ଘରୋଇ ସହାୟକଙ୍କୁ ସାବଧାନ ! ହତ୍ୟା ପରେ ଘରେ ଗାଧୋଇଲେ, ରକ୍ତଭିଜା କପଡ଼ା ପକାଇ ପଳାଇଲେ

Key Points
କାଟିଲେ ତଣ୍ଟି, ଛାଡ଼ି ପଳାଇଲେ ଛୁରୀ ଓ କଇଁଚି । କଡ଼ା ସୁରକ୍ଷା ଭିତରେ ଆପାର୍ଟମେଣ୍ଟର ୧୩ ମହଲାରେ ବନ୍ଦ ଘରେ ଘଟିଛି ଅତ୍ୟନ୍ତ ଜଘନ୍ୟ ହତ୍ୟାକାଣ୍ଡ । ମାଲିକାଣୀଙ୍କୁ ପ୍ରେସର୍ କୁକରରେ ମାରିବା ପରେ ତଣ୍ଟିକୁ ଛୁରୀ ଓ କଇଁଚିରେ ବିଦାରି ପକାଇଛି ଅଭିଯୁକ୍ତ ଘରୋଇ ସହାୟକ ।
ହାଇଦ୍ରାବାଦ: ଆପାର୍ଟମେଣ୍ଟରେ ଆତଙ୍କ । ପ୍ରେସର୍ କୁକରରେ ହତ୍ୟା । କାଟିଲେ ତଣ୍ଟି, ଛାଡ଼ି ପଳାଇଲେ ଛୁରୀ ଓ କଇଁଚି । କଡ଼ା ସୁରକ୍ଷା ଭିତରେ ଆପାର୍ଟମେଣ୍ଟର ୧୩ ମହଲାରେ ବନ୍ଦ ଘରେ ଘଟିଛି ଅତ୍ୟନ୍ତ ଜଘନ୍ୟ ହତ୍ୟାକାଣ୍ଡ । ମାଲିକାଣୀଙ୍କୁ ପ୍ରେସର୍ କୁକରରେ ମାରିବା ପରେ ତଣ୍ଟିକୁ ଛୁରୀ ଓ କଇଁଚିରେ ବିଦାରି ପକାଇଛି ଅଭିଯୁକ୍ତ ଘରୋଇ ସହାୟକ । ଆଉ ସମସ୍ତଙ୍କ ନଜର ଏଡ଼ାଇବାକୁ ବାଥରୁମ୍ରେ ଗାଧୋଇବା ସହ ସେଇଠି ପକାଇ ଚାଲି ଯାଇଛି ରକ୍ତଭିଜା କପଡ଼ା ।
ଛାତିଥରାଇ ଦେଉଥିବା ଅପରାଧର ଏ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଆଇଟି ହବ୍ ହାଇଦ୍ରାବାଦରେ । ମହିଳା ଜଣଙ୍କୁ ଘରୋଇ ସହାୟକ ବୀଭତ୍ସ ଭାବେ ହତ୍ୟା କରିବା ପରେ ଖସି ପଳାଇଛି । ଆଉ ଏ ଘଟଣା ଏବେ ପୁରା ହାଇଦ୍ରାବାଦକୁ ଦୋହଲାଇ ଦେଇଛି । ଯାହାକି ଘରୋଇ ସହାୟକଙ୍କୁ ରଖିବା ନେଇ ଲୋକଙ୍କୁ ଯେତିକି ଚିନ୍ତାରେ ନ ପକାଇଛି ତା'ଠୁ ଅଧିକ ବ୍ୟତିବ୍ୟସ୍ତ କରୁଛି ପ୍ରେସର୍ କୁକରରେ ହତ୍ୟାର ନୂଆ ତରିକା ।
ପୋଲିସ ସୂଚନା ଅନୁସାରେ, ମୃତକ ହେଉଛନ୍ତି ୫୦ ବର୍ଷୀୟ ରେଣୁ ଅଗ୍ରୱାଲ । ସେ ତାଙ୍କ ପୁଅ ଓ ସ୍ଵାମୀଙ୍କ ସହ ସ୍ଵାନ୍ ଲେକ୍ ଆପାର୍ଟମେଣ୍ଟର ୧୩ତମ ମହଲାରେ ରୁହନ୍ତି । ସବୁଦିନ ଭଳି ବୁଧବାର ସକାଳ ୧୦ଟାରେ ରେଣୁଙ୍କ ସ୍ଵାମୀ ଓ ପୁଅ ଅଫିସ୍ ପଳାଇଥିଲେ । ଆଉ ସନ୍ଧ୍ୟା ୫ଟାରେ ରେଣୁଙ୍କୁ କଲ୍ କରନ୍ତି ସ୍ଵାମୀ । ହେଲେ ରେଣୁ ଫୋନ୍ ଉଠାନ୍ତି ନାହିଁ । ଆଉ ଏହା ପରେ ମିଷ୍ଟର ଅଗ୍ରୱାଲ୍ ଅଫିସ୍ ଛାଡ଼ି ଶୀଘ୍ର ଘରକୁ ପଳାଇ ଆସନ୍ତି ସ୍ତ୍ରୀକୁ ଦେଖିବା ଲାଗି ।
