Crime News / ପ୍ରେମ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀ... ଭଙ୍ଗାରୁଜା ସହ ଆତଙ୍କରାଜ

Key Points
ବୁଦ୍ଧବିହାରରେ ବୁଲିଲା ଖଣ୍ଡା
ଭଙ୍ଗାରୁଜା ସହ ଆତଙ୍କରାଜ
ଉଭୟ ଗୋଷ୍ଠୀର ୧୦ ଗିରଫ
ପ୍ରେମ ପାଇଁ ରଣକ୍ଷେତ୍ର ପାଲଟିଲା ରାଜଧାନୀ... ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଅଞ୍ଚଳରେ ଦୁଇ ଗ୍ୟାଙ୍ଗ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ । ସର୍ବସାଧାରଣ ରାସ୍ତାରେ ଖୋଲାଖୋଲି ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି ଅପରାଧୀ । ଏହି ଗ୍ୟାଙ୍ଗୱାର୍ରେ ଉଭୟ ପକ୍ଷରୁ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ୧୦ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
କୁମ୍ଭୀର ସହ ଯିଏ ମିଶିବ ତାକୁ ଗୋଡ଼ାଇ ଗୋଡ଼ାଇ ହାଣିବୁ... ଜୀବନରୁ ମାରିଦେବୁ... ଆମର କେହି କିଛି କରିପାରିବନି... ସେ ଝିଅ ଆମ ଭାଉଜ, ତାକୁ ଆଉ କିଏ ଦେଖିଲେ ହାଣିବୁ ।" ଏମିତି କିଛି ଫିଲ୍ମି ଶୈଳୀରେ ଧମକ ଚମକ ଦେଇ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସିକ ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ତ୍ରିକୋଣୀୟ ପ୍ରେମବ୍ୟାପାରକୁ କେନ୍ଦ୍ର କରି ଗୁରୁବାରଠାରୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଶୁକ୍ରବାର ରାତିରେ ନେଇଥିଲା ଉଗ୍ର ରୂପ ।
ପ୍ରତିଶୋଧ ନେବାକୁ ଗୋଟିଏ ଗୋଷ୍ଠୀର ଯୁବକମାନେ ରାଜଧାନୀ ଘଟାଇଛନ୍ତି ତୁମୁଳକାଣ୍ଡ । ସାମ୍ନାରେ ଯାହା ପଡ଼ିଲା, ତାକୁ ଖଣ୍ଡାରେ ଚୋଟ ମାରି ଚାଲିଲେ। ଅଟୋରିକ୍ସା, କାର୍, ବାଇକ୍ ସହ ଦୋକାନ ବଜାର ଭଙ୍ଗାରୁଜା କରି ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଲେ ।
ଘଟଣାଟି ଘଟିଥିଲା ଶୁକ୍ରବାର ରାତି ପ୍ରାୟ ସାଢେ ୯ଟାରେ । ହଠାତ୍ ବୁଦ୍ଧବିହାର ଭିତରକୁ ପଶି ଆସିଥିଲା ୫ରୁ ୬ଟି ବାଇକ୍ ଓ ସ୍କୁଟି। ସେଥିରେ ଥିଲେ ପ୍ରାୟ ୧୦ରୁ ୧୫ରୁ ଅଧିକ ମୁଖାପିନ୍ଧା ଯୁବକ, ଯାହାଙ୍କ ହାତରେ ଥିଲା ଖଣ୍ଡା ଓ ଭୁଜାଲି । 'କୁମ୍ଭୀର କୁଆଡ଼େ ଗଲା' ବୋଲି ଚିଲ୍ଲାଇ ସେମାନେ ଆକ୍ରମଣ ଆରମ୍ଭ କରିଥିଲେ । ସେତେବେଳେ ଦୋକାନରେ ଖଟି କରୁଥିବା ଯୁବକମାନେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ଶୁଭମ୍ ନାମକ ଜଣେ ଯୁବକ ଦୌଡ଼ିବା ବେଳେ ତଳେ ପଡ଼ିଯିବାରୁ ଆକ୍ରମଣକାରୀମାନେ ତାଙ୍କ ଉପରେ ଝାମ୍ପି ପଡ଼ିଥିଲେ । ଏପରିକି ଚନ୍ଦନ ନାୟକ ନାମକ ଆଉ ଜଣେ ଯୁବକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।
ଗୁରୁବାର ଅପରାହ୍ନରୁ ହିଁ ଆରମ୍ଭ ହୋଇସାରିଥିଲା ସଂଘର୍ଷ । ପ୍ରେମ ବ୍ୟାପାରକୁ ନେଇ ପ୍ରାୟ ୨୦ରୁ ଅଧିକ ଯୁବକ ମୁହାଁମୁହିଁ ହୋଇ ଟେକାପଥର ମାଡ଼ କରିଥିଲେ । ସେତେବେଳେ ପୋଲିସ ଉଭୟ ପକ୍ଷକୁ ଡକାଇ ଆପୋଷ ବୁଝାମଣା କରି ଛାଡ଼ି ଦେଇଥିଲା, ଯାହା ପୋଲିସର ବଡ଼ ଭୁଲ୍ ସାବ୍ୟସ୍ତ ହେଲା ।
ଶୁକ୍ରବାର ରକ୍ତାକ୍ତ ଆକ୍ରମଣ ପରେ ତତ୍ପର ହୋଇଉଠିଛି ଚନ୍ଦ୍ରଶେଖରପୁର ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଚଢ଼ାଉ କରି ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ମୁଖ୍ୟ ଉତ୍ତମ ମେକପ ବୋଲି ଜଣାପଡ଼ିଛି । ପୂର୍ବରୁ କୁମ୍ଭୀର ନାମକ ଅପରାଧୀକୁ ଗିରଫ କରାଯାଇଥିବା ବେଳେ ଏବେ ଉତ୍ତମ ଓ ତାର ଗ୍ୟାଙ୍ଗକୁ ବାନ୍ଧିଛି ପୋଲିସ ।
ରାଜଧାନୀ ଭୁବନେଶ୍ୱରରେ ଏବେ ଅପରାଧୀଙ୍କ ଦବଦବା ବଢ଼ିବାରେ ଲାଗିଛି । ସର୍ବସାଧାରଣ ରାସ୍ତାରେ ଖୋଲାଖୋଲି ଖଣ୍ଡା ବୁଲାଇବା, ଗ୍ୟାଙ୍ଗୱାର୍ ଏବଂ ସାଧାରଣ ଲୋକଙ୍କୁ ଭୟଭୀତ କରିବା ଭଳି ଘଟଣା ପୋଲିସର ପାରିବାପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
📱 Get Argus News App
✨Related Topics
Explore more stories
