ଅଶୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Key Points
ପୂର୍ବତନ ଆଡଭୋକେଟ୍ ଜେନେରାଲଙ୍କ ନାଁରେ ବଡ଼ ଅଭିଯୋଗ
ପୁଣି ବିବାଦରେ ଅଶୋକ ପରିଜା
ବିଜେଡି ସରକାର ସମୟରେ ଏକର ଏକର ଜଙ୍ଗଲ ଜମିକୁ ନେଇଛନ୍ତି ନିଜ କବଜାକୁ
ଅଭିଯୋଗ ଉପରେ ମୋହର ମାରିଲା ଯାଞ୍ଚ କମିଟି
ଅଶୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
ପୁଣି ବିବାଦରେ ଫସିଛନ୍ତି ବିଜେଡି ସରକାରରେ କରିତକର୍ମା ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା । ଏଥର ଜଙ୍ଗଲ ଜମି ଜବରଦଖଲର ଓ ବେଆଇନ ନିର୍ମାଣର ବଡ଼ ଅଭିଯୋଗ । ଅଭିଯୋଗ ଆସିଛି ଯାଜପୁର ସୁକିନ୍ଦା ତହସିଲରୁ ।
ସାରାଂଶ ମୌଜାରେ ଥିବା 18 ଏକର ଝାଟି ଜଙ୍ଗଲ ଜମିକୁ ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଜବରଦଖଲ କରି ସେଠାରେ ନିର୍ମାଣ କରିଛନ୍ତି । ଅଭିଯୋଗ ପରେ ବନ ବିଭାଗର ଏକ ଟିମ୍ ଯାଞ୍ଚ କରି ଅଭିଯୋଗ ଉପରେ ମୋହର ବି ମାରିଛନ୍ତି ।
📱 Get Argus News App
✨ବନ ବିଭାଗର ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ରଖିଛନ୍ତି ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା । ଖାଲି ସେତିକି ନୁହେଁ ଜବରଦଖଲ ଜମି ଭିତରେ 310 ଫୁଟ ଦୈର୍ଘ୍ୟ ଏବଂ 65.7 ଫୁଟ୍ ପ୍ରସ୍ଥର ଏକ ଘର ବି ନିର୍ମାଣ ହୋଇଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।
ଏବେ ପ୍ରଶ୍ନ ଏକର ଏକର ଜଙ୍ଗଲ ଜମିକୁ କିଭଳି ନିଜ ଅକ୍ତିଆରକୁ ନେଲେ ଅଶୋକ ପରିଜା, ସେତେବେଳେ ଆଡଭୋକେଟ୍ ଜେନେରାଲ୍ ଥିଲେ ବୋଲି ଚୁପ୍ ଥିଲା କି ବନ ବିଭାଗ, ଆଡଭୋକେଟ୍ ଜେନେରାଲ୍ ହୋଇ କିଭଳି କରିଥିଲେ ବେଆଇନ କାମ। ଏନେଇ ଆଦିବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଅଶୋକ ପରିଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆଦିବାସୀ ନେତା ରଥିଆ ମୁଣ୍ଡା ।
ବିଜେଡି ସରକାରରେ ବିଭିନ୍ନ ସମୟରେ ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା। ଏବେ ବିଜେପି ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।