ଇନଷ୍ଟାଗ୍ରାମରେ ଲାଇଭ ଭିଡିଓ କରି ଚାଲିଗଲେ ପୋଲିସଙ୍କ ପତ୍ନୀ

Key Points
ଆଜି ପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଏକ ଯୁଇ .. ପୁଣି ଭାଙ୍ଗିଗଲା ଆଉ ଏକ ସଂସାର । ସେଇ ଯୌତୁକ, ସେଇ ନିର୍ଯ୍ୟାତନା ଭିତରେ ଅଣନିଶ୍ଵାସୀ ହୋଇ ଆଉ ଜଣେ ମହିଳା ନେଲେ ଏପରି ଚରମ ପଦକ୍ଷେପ ।
ମୁଁ ଆଜି ଚାଲିଯାଉଛି ସବୁଦିନପାଇଁ । ଏମାନେ ପ୍ରତିଦିନ ମତେ ଶାରୀରିକ , ମାନସିକ ନିର୍ଯାତନା ଦେଉଛନ୍ତି । ମୋ ସ୍ଵାମୀ ମତେ ମାରି ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି । ମୁଁ ଏମିତି ନିର୍ଯାତନା ସହି ସହି କେତେଦିନ ବଞ୍ଚିବି । ସେମାନଙ୍କ ପାଖରେ ଟଙ୍କା ଅଛି, ସେମାନେ କିଛି ବି କରିପାରିବେ । ମୋ ସ୍ଵାମୀଙ୍କ ଭିଣୋଇ ପୋଲିସ, ତାଙ୍କର ଜଣେ ଭାଇ ଓକିଲ । ସେମାନେ ମୋ ସ୍ଵାମୀଙ୍କୁ କହୁଛନ୍ତି, ତୁ ତାକୁ ମାରିଦେ, ତୋର କିଛି ହେବନି । ମୁଁ ସବୁଆଡୁ ବଞ୍ଚିବାକୁ ଚେଷ୍ଟା କଲି, ହେଲେ ମୋ ଶାଶୁଘରେ ମତେ ବଞ୍ଚିବାକୁ ଦେଲେନି । ମୋ କଥା କେହି ଶୁଣିଲେନି । ମତେ ବହୁତ କଷ୍ଟ ହେଉଛି । ସେଥିପାଇଁ ଆଜି ମୁଁ ଚାଲିଯାଉଛି ସବୁଦିନ ପାଇଁ...
ଆଜି ପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଏକ ଯୁଇ .. ପୁଣି ଭାଙ୍ଗିଗଲା ଆଉ ଏକ ସଂସାର । ସେଇ ଯୌତୁକ, ସେଇ ନିର୍ଯାତନା ଭିତରେ ଅଣନିଶ୍ଵାସୀ ହୋଇ ଆଉ ଜଣେ ମହିଳା ନେଲେ ଏପରି ଚରମ ପଦକ୍ଷେପ ।
ନବବଧୂ । ହାତରୁ ମେହେନ୍ଦୀ ଲିଭିନି। ବିବାହକୁ ୪ ମାସ ପୁରିନି । ହେଲେ ବିବାହକୁ ନେଇ ଦେଖିଥିବା ସବୁ ସ୍ଵପ୍ନ ଚୁରମାର ହୋଇଯାଇଛି । ଘରକୁ ପାଦଦେବାର ଦିନ କେଇଟା ନପୁରୁଣୁ ପରିବାର ଲୋକେ ଆରମ୍ଭ କରି ଦେଇଥିଲେ,ଯୌତୁକ ନିର୍ଯାତନା । ଆଉ ଯିଏ ହାତ ଧରି ସାତଜନ୍ମର ସାଥି ହେବାପାଇଁ ବଚନ ଦେଇଥିଲେ, ସେ ବି ବଦଳିଗଲେ ମାତ୍ର କିଛିଦିନରେ । ଆଉ ପୁରା ପରିବାର ମିଶି ଆରମ୍ଭ କରି ଦେଇଥିଲେ ମାନସିକ, ଶାରୀରିକ ନିର୍ଯାତନା ।
ଉତ୍ତରପ୍ରଦେଶର ଲକ୍ଷ୍ନୌର କନେଷ୍ଟବଳ ଅନୁରାଗ ସିଂଙ୍କ ପତ୍ନୀ ସୌମ୍ୟ । ଗତ ୪ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା । ଆଉ ବିବାହ ପରେ ହିଁ ପରିବାର ଲୋକେ ଯୌତୁକ ନିର୍ଯାତନା ଆରମ୍ଭ କରିଥିଲେ । ଯାହାକୁ ସହି ନପାରି ସୌମ୍ୟା ଇନଷ୍ଟାଗ୍ରାମରେ ଲାଇଭ ଆସି ଶାଶୁଘର ଲୋକ ନିର୍ଯାତନା କରୁଥିବା ସହ ସବୁ କଥା ଅଭିଯୋଗ କରିଥିଲେ । ଆଉ ପରେ ପରେ ହିଁ ଆତ୍ମହତ୍ୟା କରିଥିଲେ । ଭିଡିଓରେ ସୌମ୍ୟା କହିଥିଲେ, ତାଙ୍କ ପରିବାର ଲୋକଙ୍କ ପାଖରେ, ପାୱାର ଟଙ୍କା ସବୁ ଅଛି । ସେମାନେ ସବୁ କରିପାରିବେ । ଆଉ ସେଥିପାଇଁ ସେମାନେ ତାଙ୍କୁ ଡରାଇ ଧମକାଇ ନିର୍ଯାତନା ଦେଉଥିଲେ । ଆଉ ଶେଷରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମଧ୍ୟ ସେ କହିଛନ୍ତି ।
ଭିଡିଓ ପୋଲିସ ହାତରେ ଲାଗିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫରେନ୍ସିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୌମ୍ୟାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଦିଆଯାଇଛି । ସେପଟେ ପୋଲିସ କହିଛି ଯେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।