ମାଲିକ ଟଙ୍କାରେ ମଦ ପିଇଲେ, ଚାକିରି ନଦେବାରୁ ଛୁରୀ ଭୁସି ମାରିଦେଲେ

Key Points
ହାଇଦ୍ରାବାଦର ଜଣେ ୪୫ ବର୍ଷୀୟ ରିୟଲ ଇଷ୍ଟେଟ ବିଜନେସମ୍ୟାନ ଶ୍ରୀକାନ୍ତ ରେଡ୍ଡୀଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରିଛନ୍ତି ତାଙ୍କର ପୂର୍ବତନ କର୍ମଚାରୀ ଧନରାଜ ।
ମାଲିକଠାରୁ ଟଙ୍କା ମାଗିନେଇ ମଦ ପିଇଲେ, ପୁଣି ମାଲିକକୁ ଛୁରୀ ଭୁସି ମାରିଦେଲେ । ଏପରି ଅଭାବନୀୟ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ମାଲିକଙ୍କୁ ସର୍ବସାଧାରଣ ସ୍ଥାନରେ ଛୁରୀ ଭୁସି ହତ୍ୟା କରିବା ପରେ ଏବେ ଚାରିଆଡେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ହାଇଦ୍ରାବାଦର ଜଣେ ୪୫ ବର୍ଷୀୟ ରିୟଲ ଇଷ୍ଟେଟ ବିଜନେସମ୍ୟାନ ଶ୍ରୀକାନ୍ତ ରେଡ୍ଡୀଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରିଛନ୍ତି ତାଙ୍କର ପୂର୍ବତନ କର୍ମଚାରୀ ଧନରାଜ । ସୂଚନା ମୁତାବକ ଧନରାଜ ପୂର୍ବରୁ ଶ୍ରୀକାନ୍ତଙ୍କ ପାଖରେ କାମ କରୁଥିଲେ । ଆଉ ପ୍ରତିଦିନ ମଦ ପିଇ ଅଫିସ ଆସୁଥିଲେ । ଯାହାଦ୍ଵାରା ଶ୍ରୀକାନ୍ତଙ୍କ କାମରେ ଅନେକ ବାଧା ସୃଷ୍ଟି ହେଉଥିଲା । ତାଙ୍କର ବ୍ୟବହାର ମଧ୍ୟ ଆଦୌ ଗ୍ରହଣୀୟ ନଥିଲା । ସେଥିପାଇଁ ଧନରାଜଙ୍କୁ ୨୦ ଦିନ ତଳେ ଚାକିରିରୁ କାଢି ଦେଇଥିଲେ ଶ୍ରୀକାନ୍ତ ।
ହେଲେ ଧନରାଜ ପୁଣି ବାରମ୍ବାର ଶ୍ରୀକାନ୍ତଙ୍କୁ ଚାକିରି ମାଗିବାକୁ ଆସୁଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ଧନରାଜ ତାଙ୍କର ଜଣେ ସାଙ୍ଗ ଡାନିଏଲଙ୍କ ସହ ଶ୍ରୀକାନ୍ତଙ୍କ ଅଫିସକୁ ଆସିଥିଲେ । ଆଉ ତାଙ୍କୁ ମଦ ପିଇବାକୁ ୧୨୦୦ ଟଙ୍କା ମାଗିଥିଲେ।
ମଦପିଇ ଆସିବା ପରେ ଶ୍ରୀକାନ୍ତଙ୍କୁ ପୁଣି ଚାକିରି ମାଗିଥିଲେ ଧନରାଜ । ହେଲେ ଶ୍ରୀକାନ୍ତ କହିଥିଲେ ମଙ୍ଗଳବାର ଆସିବା ପାଇଁ । କିନ୍ତୁ ଧନରାଜ ନିଜ ଜିଦ୍ ଧରି ଅଡି ବସିଥିଲେ । ନମାନିବାରୁ ଶ୍ରୀକାନ୍ତ ଅଫିସ ବନ୍ଦ କରିଯିବାକୁ ବାଧ୍ୟ ହୋଇଥିଲେ । ଆଉ ଏହାପରେ ଶ୍ରୀକାନ୍ତଙ୍କ ପିଛା କରି ଧନରାଜ ତାଙ୍କୁ ଅଫିସ ବାହାରେ ଛୁରୀରେ କରିଥିଲେ ଆକ୍ରମଣ । ଆଉ ତାଙ୍କୁ ହତ୍ୟା କରିବା ପରେ ସେଠାରୁ ଖସି ଚାଲି ଯାଇଥିଲେ ।
ଏହାପରେ କୁଶାଇଗୁଡ଼ା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ସ୍ଥାନାନ୍ତର କରିଛି । ଏହାପରେ ଧାରା 103(1) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ତଲାସ ଆରମ୍ଭ ହୋଇଛି ।