ଆଉ ଘରକୁ ଆସିବା ବେଳକୁ ଭିତର ପଟୁ କବାଟ ବନ୍ଦ ଥାଏ । ତେଣୁ ସେ ଜଣେ ପ୍ଲମ୍ବର ସହାୟତାରେ ବାଲକୋନି ଦେଇ ଘର ଭିତରକୁ ଯାଆନ୍ତି । ଆଉ ସେଠି ଯାହା ଦେଖନ୍ତି ତାଙ୍କ ପାଦ ତଳୁ ମାଟି ଖସିଯାଏ । ଘର ସାରା ରକ୍ତ, ସ୍ତ୍ରୀ ମୃତଦେହ ପାଖରେ ପ୍ରେସର୍ କୁକର ସହ ଛୁରୀ ଓ କଇଁଚି ପଡ଼ିଛି । ଆଉ ଲୁଟେରା ୪୦ ଗ୍ରାମ୍ ସୁନା ସହ ନଗଦ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ।
📱 Get Argus News App
✨
ଖାଲି ସେତିକି ନୁହେଁ ହତ୍ୟା ପରେ ଅଭିଯୁକ୍ତ ଘରେ ଗାଧୋଇବା ସହ କପଡ଼ା ବଦଳାଇଛି । ରକ୍ତ ଜୁଡ଼ୁବୁଡ଼ୁ କପଡ଼ାକୁ ସେହି ହତ୍ୟାକାଣ୍ଡ ସ୍ଥଳରେ ଛାଡ଼ି ପଳାଇଛି । ଏବେ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଘରୋଇ ସହାୟକଙ୍କ ସମ୍ପୃକ୍ତି
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହତ୍ୟାକାଣ୍ଡରେ ୨ ଜଣ ଘରୋଇ ସହାୟକ ସମ୍ପୃକ୍ତ । ଜଣେ ମୃତକ ରେଣୁ ଅଗ୍ରୱାଲଙ୍କ ଘରେ କାମ କରୁଥିବା ବେଳେ ଅନ୍ୟ ଜଣେ ୧୪ ମହଲାରେ କାମ କରନ୍ତି । ଆଉ ଉଭୟ ସନ୍ଧ୍ୟା ୫ଟା ୨ରେ ୧୩ ମହଲା ଆଡ଼କୁ ଯାଉଥିବା ସିସିଟିଭିରେ ରେକର୍ଡ ହୋଇଛି । ହତ୍ୟା ପରେ ଦୁହେଁ ରାଞ୍ଚି ଖସି ପଳାଇଥିବା ପୋଲିସ ସନ୍ଦେହ କରୁଛି ।
ରେଣୁଙ୍କ ଘରେ କାମ କରୁଥିବା ଘରୋଇ ସହାୟକ ଜଣଙ୍କ ନାଁ ହର୍ଷ, ଘର ଝାଡ଼ଖଣ୍ଡ । କୋଲକାତାର ଏକ ମାନବସମ୍ବଳ ଯୋଗାଣକାରୀ ସଂସ୍ଥା ତାଙ୍କୁ ୧୦ ଦିନ ତଳେ ରେଣୁଙ୍କ ଘରେ ରଖିଥିଲା । ଅନ୍ୟଜଣେ ରୌଷନ, ଯିଏକି ୧୪ତମ ମହଲାରେ କାମ କରନ୍ତି । ଉଭୟ ବାଇକ୍ ଯୋଗେ ପଳାଇଥିବା ବେଳେ ପୋଲିସ ହତ୍ୟା ମାମଲା ରୁଜୁ କରି ଫରେନସିକ୍ ଟିମ୍ ସହାୟତାରେ ଛାନଭିନ୍ କରୁଛି ।