Court Room / 'ସାଙ୍ଗ କହି ଶାରୀରିକ ସମ୍ପର୍କ ରଖିବ, ସେମିତି ଚଳିବ ନାହିଁ'

Key Points
ଦିଲ୍ଲୀ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ରୁମରେ, ବିଚାରପତି ଅଭିଯୁକ୍ତଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା ଅଭିଯୁକ୍ତକୁ କହିଛନ୍ତି, 'କେବଳ ସାଙ୍ଗ ହୋଇଗଲେ ଦୁଷ୍କର୍ମ କରିବାର ଅଧିକାର ମିଳିଯାଏନି । ଏମିତି ସାଙ୍ଗ ବୋଲି ତାଙ୍କୁ ବାରମ୍ବାର ବନ୍ଦି କରି ରଖିବା କିମ୍ବା ନିର୍ଯାତନା ଦେବାର ଲାଇସେନ୍ସ ବି ମିଳେନି । ଅଭିଯୁକ୍ତ ଦାବି କରିଥିଲା ଯେ ସହମତିରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଏହି ମାମଲାର ଶୁଣାଣି ଅକ୍ଟୋବର ୧୭ ତାରିଖରେ ହୋଇଥିଲା।
୧୭ ବର୍ଷୀୟା ପୀଡିତା ପୋଲିସ ଏଫଆଇଆରରେ ଅନେକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, 'ଅଭିଯୁକ୍ତ ଗତ ତିନିରୁ ଚାରି ବର୍ଷ ଧରି ଆମ ପଡ଼ୋଶୀ ଭାବେ ରହି ଆସୁଥିଲା। ସେ ଇନଷ୍ଟାଗ୍ରାମ ଜରିଆରେ ମୋ ସହ ସାଙ୍ଗ ହୋଇଥିଲା । ଦିନେ ମୋତେ ଭେଟିବାକୁ ଡାକିଥିଲା । ତାପରେ ମୋତେ ତାର ଜଣେ ସାଙ୍ଗ ଘରକୁ ନେଇଯାଇଥିଲା । ସେଠାରେ ସେ ମୋ ସହ ଦୁଷ୍କର୍ମ କରିଥିଲା । ତା'ପରେ ମୋତେ ମାଡ଼ ମାରିଥିଲେ ଏବଂ ବନ୍ଦି କରି ରଖିଥିଲା । ଏକଥା କାହାକୁ କହିଲେ ମୋତେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା ।'
ଅଭିଯୁକ୍ତ ରଖିଛି ଯୁକ୍ତି
ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ପଞ୍ଜିକୃତ ମାମଲାରେ ଅଭିଯୁକ୍ତ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ, ଯେଉଁଥିରେ ବଳାତ୍କାର ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ଧାରା ୪ ଅନ୍ତର୍ଭୁକ୍ତ। ସେ କୋର୍ଟକୁ କହିଥିଲେ ଯେ ସେମାନେ ବନ୍ଧୁ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସହମତିରେ ହୋଇଥିଲା। ସେ ଆହୁରି କହିଛି ଯେ ଦୁଇ ପରିବାର ମଧ୍ୟରେ ଯେବେ ଝଗଡ଼ା ହେଲା, ତାପରେ ଏମିତି ଏଫ୍ଆଇଆର ଦିଆଯାଇଛି । ଘଟଣାର ୧୧ ଦିନ ପରେ ଅଭିଯୋଗ ଦାଖଲ କରାଯାଇଥିଲା। ଅନ୍ୟପଟେ ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସରକାରୀ ଓକିଲ ନରେଶ କୁମାର ଚହର କହିଛନ୍ତି ଯେ ସେ ଯାହା ବି ହେଉ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର।
କୋର୍ଟ ଅଭିଯୁକ୍ତର ଦାବିକୁ ଖାରଜ କରିଛନ୍ତି। ବିଚାରପତି କହିଛନ୍ତି ଯେ ବନ୍ଧୁତା ଦୁଷ୍କର୍ମ କରିବାର ଅଧିକାର ଦିଏ ନାହିଁ। ପୀଡିତାଙ୍କ ବୟାନ BNSSର ଧାରା ୧୮୩ ଅନୁଯାୟୀ ରେକର୍ଡ କରାଯାଇଥିଲା ଏବଂ ଡାକ୍ତରୀ ରିପୋର୍ଟ ମଧ୍ୟ ଶାରୀରିକ ସମ୍ପର୍କ ନେଇ ସ୍ପଷ୍ଟ କରିଥିଲା। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ପୀଡିତାଙ୍କୁ ଜଣେ ସାଙ୍ଗ ଘରେ ବନ୍ଦି କରି ରଖିଥିଲା ଏବଂ ତାଙ୍କୁ ମାଡ଼ ମାରିଥିଲା, ଯାହାକି ଏକ ଗମ୍ଭୀର ଅପରାଧ। ବିଚାରପତି କହିଛନ୍ତି ଯେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଏକ ଗମ୍ଭୀର ଅପରାଧ । ବନ୍ଧୁତାର ବାହାନା ଦେଲେ ଚଳିବ ନାହିଁ। କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ପୋଲିସକୁ ତଦନ୍ତ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
📱 Get Argus News App
✨Related Topics
Explore more stories