରେ ଜମା କରାଯାଉଛି। କର୍ମଚାରୀଙ୍କ ଯୋଗଦାନ ରାଶିର ୮.୩୩ ପ୍ରତିଶତକୁ କର୍ମଚାରୀ ପେନ୍ସନ୍ ସ୍କିମ୍ ଖାତାରେ ଜମା କରାଯାଉଥିବା ବେଳେ ଅବଶିଷ୍ଟ ୩.୬୭ ପ୍ରତିଶତ ରାଶିକୁ ଭବିଷ୍ୟନିଧି ପାଣ୍ଠି ଖାତାରେ ଜମା କରାଯାଉଛି।
ମଜୁରି ଓ ମୁଦ୍ରାସ୍ଫୀତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାରୁ ସର୍ବନିମ୍ନ ଦରମା ସୀମାକୁ ବଢ଼ାଇବା ଲାଗି ୪ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପ୍ରଚଳନରେ ଥିବା ଧାରା ମୁଦ୍ରାସ୍ଫୀତି, ବାସ୍ତବ ମଜୁରୀ, ମୁଣ୍ଡପିଛା ଆୟରେ ବୃଦ୍ଧି ଓ ଅର୍ଥନୈତିକ ବାସ୍ତବତା ବିଚାରକୁ ନେଉଥିବା ଜଣେ ଆବେଦନକାରୀ କୋର୍ଟଙ୍କୁ କହିଥିଲେ। ସଂସଦୀୟ କମିଟି ରିପୋର୍ଟ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ନିଷ୍ପତ୍ତି ନିଆଯାଉଥିବା ସେ କୋର୍ଟଙ୍କୁ କହିଥିଲେ।
ଇଏସ୍ଆଇସି ପକ୍ଷରୁ ୨୦୧୭ରେ ସର୍ବନିମ୍ନ ବେତନ ସୀମାକୁ ମାସିକ ୧୫ହଜାର ଟଙ୍କାରୁ ବଢ଼ାଇ ୨୧ ହଜାର ଟଙ୍କା କରାଯାଇଥିଲା। ତେବେ କାରଖାନା ଓ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ମାସିକ ଦରମା ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଇପିଏଫ୍ଓରେ ଯୋଡ଼ିହେବା ଇଚ୍ଛାଧୀନ ଥିବା ବେଳେ ଇଏସ୍ଆଇସି କିନ୍ତୁ ବାଧ୍ୟତାମୂଳକ ରହିଛି।
📱 Get Argus News App
✨Related Topics
Explore more stories