Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଦୀର୍ଘ ୪୨ ବର୍ଷ କୋମାରେ ଥିଲେ ନର୍ସ, ଜାଣନ୍ତୁ ଅରୁଣାଙ୍କ ଯନ୍ତ୍ରଣାର ପୁରା କାହାଣୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·4 min read
ଦୀର୍ଘ ୪୨ ବର୍ଷ କୋମାରେ ଥିଲେ ନର୍ସ, ଜାଣନ୍ତୁ ଅରୁଣାଙ୍କ ଯନ୍ତ୍ରଣାର ପୁରା କାହାଣୀ...

ରାତି ସେତେବେଳକୁ ୯ ଟା ଖଣ୍ଡେ ହେବ, ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ୍ ହସ୍ପିଟାଲ (କେଇଏମ)ରୁ ଶୁଭେ ଭୟର ଆର୍ତ୍ତଚିତ୍କାର । ଛଟପଟ ହୋଇ ଆକୁଳ ନିବେଦନ କରୁଥାନ୍ତି ଜଣେ ମହିଳା। ମହିଳାଙ୍କ ବିକଳ ଡାକ ଭାଙ୍ଗି ଦେଉ ଥାଏ ରାତିର ନିରବତାକୁ। କିଏ ସେ ? କ'ଣ ହେଇଛି ? ଏକଥା ପଚାରିବାକୁ କେହି ନଥାନ୍ତି ତାଙ୍କ ପାଖରେ। କେବଳ ନିଜ କାନ ଶୁଣୁଥାଏ ନିଜ ଡାକ, ଆଉ ଆଖି ଦେଖୁଥାଏ କାମୁକର ରାକ୍ଷଶ ରୂପ। ତାପରେ ଆଉ ଜୁ ପାଏନି ଜୁଝିବାକୁ ତା ସହ। .....ସମସ୍ତଙ୍କ ନଜର ଆଢୁଆଳରେ ବନ୍ଦ କୋଠରୀରେ ଘଟିଯାଏ ଏମିତି ଏକ ଘଟଣା, ଯାହାର କଷ୍ଟ ଭୋଗିବାକୁ ପଡେ ୪୨ ବର୍ଷ ।

ଦୋଷୀ ନିର୍ଦ୍ଦୋଷ ପାଲଟିଯାଏ ଆଉ ନିର୍ଦ୍ଦୋଷ ଭୋଗେ ଯମ ଯନ୍ତ୍ରଣା । ବର୍ଷବର୍ଷ କାଳ ନା ଦେହରୁ ଯାଏ କ୍ଷତର ଦରଜ, ନା ମନରୁ ପୋଛି ହୁଏ ସେ ବିଭତ୍ସ ରାତିର ଲୋମଟାଙ୍କୁରା ଘଟଣା। ନିସ୍ତେଜ ଶରୀର , ଅବିଚଳିତ ମନ କାଳ ରାତିର ସେ କଳଙ୍କକୁ ଛାତିରେ ଚାପିଧରି ମେଡିକାଲ ବେଡରେ ଚାରିଦଶନ୍ଧି କରେ ସଂଘର୍ଷ। ଶେଷରେ ୪୨ ବର୍ଷ ଜୀବନ ମରଣ ସଂଗ୍ରାମରେ ପଡେ ଯବନିକା। ଆଖି ବୁଝନ୍ତି ଅରୁଣା।
ବିବାହରେ ବାନ୍ଧି ହେବାକୁ ଆଉ ମାତ୍ର ଗୋଟେ ମାସ ବାକି ଥିଲା, ପ୍ରସ୍ତୁତି ବି ଆରମ୍ଭ ହୋଇ ସାରିଥିଲା । ସବୁ ଝିଅଙ୍କ ପରି ସେ ବି ନିଜ ଶାଶୂ ଘରକୁ ନେଇ ଦେଖୁଥିଲେ ସୁନେଲି ସ୍ବପ୍ନ। ହେଲେ ସେଦିନର ସେ ଅଶୁଭ ରାତି ବଦଳାଇ ଦେଇଥିଲା ତାଙ୍କ ଜୀବନର ସବୁ ଶୁଭ ମୁହୂର୍ତ୍ତ।

ସତରେ, ଜୀବନର ରାସ୍ତା କେଉଁ ମୁହୂର୍ତ୍ତରେ କେଉଁ ମୋଡ ନେବ ତାହା କେହି ଜାଣିନାହାନ୍ତି । ଏ ଘଟଣା ଏମିତି ଏକ ଘଟଣା, ଯାହାକୁ ଶୁଣିଲେ ଆଖିରୁ ଆପେଆପେ ଆସିଯାଏ ଅଶ୍ରୁ। ଛାତିରେ କୋହ ଗୁଡା କୁରୁଳି ଉଠନ୍ତି ଲୁହ ହେଇ ଗଡିବାକୁ।
ଆଜି ଅପରାଧର ପର୍ଦ୍ଦାଫାଶରେ ଆମେ ଜାଣିବା ଅରୁଣା ସାନ୍‌ବାଗ୍‌ଙ୍କ ଯନ୍ତ୍ରଣାର କାହାଣୀ । କିଏ ଓ କାହିଁକି ତାଙ୍କୁ ଏପରି କଷ୍ଟ ଦେଲେ ।

