Crime / ବିବାହର ୨ ମାସ ପରେ ଭୟଙ୍କର ଅନ୍ତ: ପତ୍ନୀକୁ ଗୁଳି କରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ

Key Points
ବିବାହର ୨ ମାସ ପରେ ଭୟଙ୍କର ଅନ୍ତ: ପତ୍ନୀକୁ ଗୁଳି କରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ ।
ଗୁଜରାଟର ଅହମଦାବାଦ ସ୍ଥିତ ନିଜ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ମାତ୍ର ୨ ମାସ ତଳେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ଏବେ ଏତେ ବଡ଼ ଘଟଣା ଘଟି ଯାଇଛି । ପତ୍ନୀଙ୍କୁ ମାରି ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଯଶରାଜସିଂହ ଗୋହିଲ ।
ଯଶରାଜସିଂହ ଗୋହିଲ ଜଣେ କ୍ଲାସ ୱାନ ଅଫିସର । ଗୁଜରାଟର ମାରିଟାଇମ ବୋର୍ଡରେ କାର୍ଯ୍ୟ କରୁଥିଲେ ଯଶରାଜ। ତାଙ୍କ ପତ୍ନୀ ହେଉଛନ୍ତି ରାଜେଶ୍ୱରୀ ଗୋହିଲ। ବୁଧବାର ରାତିରେ କୌଣସି କାରଣରୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟୁତୁଣ୍ଡ ହୋଇଥିଲା । ଏହାପରେ ଯଶରାଜ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବାହାର କରି ସିଧା ରାଜେଶ୍ୱରୀଙ୍କ ଉପରକୁ ଗୁଳି ଚଳାଇଥିଲେ।
ଗୁଳି ମାରିବା ପରେ ଯଶରାଜ ତୁରନ୍ତ ୧୦୮ ଜରୁରୀ ସେବାକୁ ଫୋନ କରି ଡାକିଥିଲେ। ସେମାନେ ରାଜେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ପୋଲିସ୍ କହିଛି ଯେ ଜରୁରୀ ସେବାର କର୍ମଚାରୀମାନେ ଫ୍ଲାଟରୁ ଯିବା ପରେ ଯଶରାଜ ଆଉ ଗୋଟିଏ ରୁମକୁ ଯାଇଥିଲେ । ସମାନ ବନ୍ଧୁକରେ ସେ ନିଜକୁ ମଧ୍ୟ ଗୁଳି କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଯଶରାଜ ହେଉଛନ୍ତି ଗୁଜରାଟ କଂଗ୍ରେସର ପୂର୍ବତନ ମୁଖିଆ ତଥା ରାଜ୍ୟସଭା ସାଂସଦ ଶକ୍ତିସିଂହ ଗୋହିଲଙ୍କ ପୁତୁରା। ଗୋହିଲ ପରିବାରରେ ଏତେ ବଡ଼ ଘଟଣାରେ ସମସ୍ତେ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି। କିନ୍ତୁ କାହିଁକି ୨ ମାସ ତଳେ ବାହା ହୋଇଥିବା ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ସେକଥା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ପରିବାର ଏହି ଖବରରେ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି। ସେ କହିଛନ୍ତି, “ପୂରା ପରିବାର ଏବେ ସ୍ତବ୍ଧ। ଏହା ପରିବାର ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମୟ। ମୁଁ ବ୍ୟକ୍ତିଗତ ଭାବେ ଯଶରାଜଙ୍କୁ ଜାଣିଥିଲି। ସେ ବହୁତ ଖୁସି ଓ ଭାଗ୍ୟବାନ ପିଲା। ନିକଟରେ ସେ ମାରିଟାଇମ ବୋର୍ଡ ପରୀକ୍ଷାରେ ପାସ ହୋଇଥିଲେ ଓ ଜଣେ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ।
ସେ ୟୁପିଏସସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। ଦମ୍ପତି ବେଶ ଖୁସିଥିଲେ ଓ ବିଦେଶ ବୁଲିବା ପାଇଁ ଯୋଜନା କରୁଥିଲେ। ବନ୍ଧୁକରେ ଖେଳିବା ଯଶରାଜଙ୍କ ଗୋଟିଏ ଅଭ୍ୟାସ। ସେ ଭୁଲବଶତଃ ଗୁଳି ଚଳାଇ ଦେଇଥିଲେ ଓ ଏହା ତାଙ୍କ ପତ୍ନୀଙ୍କ ଦେହରେ ମାଡ଼ ହୋଇଥିଲା।
ସେ ତୁରନ୍ତ ୧୦୮କୁ ଡାକିଥିଲେ। ୧୦୮ ଟିମ ଘରେ ପହଞ୍ଚି ଯାଞ୍ଚ କଲା ବେଳକୁ ରାଜେଶ୍ୱରୀଙ୍କ ମୃତ୍ୟୁ ହୋଇସାରିଥିଲା। ଟିମ ପକ୍ଷରୁ ରାଜେଶ୍ୱରୀଙ୍କ ମୃତ୍ୟୁ ଖବର ପାଇ ଯଶରାଜ ପୂରା ହତବାକ ହୋଇ ଯାଇଥିଲେ। ଏହାପରେ ସେ ସମାନ ବନ୍ଧୁକରେ ନିଜକୁ ମଧ୍ୟ ଗୁଳି ଚଳାଇଥିଲେ।”
📱 Get Argus News App
✨Related Topics
Explore more stories