ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥି

Key Points
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ହେବ ଅନୁଷ୍ଠିତ
ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ
ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ
ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ । କିନ୍ତୁ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ ।
ପରେ ଠାକୁରମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ ।