ଗଣେଶ ଭସାଣରେ ଆତଙ୍କବାଦୀ ଆକ୍ରମଣ ଧମକ, ନୋଏଡାରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Key Points
ମୁମ୍ବାଇ ପୋଲିସ ହ୍ଵାଟ୍ସଆପ୍କୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ମେସେଜ୍ କରିଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସର ସୂଚନା ଆଧାରରେ ଉତ୍ତରପ୍ରଦେଶ ନୋଏଡାରୁ ଗିରଫ କରାଯାଇଛି ।
ମୁମ୍ବାଇ: ଗଜାନନଙ୍କ ବିସର୍ଜନର ଠିକ୍ ପୂର୍ବରୁ ବଡ଼ ଧମକ । ମୁମ୍ବାଇ ପୋଲିସ ହ୍ଵାଟ୍ସଆପ୍କୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ମେସେଜ୍ କରିଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସର ସୂଚନା ଆଧାରରେ ଉତ୍ତରପ୍ରଦେଶ ନୋଏଡାରୁ ଗିରଫ କରାଯାଇଛି । ହ୍ଵାଟ୍ସଆପ୍ ମେସେଜରେ ୪୦୦ କିଲୋ RDX ନେଇ ମୁମ୍ବାଇରେ ୧୪ ଜଣ ଆତଙ୍କବାଦୀ ପଶିଥିବା ଏବଂ ବଡ଼ ବିସ୍ଫୋରଣ କରିବାର ଧମକ ଦେଇଥିଲା ।
ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ପଠାଇ ଗିରଫ ହୋଇଛନ୍ତି ଅଶ୍ଵିନୀ । ଗିରଫ ପରେ ଅଶ୍ଵିନୀକୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି ନୋଏଡା ପୋଲିସ । ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ହାଇଆଲର୍ଟରେ ରହିଥିବା ବେଳେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଆଉ ଟ୍ରେସିଂ ପରେ ମୁମ୍ବାଇ ପୋଲିସ ନୋଏଡା ପୋଲିସକୁ ଖବର ଦେଇଥିଲା ।
ଆଉ ନୋଏଡାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା । ମୁମ୍ବାଇରେ ଗଜାନନଙ୍କ ବିସର୍ଜନକୁ ନେଇ ପ୍ରସ୍ତୁତି ସରିଥିବା ବେଳେ ଆତଙ୍କବାଦୀ ପଶି ଆସିବା ଓ ବିସ୍ଫୋରଣ ନେଇ ଆସିଥିଲା ଧମକ । ଯାହାକୁ ନେଇ ସରକାର ଠାରୁ ପୋଲିସ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ ।
📱 Get Argus News App
✨
ଶନିବାର ମହାରାଷ୍ଟ୍ରରେ ଅନନ୍ତ ଚତୁର୍ଦ୍ଦଶୀ ଉତ୍ସାହର ସହ ପାଳନ ହେଉଛି । ସେପଟେ ଆକ୍ରମଣ ଧମକ ପରେ ମୁମ୍ବାଇରେ ମୁତୟନ ହୋଇଛନ୍ତି ୧୮ ହଜାରରୁ ଅଧିକ ପୋଲିସ । ୧୨ ଜଣ ଅତିରିକ୍ତ କମିଶନର, ୪୦ ଜଣ ଡିଏସ୍ପି, ୩ ହଜାର ପୋଲିସ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି । ୧୦ ହଜାର CCTV, ୫୦ଟି ଡ୍ରୋନ୍ ସହ AI ଦ୍ଵାରା ଗତିବିଧି ଉପରେ ନଜର ରଖା ଯାଇଛି ।
ଏଥିସହ ମହାରାଷ୍ଟ୍ରରେ SRPFର ୧୪ କମ୍ପାନୀ, CAPFର ୪ କମ୍ପାନୀ ଯବାନ ମୁତୟନ ହୋଇଛନ୍ତି । ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି । କଣ୍ଟ୍ରୋଲ୍ ରୁମ୍ରୁ ୨୪ ଘଣ୍ଟା ମନିଟରିଂ କରାଯାଉଥିବା ବେଳେ ସହରରେ ୪୦୦ରୁ ଅଧିକ ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଛି ।