Cyber Crime / ବର୍ଷକରେ ସାରା ଦେଶରୁ ଲୁଟିନେଲେ ୧୯ ହଜାର କୋଟି

Key Points
ଛାତି ଥରାଉଛନ୍ତି ସାଇବର ସୈତାନ!
ବର୍ଷକରେ ଭୁବନେଶ୍ୱରରୁ ଯାଇଛି ୫୮ କୋଟି
ସାରା ଦେଶରୁ ୧୯ ହଜାର କୋଟି ଟଙ୍କାର ଠକେଇ
ଚିନ୍ତା ବଢ଼ାଇଲାଣି ସାଇବର କୋର୍ଡ଼ିନେସନ ସେଣ୍ଟର ଡାଟା
ବର୍ଷକରେ ଭୁବନେଶ୍ୱରରୁ ୫୮ କୋଟି ଟଙ୍କାର ସାଇବର ଠକେଇ । ରୁଜୁ ହୋଇଛି ୨୫୧ ଟି ମାମଲା । ମୁଣ୍ଡବିନ୍ଧା ପାଲଟିଲାଣି ସାଇବର ଠକଙ୍କ କାରସାଦି । ସେପଟେ ୨୨ କୋଟି ଟଙ୍କା ଫ୍ରିଜ ସହ ଫେରାଇଛି ସାଇବର ଥାନା । ୬୧ ଜଣ ଅଭିଯୁକ୍ତ ଗିରଫ । ଶତଚେଷ୍ଟା ପରେ ମଧ୍ୟ ସୁଧୁରୁନି ସ୍ଥିତି ।
କୁହାଯାଏ ଯେ ରାଜଧାନୀ ଭୁବନେଶ୍ଵରରେ ସମ୍ଭ୍ରାନ୍ତ ଓ ଶିକ୍ଷିତ ଲୋକ ବସବାସ କରନ୍ତି । କିନ୍ତୁ ଏହି ଚାଲାକ ଲୋକଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ । ୨୦୨୫ ମସିହାରେ ଭୁବନେଶ୍ୱର ସାଇବର ଥାନାରେ ୨୫୧ ଟି ମାମଲା ରୁଜୁ ହେବା ସହ ୫୭ କୋଟି ୫୮ ଲକ୍ଷ ଟଙ୍କା ଠକେଇ ହେଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ, ମାନବସମ୍ବଳ ବୃଦ୍ଧି, ଫୋରନସିକ ସାଇନ୍ସର ବ୍ୟବହାର ଓ ଆଇଟି ଏକ୍ସପର୍ଟ ଙ୍କ ସୁପରିଚାଳନା ଯୋଗୁଁ ୨୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଫେରସ୍ତ ଓ ଫ୍ରିଜ ହୋଇଛି । ମାମଲାରେ ୬୧ ଜଣଙ୍କୁ ଗିରଫ କରାଯାଇଛି । ମ୍ୟୁଲ ଆକାଉଣ୍ଟ, ଫେକ ସୀମ ଜରିଆରେ ଠକେଇ ବୃଦ୍ଧି ପାଉଛି ।
ସାଇବର କ୍ରାଇମ କୋଡ଼ିନେସନ ସେଣ୍ଟରର ତଥ୍ୟ ମଧ୍ୟ ଉଭୟ ସାଧାରଣ ଲୋକ ଓ ତଦନ୍ତକାରୀ ସଂସ୍ଥା ପାଇଁ ଚ୍ୟଲେଞ୍ଜ ଆଣି ଦେଇଛି । ୨୦୨୫ରେ ସାରା ଦେଶରେ ୧୯ ହଜାର ୮ ଶହ ୧୨ କୋଟି ଟଙ୍କାର ଠକେଇ ହୋଇଛି । ଏଣୁ ଏବେ ନିଜେ ସଚେତନ ହେବାର ସମୟ ଆସିଛି । ଘଟଣା ଘଟିବାର ୩ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରରେ ତୁରନ୍ତ କଲ କରିବାକୁ ପରାମର୍ଶ ଦିଆଯାଇଛି । ମୋବାଇଲ ହଜିଲେ ନିର୍ଦ୍ଧିଷ୍ଟ ୱେବସାଇଟ ଜରିଆରେ ଅଭିଯୋଗ କରିପାରିବେ । ଏହାବାଦ ମଧ୍ୟ ସଂଚାର ସାଥି ୱେବସାଇଟରେ ସେହି ସମୟରେ ଅଭିଯୋଗ କଲେ ପୋଲିସ ସାଇବର ଠକଙ୍କୁ ଧରିବାରେ ସମର୍ଥ ହୋଇପାରିବ । ଫିଜିକାଲ କ୍ରାଇମ ଠାରୁ ବର୍ତ୍ତମାନ ସାଇବର କ୍ରାଇମ ବଢିବାରେ ଲାଗିଛି । ଡିଜିଟାଲ ଯୁଗରେ ବିନା ହତିଆରରେ ଅପରାଧ ଘଟାଉଥିବା ଅଦୃଶ୍ୟ ଠକ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ।
📱 Get Argus News App
✨Related Topics
Explore more stories