କୋଲକାତାର ଆରଜି ମେଡିକାଲ କଲେଜର ସେହି ବିଭତ୍ସ ଘଟଣାଠାରୁ ବି ବେଶ ଭୟଙ୍କର ଅରୁଣା ସାନବାଗ୍‌ଙ୍କ କାହାଣୀ । ଜଣେ ନିର୍ଯ୍ୟାତନା ସହିବା ପରେ ଆରପାରିକୁ ଚାଲିଗଲା ଆଉ ଜଣେ ୪୨ ବର୍ଷର ଯନ୍ତ୍ରଣା ଭୋଗିଲା । ଅରୁଣା ସାନ୍‌ବାଗ୍ । କର୍ଣ୍ଣାଟକ ହଲଦିପୁରର ବାସିନ୍ଦା ଅଟନ୍ତି । ଲୋକଙ୍କ ସେବା କରିବାର ଇଚ୍ଛା ନେଇ ୧୯୬୭ରେ ନର୍ସ ହେବାପାଇଁ ମୁମ୍ବାଇ ସହରକୁ ଆସିଥିଲେ । ଆଉ ମୁମ୍ବାଇର ଏକ ପ୍ରତିଷ୍ଠିତ ହସ୍ପିଟାଲ କିଙ୍ଗ୍ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ସେ ନର୍ସ ଭାବେ ଯୋଗ ଦେଇଥିଲେ । ଆଉ ସେ ଭିତରେ ତାଙ୍କର ଏକ ଡାକ୍ତର ବନ୍ଧୁଙ୍କ ସମ୍ପର୍କ ମଧ୍ୟ ଯୋଡି ହୋଇ ବିବାହରେ ପରିଣତ ହେବାକୁ ଯାଉଥିଲା । ଧିରେଧିରେ ନିଜ ସ୍ଵପ୍ନର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଥିଲେ ଅରୁଣା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ।

୨୭ ନଭେମ୍ବର ୧୯୭୩ । ରାତି ମାଡି ଆସୁଥାଏ । ଅରୁଣା ପହଞ୍ଚନ୍ତି ହସ୍ପିଟାଲରେ । ଡ୍ୟୁଟି ସମୟ ଆରମ୍ଭ ହୋଇ ଯାଇଥିବାରୁ ସେ ୟୁନିଫର୍ମ ପିନ୍ଧିବା ପାଇଁ ବେସମେଣ୍ଟର ଚେଞ୍ଜିଂ ରୁମକୁ ଯାଇଥିଲା । କିନ୍ତୁ ସେହି ଅନ୍ଧାର ରୁମ ଭିତରେ ତାଙ୍କ ଜୀବନ ବର୍‌ବାଦ୍ କରିବା ପାଇଁ ଜଣେ ରାକ୍ଷସ ଲୁଚି ବସିଥିଲା । ସେ ଥିଲା ସେହି ହସ୍ପିଟାଲର ସଫେଇ କର୍ମଚାରୀ ସୋହନଲାଲ୍ ଭର୍ତ୍ତା ୱାଲ୍ମିକି । ସୋହନଲାଲ ଥିଲା ଅରୁଣାଙ୍କ ଅପେକ୍ଷାରେ । ସୁଯୋଗ ମିଳିବା ମାତ୍ରେ ପଛପଟୁ କୁକୁର ବନ୍ଧା ଚେନ୍‌ରେ ଅରୁଣାଙ୍କ ଗଳାକୁ ଖୁବ ଜୋରରେ ଦବାଇବାକୁ ଚେଷ୍ଟା କରିଥିଲା । ଏତେ ଜୋରରେ ଦବାଇଥିଲେ ଯେ ତାଙ୍କ ବ୍ରେନ୍‌କୁ ଅକ୍ସିଜେନ ଯିବା ବନ୍ଦ ହୋଇ ଯାଇଥିଲା । ଆଉ ସେ ବେହୋସ୍‌ ହୋଇ ପଡିଥିଲେ । ଆଉ ଏହାର ସୁଯୋଗ ନେଇ ସୋହନଲାଲ ତାଙ୍କୁ ଦୁଷ୍କର୍ମ କରିବିକୁ ଚେଷ୍ଟା କରିଥିଲେ । ଆଉ ବିଫଳ ହେବାରୁ ସେ ଆହୁରି ଜୋରସେ ତାଙ୍କ ବେକରେ ଚେନ ଦବାଇବାକୁ ଚେଷ୍ଟା କରିଥିଲେ । ଆଉ ସେଠାରେ ତାଙ୍କୁ ସେହି ବେହୋସ୍ ଅବସ୍ଥାରେ ଛାଡି ଚାଲି ଯାଇଥିଲେ ।ପରଦିନ ସକାଳ ୮ରେ ହିଁ ତାଙ୍କୁ ଡାକ୍ତର ବେହୋସ୍‌ ଅବସ୍ଥାରେ ସେଠାରେ ପାଇଥିଲେ । ଏହାପରେ ତାଙ୍କର ଚିକିତ୍ସା ସିନା ହୋଇଥିଲା, କିନ୍ତୁ କୋମାକୁ ପଳେଇଥିଲେ ଅରୁଣା । ଘଟଣାକୁ ସମ୍ପୁର୍ଣ୍ଣ ବର୍ଣ୍ଣନା କରିବାର ସକ୍ଷମ ତାଙ୍କ ପାଖରେ ନଥିଲା ।

