ଦିନେ ଖାତାରେ ନ ଥିଲା ଟଙ୍କାଏ, ଏବେ ୧୬ ଅରବ ଡଲାର କମ୍ପାନୀର ମାଲିକ

କୁହାଯାଏ ଅନେକ ଅସଫଳ ପ୍ରୟାସ ସଫଳତାର ବାଟ ଖୋଲି ଦିଏ । ଆଉ ଶୂନରୁ ସଂଘର୍ଷର ସିଡ଼ି ଚଢ଼ି ସଫଳତା ପାଇବା ହୁଏ ତ ଅନେକ କମ ଲୋକଙ୍କ ଭାଗ୍ୟରେ ଥାଏ । ଏମିତି ଏକ କାହାଣୀ ହେଉଛି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ସ୍ଵିଗି ମାଲିକ ଶ୍ରୀହର୍ଷ ମଜେଟିଙ୍କର । ଶୂନରୁ ସଂଘର୍ଷର ସିଡ଼ି ଚଢ଼ି ଆଜି ସ୍ଵିଗି ପାଇଛି ଅନେକ ସଫଳତା । ଦିନେ ଖାତାରେ ଟଙ୍କାଟିଏ ନ ଥିବା ଶ୍ରୀହର୍ଷ ଏବେ ୧୬ ଅରବ ଡଲାର କମ୍ପାନୀ ସ୍ଵିଗିର ମାଲିକ ।
ପ୍ରାୟ ୧୧ ବର୍ଷ ତଳେ ଶ୍ରୀହର୍ଷ ମଜେଟି ଆରମ୍ଭ କରିଥିଲେ ଫୁଡ୍ ଡେଲିଭରି ଆପ୍ ସ୍ଵିଗି । ଯଦିଓ ଆରମ୍ଭ ଏତେଟା ସହଜ ନଥିଲା, ସବୁ ଅସମ୍ଭବକୁ ସମ୍ଭବ କରିଥିଲା ତାଙ୍କ ସଂଘର୍ଷ । ଶ୍ରୀହର୍ଷଙ୍କ ପ୍ରଥମ ଷ୍ଟାର୍ଟଅପ୍ ବିଫଳ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ବେଳେ ହାର୍ ମାନି ନଥିଲେ ସେ... ଆଉ ସେତେବେଳେ ସେ ଯେଉଁ ପରିକଳ୍ପନା କଲେ ତାହା ଥିଲା ସମସ୍ତଙ୍କ ଭାବନାର ବାହାରେ...
ଆନ୍ଧ୍ର ପ୍ରଦେଶର ଏକ ଡାକ୍ତର ପରିବାରେ ଶ୍ରୀହର୍ଷଙ୍କ ଜନ୍ମ । ପିତା ରେଷ୍ଟୁରାଣ୍ଟ ଚଳାନ୍ତି, ମାଆ ଡାକ୍ତର । ବାପାଙ୍କ ରେଷ୍ଟୁରାଣ୍ଟ ଥିବାରୁ ଶ୍ରୀହର୍ଷ ପାଖେ ଖାଇବା-ପିଇବା ବ୍ୟବସାୟର ଅନୁଭବ ପିଲାଟି ଦିନରୁ ଥିଲା । ଆଉ ଏହି ଅନୁଭବ ହିଁ ତାଙ୍କୁ ପ୍ରେରଣା ଦେଇଥିଲା ବ୍ୟବସାୟ ପାଇଁ । ଆଉ ଏଥିପାଇଁ ସେ କୋଲକାତା ଆଇଆଇଏମ୍ରେ ମ୍ୟାନେଜମେଣ୍ଟରେ ଡିଗ୍ରୀ କରିଥିଲେ ।
ପଢ଼ା ସରିବା ପରେ କେଉଁଠି ଚାକିରି କରି ନଥିଲେ ଶ୍ରୀହର୍ଷ । ଚାକିରି ପରିବର୍ତ୍ତେ ସେ ବୁଲିବା ପାଇଁ ବାହାରି ପଡ଼ିଥିଲେ । କର୍ପୋରେଟ୍ ଦୁନିଆରେ ପାଦ ଥାପିବା ପୂର୍ବରୁ ବାହାରି ପଡ଼ିଥିଲେ ଦୁନିଆ ଦେଖିବାକୁ । ସାଇକେଲ୍ରେ ଆରମ୍ଭ କରିଥିଲେ ଯାତ୍ରା । ୟୁରୋପରୁ ଏକ ରୋମାଞ୍ଚକର ଯାତ୍ରା ଆରମ୍ଭ କରି ପର୍ତ୍ତୁଗାଲରୁ ଗ୍ରୀକ୍ ପର୍ଯ୍ୟନ୍ତ ୩୫୦୦ କିଲୋମିଟର ପଥ ଅତିକ୍ରମ କରିଥିଲେ ସାଇକେଲ୍ ଯୋଗେ ।
📱 Get Argus News App
✨
ଆଉ ଏକାଧିକ ଦେଶ ବୁଲିବା ପରେ ଭାରତ ଫେରି ଆରମ୍ଭ କରିଥିଲେ ନିଜର ପ୍ରଥମ କୋରିୟର କମ୍ପାନୀ 'ବୁନ୍ଦି' । ତେବେ ଶ୍ରୀହର୍ଷଙ୍କ ପ୍ରଥମ ବ୍ୟବସାୟ 'ବୁନ୍ଦି' ବିଫଳ ହୋଇଥିଲା । ହେଲେ ହାର୍ ମାନି ନଥିଲେ ଶ୍ରୀହର୍ଷ, ସେ ତାଙ୍କ ସାଙ୍ଗ ନନ୍ଦନ ରେଡ୍ଡୀଙ୍କ ସହ ୨୦୧୪ରେ ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ସ୍ଵିଗିର ଆରମ୍ଭ କରିଥିଲେ ।
ଯାହାର ଉଦ୍ଦେଶ୍ୟ ଥିଲା କୌଣସି ହୋଟେଲ୍ ନ ଯାଇ ଫୋନ୍ରେ ଖାଦ୍ୟ ମଗାଇବା ।
ଆଉ ଏହାର ଆରମ୍ଭ ହୋଇଥିଲା ୨୦୧୪ ଅଗଷ୍ଟ ୬ରେ । ପ୍ରଥମ ଦିନ ଗୋଟିଏ ବି ଅର୍ଡର ଆସି ନଥିଲା । ଦ୍ଵିତୀୟ ଦିନ ସ୍ଵିଗିକୁ ଗୋଟିଏ ଅର୍ଡର ମିଳିଥିଲା । ଆଉ ସମୟ ସହ ତାଳ ଦେଇ ଆଗକୁ ବଢ଼ିଥିଲା ସ୍ଵିଗି । ବ୍ୟବସାୟ ବଢ଼ିବା ସହ ରେଷ୍ଟୁରାଣ୍ଟ ଓ ଗ୍ରାହକ ବଢ଼ିଥିଲେ । ଆଉ ଏବେ ଶ୍ରୀହର୍ଷ ଓ ସ୍ଵିଗି ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି ।