Xiaomiକୁ ଲିଗାଲ୍ ନୋଟିସ୍ ପଠାଇଲେ Apple ଓ Samsung

Key Points
ଭାରତୀୟ ମୋବାଇଲ୍ ବଜାରରେ ସାଓମି (Xiaomi) ସହ ଆପଲ୍ (Apple) ଓ ସାମସଙ୍ଗ (Samsung)ର ଦବଦବା ବଳବତ୍ତର ଥିବାବେଳେ ମୁହାଁମୁହିଁ ହୋଇଛନ୍ତି ୩ କମ୍ପାନୀ ।
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବଜାରରେ ଝଡ଼ । ମୁହାଁମୁହିଁ ୩ ପ୍ରତିଦ୍ଵନ୍ଦ୍ଵୀ । ଭାରତୀୟ ମୋବାଇଲ୍ ବଜାରରେ ସାଓମି (Xiaomi) ସହ ଆପଲ୍ (Apple) ଓ ସାମସଙ୍ଗ (Samsung)ର ଦବଦବା ବଳବତ୍ତର ଥିବାବେଳେ ମୁହାଁମୁହିଁ ହୋଇଛନ୍ତି ୩ କମ୍ପାନୀ । ବିଜ୍ଞାପନକୁ ନେଇ ଚାଇନିଜ୍ ସ୍ମାର୍ଟଫୋନ୍ ସାଓମିକୁ ଆଇନଗତ ନୋଟିସ୍ ପଠାଇଛନ୍ତି ସାମସଙ୍ଗ ଓ ଆପଲ୍ ।
ସୂଚନା ଅନୁସାରେ, ଉଭୟ ଆପଲ୍ ଓ ସାମସଙ୍ଗ ପକ୍ଷରୁ ସାଓମିକୁ ଲିଗାଲ୍ ନୋଟିସ୍ ପଠାଯାଇଛି । ସାଓମି ପକ୍ଷରୁ ଜାରି ବିଜ୍ଞାପନକୁ ବନ୍ଦ କରିବାକୁ କୁହାଯାଇଛି । ଏହି ଘଟଣା ବାବଦରେ ଅବଗତ ଜଣେ ଅଧିକାରୀ କହିଛନ୍ତି, ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀର ସାମଗ୍ରୀର ବୈଶିଷ୍ଟ୍ୟ ସହ ନିଜ ସାମଗ୍ରୀର ବୈଶିଷ୍ଟ୍ୟର ତୁଳନା ଠିକ୍ ଅଛି । କିନ୍ତୁ, ଏହା ମାନେ ନୁହେଁ ଯେ ଆପଣ ସିଧାସଳଖ କୌଣସି ପ୍ରତିଦ୍ଵନ୍ଦ୍ଵୀଙ୍କ ନାଁ ନେବେ । ତେବେ ଏହି ଘଟଣାରେ ସାଓମି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
ବିଜ୍ଞାପନକୁ ନେଇ ଏ ବିବାଦ ଆରମ୍ଭ ହୋଇଥିଲା ୨୦୨୫ ଏପ୍ରିଲ୍ରେ । ସେତେବେଳେ କେତକ ଖବରକାଗଜରେ ସାଓମି ପକ୍ଷରୁ ଗୋଟିଏ ପୃଷ୍ଠା ବିଜ୍ଞାପନ ଦିଆଯାଇଥିଲା । ଯେଉଁଥିରେ ଆପଲ୍ର ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସକୁ ଏପ୍ରିଲ୍ ଫୁଲ୍ ଡେରେ ବିଜ୍ଞାପନରେ ଦେଇଥିଲା ସାଓମି । ଦାବି କରିଥିଲା, କମ୍ପାନୀର ୧୫ ଅଲଟ୍ରା ସହ ଆପଲ୍ର କ୍ୟାମେରା ମେଳା ଖାଉ ନାହିଁ ।
ତା'ପୂର୍ବରୁ ମାର୍ଚ୍ଚରେ ସାଓମି ୧୫ ସିରିଜକୁ ନେଇ ଆଉ ଏକ ବିଜ୍ଞାପନ ଦେଇଥିଲା । ଯେଉଁଥିରେ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ କ୍ୟାମେରାକୁ କିଉଟ୍ କହିଥିଲା ସମାଓମି । ଏଥିସହ ସାଓମି ୧୫ ସିରିଜର ଫଟୋଗ୍ରାଫି ବୈଶିଷ୍ଟ୍ୟକୁ ଦର୍ଶାଇଥିଲା । ସମାନ ଭାବେ ସାମସଙ୍ଗ ଫୋନ୍ ସହ ସାଓମି ୧୫ ସିରିଜର ତୁଳନା କରିଥିଲା ।
📱 Get Argus News App
✨
ତେବେ ସାଓମିର ଏଭଳି ତୁଳନାକୁ ଆପଲ୍ ଓ ସାମସଙ୍ଗ ଚ୍ୟାଲେଞ୍ଜ କରିଛନ୍ତି । ସାଓମି ଏଭଳି କରିବା ଦ୍ଵାରା ସେମାନଙ୍କ ପ୍ରିମିୟମ୍ ବ୍ରାଣ୍ଡ ଛବି ଖରାପ ହୋଇଥିବା କହିଛନ୍ତି ଆପଲ୍ ଓ ସାମସଙ୍ଗ । ବିଶେଷକରି ଭାରତରେ ସାମସଙ୍ଗ ଓ ଆପଲ୍ ଦାମୀ ପ୍ରିମିୟମ୍ ବ୍ରାଣ୍ଡ ହୋଇଥିବା ବେଳେ ସାଓମି ବଜେଟ୍ ଫ୍ରେଣ୍ଡଲି ।
ତଥ୍ୟ ଅନୁସାରେ, ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୨୦୨୫ ଦ୍ଵିତୀୟ ତ୍ରୈମାସିକରେ ସାମସଙ୍ଗର ଅଂଶ ୧୪.୫ ପ୍ରତିଶତ ରହିଥିବା ବେଳେ ସାଓମି ୯.୬ ପ୍ରତିଶତ ଓ ଆପଲ୍ ୭.୫ ପ୍ରତିଶତ ବଜାର କବ୍ଜା କରିଛନ୍ତି । ତା'ଛଡ଼ା ଭାରତରେ ଆଇଫୋନ୍ ଉତ୍ପାଦନ ପରେ ଭାରତୀୟ ବଜାରରେ ଆଇଫୋନ୍ର ଗ୍ରହଣୀୟତା ଆହୁରି ବୃଦ୍ଧି ପାଇଛି ।