ସେହି କେଇଏମ ହସ୍ପିଟାଲରେ ହିଁ ତାଙ୍କର ଚିକିତ୍ସା ହୋଇଥିଲା । କେଇଏମର ସମସ୍ତ ଡାକ୍ତର ଏବଂ ନର୍ସଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭର କରିଥିଲେ ଅରୁଣା । ଦୁଇମାସ ପରେ ସେ କୋମାରୁ ସିନା ବାହାରିଥିଲେ, ହେଲେ ଦେଖିବା ଏବଂ କଥା କହିବାକୁ ସେ ଅସମର୍ଥ ଥିଲେ ।
ସେପଟେ ଘଟଣାର କିଛିଦିନ ପରେ ଅରୁଣାଙ୍କ ଦୁଷ୍କର୍ମକାରୀ ସୋହନଲାଲଙ୍କ ପାଖରୁ ଅରୁଣାଙ୍କ ସୁନା ଚେନ୍ ଏବଂ ହାତଘଣ୍ଟା ମିଳିଥିଲା । ଏହି ଆଧାରରେ ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଗିରଫର ଏକବର୍ଷ ପରେ ମୁମ୍ବାଇ କୋର୍ଟ ସୋହନଲାଲକୁ ଆଇପିସି ଧାରା ୩୦୭ ଏବଂ ୩୯୭ ଅନୁସାରେ ହତ୍ୟାର ପାଇଁ ଚେଷ୍ଟା ଏବଂ ଜିନିଷ ଚୋରି କାରଣରୁ ୭ ବର୍ଷର ଜେଲଦଣ୍ଡ ଶୁଣାଯାଇଥିଲା । ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୌଣସି ଦଣ୍ଡ ଦିଆଯାଇନଥିଲା । ନଚେତ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାନ୍ତା । କାରଣ କୌଣସି ମେଡିକାଲ କାଗଜପତ୍ରରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା କଥା ଲେଖା ହୋଇନଥିଲା । ମାତ୍ର ୭ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଏହି ନୃଶଂସ ଜଣକ ଜେଲରୁ ଆସି ନିଜ ପରିବାର ସହ ନିଜର ସାଧାରଣ ଜୀବନ ବିତେଇଥିଲା ।

କିନ୍ତୁ ଦୀର୍ଘ ୪୨ବର୍ଷ ଧରି ବେଡରେ ପଡି ରହି ଯନ୍ତ୍ରଣା ଭୋଗିଥିଲେ ଅରୁଣା । ବାରମ୍ବାର ତାଙ୍କର ଇଚ୍ଛାମୃତ୍ୟୁ ପାଇଁ କୋର୍ଟରେ ଅପିଲ କରାଯାଇଥିଲା । କାରଣ ତାଙ୍କର କଷ୍ଟ ଦେଖିବା ହୃଦୟ ବିଦାରକ ଥିଲା । ଯାହାକୁ ଭେଜିଟେଟିଭ୍ ଷ୍ଟେଟ୍ ବୋଲି କୁହାଯାଏ ।ଏହି ଷ୍ଟେଟ୍‌ରେ ମଣିଷର ମୁଣ୍ଡ କୋମା ଭଳି ସ୍ଥିତିରେ ଥାଏ । କିନ୍ତୁ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ପାଇଁ ମନା କରି ଦେଇଥିଲେ । ବିନା ଦୋଷରେ ଯମଯନ୍ତ୍ରଣା ଭୋଗିଥିଲେ ଅରୁଣା । ଆଉ ଶେଷରେ ୧୮ ମେ ୨୦୧୫ରେ ନିମୋନିଆରେ ପଡି ରହି ଅରୁଣାଙ୍କର ମୃତ୍ୟୁ ହୋଇଥିଲା ।
କେତେବେଳେ କେଉଁ ମୋଡରେ କାହା ଜୀବନରେ ପରିବର୍ତ୍ତନ ଆସେ, ତାହା କେହି ଜାଣିନାହାନ୍ତି । କିଏ ଦୋଷ କରି ଖୁଲମଖୁଲ୍ଲା ବୁଲିପାରେ ଆଉ ଦୋଷ ନକରି କିଏ ନର୍କ ଭଳି ଯନ୍ତ୍ରଣା ଭୋଗେ । ଆଉ ଆମ ସମ୍ବିଧାନର ନିୟମ ଏମିତି ଏଇଠି ସବୁ ପ୍ରମାଣ ଥାଇ ବି ଦୋଷୀକୁ ଦଣ୍ଡ ଦେବାକୁ ବର୍ଷ ବର୍ଷ ବିତିଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nurse who was in a coma for 42 years, know the full story of Aruna's suffering | Argus News