ଗୁଟ୍ଖା ପାଇଁ ମାଆ ଉଜାଡ଼ି ଦେଲା ସଂସାର; ୩ ଛୁଆଙ୍କ ସହ ନିଜେ ପିଇଦେଲା ବିଷ, ୩ ମୃତ

Key Points
ଯନ୍ତ୍ରଣାରେ ଛଟ ପଟ ହୋଇ ପୁଅ ଚଟାଣରେ ଗଡ଼ୁଥିଲା । ୪ ବର୍ଷର ଝିଅ ଯନ୍ତ୍ରଣାରେ କାନ୍ଦି କାନ୍ଦି କହୁଥିଲା ମାଆ ବିଷ ପିଆଇ ଦେଇଛି ।
ଲକ୍ଷ୍ନୌ: କ'ଣ କିଏ ସାମାନ୍ୟ ଗୁଟ୍ଖା ପାଇଁ ନିଜ ଛୁଆଙ୍କୁ ବିଷ ଦେଇ ନିଜେ ବି ବିଷ ପିଇପାରେ ? ଏ କଥାକୁ ସହଜରେ ବିଶ୍ଵାସ ତ କରି ହେବନି, କିନ୍ତୁ ଏମିତି କିଛି ଘଟିଛି ଉତ୍ତରପ୍ରଦେଶର ଇଟମା ଡୁଡୈଲାରେ । ସକାଳୁ ସକାଳୁ ଗୁଟ୍ଖା ଖାଇବା ଲାଗି ପତି-ପତ୍ନୀଙ୍କ ଝଗଡ଼ା ହୋଇଥିଲା । ସନ୍ଧ୍ୟାରେ ସ୍ଵାମୀ କାମ ସାରି ଘରକୁ ଆସିବା ବେଳକୁ ଆଉ କିଛି ନଥିଲା ।
ଯନ୍ତ୍ରଣାରେ ଛଟ ପଟ ହୋଇ ପୁଅ ଚଟାଣରେ ଗଡ଼ୁଥିଲା । ୪ ବର୍ଷର ଝିଅ ଯନ୍ତ୍ରଣାରେ କାନ୍ଦି କାନ୍ଦି କହୁଥିଲା ମାଆ ବିଷ ପିଆଇ ଦେଇଛି । ଆଉ ଗୋଟିଏ ଘରେ ସ୍ତ୍ରୀ ଛଟ ପଟ ହେଉଥିବା ବେଳେ ବର୍ଷକର ଝିଅର ପ୍ରାଣ ଚାଲି ଯାଇଥିଲା । ତୁରନ୍ତ ସ୍ଵାମୀ ସମାନଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ସତନା ସ୍ଥାନାନ୍ତର କରାଯାଇଥିଲା ।
ଗୁଟ୍ଖା ପାଇଁ...
ପେଶାରେ ଡ୍ରାଇଭର ବବ୍ବୁ ଯାଦବଙ୍କ ପତ୍ନୀ ଜ୍ୟୋତି ନିୟମିତ ଗୁଟ୍ଖା ଖାଆନ୍ତି । ଶନିବାର ସକାଳେ ଗୁଟ୍ଖା ଖାଇବା ପାଇଁ ଟଙ୍କା ଦେବାକୁ ନେଇ ସ୍ଵାମୀ-ସ୍ତ୍ରୀ ଲଢ଼ିଥିଲେ । ସ୍ଵାମୀ ଗୁଟ୍ଖା ପାଇଁ ଟଙ୍କା ନ ଦେବାରୁ ଜ୍ୟୋତି ରାଗି ଯାଇଥିଲା । ଆଉ ରାଗରେ ପ୍ରଥମେ ୩ ଛୁଆଙ୍କୁ ବିଷ ପିଆଇବା ସହ ନିଜେ ବି ପିଇ ନେଇଥିଲା । ଆଉ ଏହି ଘଟଣାରେ ଏବେ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକମାତ୍ର ପୁଅ ମୃତ୍ୟୁ ସହ ଲଢ଼ୁଛି । ଜ୍ୟୋତିଙ୍କ ସହ ଝିଅ ଚନ୍ଦ୍ରମା ଓ ବୁଲବୁଲ ଆଖି ବୁଜିଛନ୍ତି । ଏବେ ବି ପୁଅ ଦୀପଚନ୍ଦ୍ରର ଅବସ୍ଥା ସଂକଟାପନ୍ନ ରହିଛି ।
📱 Get Argus News App
✨
ପରିବାର ଲୋକଙ୍କ ଅନୁସାରେ, ଗୁଟ୍ଖା ଖାଇବା ଲାଗି ଜ୍ୟୋତି ସବୁବେଳେ ସ୍ଵାମୀଙ୍କୁ ପଇସା ମାଗେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୁଏ । ଜ୍ୟୋତି ଗୁଟ୍ଖା ଖାଉଥିବାରୁ ଏହାର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ବୋଲି ସ୍ଵାମୀ ବୁଝାଉଥିଲେ । ସେଥିପାଇଁ ଜ୍ୟୋତିଙ୍କୁ ଟଙ୍କା ଦେଉ ନଥିଲେ । ଆଉ ବବ୍ବୁଙ୍କ ଏହି ନିଷ୍ପତ୍ତିକୁ ନେଇ ଜ୍ୟୋତି ନିଜ ହାତରେ ନିଜ ସଂସାର ଉଜାଡ଼ି ଦେଇଛି ।