ସୈଫଙ୍କୁ ଆକ୍ରମଣ ଘଟଣାରେ ଯୁବକଙ୍କୁ ବାନ୍ଧିଲା ପୋଲିସ, ୬ ଥର ଭୁସିଥିଲା ଛୁରି

ଅର୍ଗସ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାର ଅଜ୍ଞାତ ଅଭିଯୁକ୍ତକୁ ଧରିଛି ମୁମ୍ବାଇ ପୋଲିସ । ଜଣେ ଯୁବକଙ୍କୁ ପୋଲିସ ହେପାଜତକୁ ନେବା ସହ ବାନ୍ଦ୍ରା ଥାନାକୁ ଆଣି ପଚରାଉଚରା କରୁଛି । ପୋଲିସ ଅନୁସାରେ, ଧରା ପଡ଼ିଥିବା ଯୁବକ ଜଣଙ୍କ ସୈଫଙ୍କ ଘରେ ପଶି ତାଙ୍କୁ ଛୁରିରେ ୬ ଥର ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲେ ।
ବୁଧବାର ରାତି ପ୍ରାୟ ୨ଟା ବେଳେ ସୈଫଙ୍କୁ ଛୁରାମାଡ଼ ହୋଇଥିଲା । ଛୁରାମାଡ଼ ପରେ ମୁମ୍ବାଇର ଲୀଳାବତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ସୈଫ । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ଆଇସିୟୁରେ ଅଛନ୍ତି ।
📱 Get Argus News App
✨ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୃତ୍ତ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ମେଡ୍ ସହ ଯୁକ୍ତିତର୍କ କରୁଥିଲା । ସେହି ସମୟରେ ସୈଫ ଆସିବାରୁ ସେ ଛୁରାମାଡ଼ କରିଥିଲା । ଗୁରୁବାର ସୈଫଙ୍କ ସର୍ଜରୀ ପରେ ଚିକିତ୍ସା କରୁଥିବା ଡାକ୍ତର ନୀତିନ ଡଙ୍ଗେ କହିଥିଲେ, ସୈଫ ଅଲ୍ଲୀ ଖାନଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମେରୁଦଣ୍ଡରେ ଲାଗି ରହିଥିବା ଅଢ଼େଇ ଇଞ୍ଚ୍ର ଛୁରିକୁ ଅପରେସନ୍ ପରେ କଢ଼ା ଯାଇଛି । ବାମ ହାତ ଓ ବେକରେ ବି ଗଭୀର ଆଘାତ ଲାଗିଛି । ବେକରେ ଲାଗିଥିବା ଆଘାତର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ଏବେ ସୈଫ ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦ ମୁକ୍ତ ଅଛନ୍ତି ।
ସୈଫଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଧରିବା ଲାଗି ମୁମ୍ବାଇ ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା । ଶେଷଥର ପାଇଁ ଆକ୍ରମଣକାରୀକୁ ବାନ୍ଦ୍ରା ରେଲୱେ ଷ୍ଟେସନର ସିସିଟିଭିରେ ଦେଖା ଯାଇଥିଲା । ଆଉ ଉକ୍ତ ସିସିଟିଭିକୁ ଆଧାର କରି ପୋଲିସ ଆକ୍ରମଣକାରୀକୁ ଧରିଛି । ତେବେ ଆକ୍ରମଣକାରୀର ପରିଚୟ ପୋଲିସ ପ୍ରଦାନ କରି ନଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଆକ୍ରମଣ କଲା ସେ ନେଇ ପଚରାଉଚରା ଚାଲିଛି ।