ଯୌତୁକ ଜୁଇରେ ଲିଭିଗଲା ଆଉ ଗୋଟିଏ ବୋହୂର ଜୀବନଦୀପ

ପୁଣି ଜଳିଲା ଯୌତୁକ ଜୁଇ । ଯୌତୁକ ଓ ପାରିବାରିକ କଳହ ପାଇଁ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ l ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ବଡଗୋରଡା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ରଞିତା ପରିଡା । ଯୌତୁକ ପାଇଁ ରଞ୍ଜିତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଗତ ୨୦୧୧ ମସିହାରେ ଶରଣକୁଳ ଥାନା ଆଙ୍କୁଲାଇପାଟଣା ଗ୍ରାମର ଗଦାଧର ପ୍ରଧାନଙ୍କ ଝିଅ ରଞ୍ଜିତା ବଡଗୋରଡା ଗ୍ରାମର ତ୍ରିନାଥ ବରାଡଙ୍କ ପୁଅ ତୋଫାନଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୧୩ ବର୍ଷର ଝିଅ ଏବଂ ୯ ବର୍ଷର ପୁଅ ରହିଛନ୍ତି । ଯୌତୁକଙ୍କ ପାଇଁ ତୋଫାନ ବିଭିନ୍ନ ସମୟରେ ରଞ୍ଜିତାଙ୍କୁ ମାଡ ମାରୁଥିଲେ । ରଞ୍ଜିତା ମାଡଖାଇ ବାପ ଘରକୁ ଆସିଲା ପରେ ତୋଫାନଙ୍କ ପରିବାର ଲୋକେ ବୁଝାସୁଝା କରି ପୁଣି ଫେରାଇ ନେଉଥିଲେ । ତୋଫାନ ଗତକାଲି ସନ୍ଧ୍ୟାରେ ରଞ୍ଜିତାଙ୍କୁ ପ୍ରବଳ ମାଡମାରିବା ପରେ ରଞ୍ଜିତା କାନ୍ଦି କାନ୍ଦି ଭାଇଙ୍କୁ ଫୋନ କରି ଜଣାଇଥିଲେ ।
📱 Get Argus News App
✨ଆଜି ସକାଳୁ ତୋଫାନ ତାଙ୍କ ବାପା, ମା' ଏବଂ ମାମୁଁ ମିଶି ରଞ୍ଜିତାଙ୍କୁ ମାଡ ମାରି, ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ରଞ୍ଜିତାଙ୍କ ଭାଇ ଏବଂ ବାପା ଖବର ପାଇ ବଡଗୋରଡା ଯାଇ ରଞ୍ଜିତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି । ଶରଣକୂଳ ପୋଲିସ ଅଭିଯୋଗ ପାଇବା ପରେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ତୋଫାନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି ।