ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣା, ଦୁଷ୍କର୍ମକାରୀ ସହ TMC ନେତାଙ୍କ ରହିଛି ଘନିଷ୍ଟ ସମ୍ପର୍କ !

Key Points
TMC ନେତାଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବିଜେପି ଅଭିଯୋଗ କରିଛି ।
ଜୁନ ୨୫ ତାରିଖ ଅପରାହ୍ନରେ ପୀଡ଼ିତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନିଆଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।
କୋଲକାତା ଲ' କଲେଜ ଗଣଦୁଷ୍କର୍ମ ଘଟଣାକୁ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି । ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସିସିଟିଭିରୁ ପ୍ରମାଣ ମିଳିବା ପରେ ଟିଏମସିକୁ ଘେରିଛି ବିଜେପି । ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରା ସମେତ ୪ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି ।
ମାମଲାରେ ଶୁକ୍ରବାର ଗଠିତ ଏସଆଇଟି ସଦସ୍ୟଙ୍କ ସଂଖ୍ୟା ପାଞ୍ଚରୁ ୯କୁ ବୃଦ୍ଧି କରାଯାଇଛି । ଆସିଷ୍ଟାଣ୍ଟ ପୋଲିସ କମିଶନର ପ୍ରଦୀପ କୁମାର ଘୋଷାଲ ଏହାର ନେତୃତ୍ୱ ନେଉଛନ୍ତି । ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତପାଲ୍ ସିଂହ, ମିନାକ୍ଷୀ ଲେଖି, ବିପ୍ଳବ କୁମାର ଦେବ ଓ ସାଂସଦ ମନନ କୁମାର ମିଶ୍ରଙ୍କ ଟିମ ସ୍ଥିତି ଅନୁଧ୍ୟାନ କରିଛି । ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ମନୋଜିତ ମିଶ୍ରାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ସହ TMC ନେତାଙ୍କ ସମ୍ପର୍କକୁ ନେଇ ଘେରିଛି ବିଜେପି । ମନୋଜିତ କଲେଜର ପୂର୍ବତନ ଛାତ୍ର ହୋଇଥିବା ବେଳେ ଦୀର୍ଘ ୧୨ ବର୍ଷ ଧରି କଲେଜ କ୍ୟାମ୍ପସରେ ସେ ମନମାନି ଚଳାଉଥିଲା ।
TMC ନେତାଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବିଜେପି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି ଜୋରଦାର କରିଛି ଦଳ ।
ଜୁନ ୨୫ ତାରିଖ ଅପରାହ୍ନରେ ପୀଡ଼ିତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନିଆଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ସୂଚନା ମୁତାବକ ଏହି ସିସିଟିଭି ଫୁଟେଜରେ ୩ ଅଭିଯୁକ୍ତ ଓ ସୁରକ୍ଷା କର୍ମୀ ସ୍ପଷ୍ଟ ଦେଖାଯାଉଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜ୍ଜୁ କରି ସ୍ୱତଃ ତଦନ୍ତ ଆରମ୍ଭ କରିଥିଲେ । ଏହାସହ ତିନି ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ଲାଗି ମହିଳା କମିଶନ କୋଲକାତା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।