Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ବିଗୁଡ଼ୁଛି KIIT ସ୍ଥିତି ! ଆନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହେଲାଣି ଚର୍ଚ୍ଚା...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିଗୁଡ଼ୁଛି KIIT ସ୍ଥିତି ! ଆନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହେଲାଣି ଚର୍ଚ୍ଚା...

କିଟ୍ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ପ୍ରଥମେ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଗଲା। ପରେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା, ଧମକ ଚମକ ଦେଇ କ୍ୟାମ୍ପସରୁ ବିଦା କରିଦିଆଗଲା।

ପୂରା ମାମଲାରେ ବିବାଦ ଘେରକୁ ଆସିଛି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ମାନବାଧିକାର ଉଲ୍ଲଂଘନ ଭଳି ସାଂଘାତିକ ଅଭିଯୋଗ ହୋଇଛି। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଭାରତ ବଦନାମ ହୋଇଛି। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ନିଆଯାଇନାହିଁ କୌଣସି ଆକ୍ସନ।

ୟା ଭିତରେ ଭାଇରାଲ୍ ହେବାରେ ଲାଗିଛି ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରୁଥିବାର ଭିଡିଓ। ପୁଣି ସାମ୍ନାକୁ ଆସିଛି ବିଶ୍ୱବିଦ୍ୟାଳୟ ଗାର୍ଲସ୍ ହଷ୍ଟେଲ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ଛାତ୍ରମାନଙ୍କୁ ଧମକ ଦେଉଥିବାର ଭିଡିଓ।

ପୂରା ମାମଲାରେ ବିବାଦ ଘେରରେ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ଏବେ ବଡ଼ ପ୍ରଶ୍ନ। ଏଯାଏଁ କାହିଁକି ଚୁପ୍ ରହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ? ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବାକୁ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଦ୍ଦେଶ ଦେଇଥିଲା କିଏ ? କାହିଁକି ଧମକ ଦେଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବିଦା କରିଦିଆଗଲା ? ଏଯାଏଁ ପୋଲିସ ତଦନ୍ତ ସରିନାହିଁ, ଛାତ୍ରୀଙ୍କ ମୃତ୍ୟୁକୁ କାହିଁକି ଦିଆଗଲା ଆତ୍ମହତ୍ୟାର ରୂପ ? ଘଟଣା ନେଇ ଖୋଦ୍ ନେପାଳର ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ କାହିଁକି ଏଯାଏଁ ଚୁପ୍ ରହିଛନ୍ତି କିଟ୍ କର୍ତ୍ତୃପକ୍ଷ ?

ଘଟଣା ଅନୁସାରେ ଗତ ରବିବାର ସଂଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଟେକ୍ ପଢୁଥିବା ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରିବର୍ତ୍ତେ ସିକ୍ୟୁରିଟି ଗାର୍ଡ ଲଗାଇ ସେମାନଙ୍କୁ ମାଡ଼ ମରାଯାଇଥିଲା। ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦିଆଯାଇଥିଲା। ଗାର୍ଲସ୍ ହଷ୍ଟେଲ୍ ଓ ଷ୍ଟୁଡେଣ୍ଟ ଆଫାୟାର୍ସ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ହଷ୍ଟେଲରେ ନେପାଳୀ ଛାତ୍ରମାନଙ୍କୁ ଧମକ ଦେଉଥିବା ଏବଂ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦେଉଥିବାର ଭିଡିଓ ଭାଇରାଲ୍ ହେଉଛି।

ଏହାକୁ ନେଇ ସାରା ଦେଶ ସମେତ ନେପାଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ପ୍ରଥମେ ନେପାଳୀ ଶିକ୍ଷାର୍ଥୀଙ୍କୁ ବିଦା କରି ଦେଇଥିବା କିଟ କର୍ତ୍ତୃପକ୍ଷ ଏବେ ନିଜ ସ୍ୱର ବଦଳାଇଛନ୍ତି। ସନ୍ଧ୍ୟା ସମୟରେ କିଟ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଜାରି କରି ନେପାଳୀ ଶିକ୍ଷାର୍ଥୀ ଚାହିଁଲେ କ୍ୟାମ୍ପସ ମଧ୍ୟରେ ରହିପାରିବେ ବୋଲି କହିଛନ୍ତି।

ସେପଟେ ଏହି ଘଟଣାରେ ଆସିଛି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ନେପାଳ ସହ ଭାରତ ଓ ଓଡ଼ିଶାର ସମ୍ପର୍କ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭଲ ରହିଛି । କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ଦୁଃଖଦାୟକ । ଗୃହ ବିଭାଗ ତ୍ବରିତ ପଦକ୍ଷେପ ନେବା ସହ ପୋଲିସ ଜଣକୁ ଗିରଫ କରିଛି । ମୃତକଙ୍କ ମୋବାଇଲ ଫୋନ୍ ଓ ଲାପଟପ୍ ସିଜ୍ ହୋଇଛି । ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ତା'ପରେ ସେମାନଙ୍କୁ କ୍ୟାମ୍ପସରୁ ବିଦା କରି ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ସାଇନ୍ - ଏ - ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ୍ - ଏ - ଡାଏ ଉଠାଯାଇଛି । ମାମଲା ନେଇ ବିଶ୍ୱବିଦ୍ୟାଳୟ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି । ଶିକ୍ଷାନୁଷ୍ଠାନରୁ ଯେପରି ଆଗକୁ ସେମାନଙ୍କୁ ଧମକ ନ ମିଳୁ, ସରକାର ଏ ନେଇ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tension in Odisha’s KIIT university after Nepali student death; incident triggers diplomatic crisis | Argus News