Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ହୋଲି ପରେ ଭଗବାନ ବିଷ୍ଣୁ ଏବଂ ମହାଦେବଙ୍କ ମଧ୍ୟରେ କାହିଁକି ହୋଇଥିଲା ଯୁଦ୍ଧ, ଜାଣନ୍ତୁ ପୁରା କାହାଣୀ..

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ହୋଲି ପରେ ଭଗବାନ ବିଷ୍ଣୁ ଏବଂ ମହାଦେବଙ୍କ ମଧ୍ୟରେ କାହିଁକି ହୋଇଥିଲା ଯୁଦ୍ଧ, ଜାଣନ୍ତୁ ପୁରା କାହାଣୀ..

ଆସୁଛି ରଙ୍ଗର ପର୍ବ ହୋଲି । ହିନ୍ଦୁ ଧର୍ମରେ ହୋଲି ପର୍ବ ଏକ ଖାସ ପର୍ବ ଭାବେ ପାଳନ କରାଯାଏ । ପୁରାଣ ମୁତାବକ ହୋଲିକାର ଦହନ ପରେ ଖରାପ ଉପରେ ଭଲର ବିଜୟ ପାଇଁ ଏହି ହୋଲି ପର୍ବର ପାଳନ ହୋଇଥାଏ । ହୋଲିକାର ଦହନ ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହହ୍ଲାଦ ଏବଂ ତାଙ୍କର ପିତା ହିରଣ୍ୟକଶ୍ୟପଙ୍କ ମଧ୍ୟରେ ସଂଘର୍ଷ ହେଉଥିବା ସମୟରେ ହୋଇଥିଲା । ଏବଂ ଶେଷରେ ହିରଣ୍ୟକଶ୍ୟପର ବଦ୍ଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇଥିଲେ । କିନ୍ତୁ ହିରଣ୍ୟକଶ୍ୟପକୁ ବଦ୍ଧ କରିବା ପରେ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାର ଶାନ୍ତ ହେବା ଖୁବ କଷ୍ଟ ଥିଲା । ଏହି ନୃସିଂହ ଅବତାରକୁ ଶାନ୍ତ କରିବା ପାଇଁ ଅବତାର ନେଇଥଲେ ଭଗବାନ ଶିବ । ତେବେ ଆସନ୍ତୁ ଜାଣିବା କେମିତି ନୃସିଂହ ଅବତାରକୁ ଶାନ୍ତ କରାଇଥିଲେ ମହାଦେବ ।

ହିରଣ୍ୟକଶ୍ୟପର ମୃତ୍ୟୁରେ ସମସ୍ତେ ବେଶ ପ୍ରଶନ୍ନ ଥିଲେ । ଦେବତାମାନଙ୍କ ମଧ୍ୟରେ ଉତ୍ସାହ ଥିଲା । ପ୍ରତ୍ୟେକ ମଣିଷ ଆନନ୍ଦରେ ଉପଭୋଗ କରୁଥିଲେ । କିନ୍ତୁ ହଠାତ ଏକ ଗର୍ଜନରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥିଲା । ଯେଉଁ ଗର୍ଜନ କିଛି ସମୟ ପୂର୍ବରୁ ଦୁଷ୍ଟ ଶରୀରକୁ ନାଶ କରୁଥିଲା, ସେହି ଗର୍ଜନ କିଛି ସମୟ ପରେ ଏକ ଭୟଙ୍କର ଗର୍ଜନ ପରି ସୁବୁଥିଲା । ଯାହାର ପ୍ରଭାବରେ ପ୍ରକମ୍ପିତ ହେଉଥିଲା ସାରା ବ୍ରହ୍ମାଣ୍ଡ । ଭୟରେ ଥରୁଥିଲେ ପ୍ରତ୍ୟେକ ପୃଥିବୀବାସୀ । ଭଗବାନ ବିଷ୍ଣୁଙ୍କ ଏହି ଅବତାର ଧିରେଧିରେ ଶାନ୍ତ ହେବା ପରିବର୍ତ୍ତେ ଆହୁରି ଉଗ୍ର ହୋଇ ଉଠୁଥିଲା । ଭୟବୀତ ହୋଇ ବ୍ରହ୍ମା ପ୍ରହହ୍ଲାଦଙ୍କୁ ପ୍ରଭୁ ବିଷ୍ଣୁଙ୍କୁ ଶାନ୍ତ କରିବା ପାଇଁ ପ୍ରାର୍ଥନା କରିବାକୁ କହିଥିଲେ । ହେଲେ ତଥାପି ଶାନ୍ତ ହୋଇ ନଥିଲେ ନୃସିଂହନାଥ ।

ଏହାପରେ ବ୍ରହ୍ମା ମହାଦେବଙ୍କ ପାଖକୁ ଯାଇଥିଲେ, ଏବଂ ତାଙ୍କୁ ଅବତାର ନେଇ ବିଷ୍ଣୁଙ୍କ ଏହି ରୂପକୁ ଶାନ୍ତ କରିବାକୁ ଅନୁରୋଧ କରିଥିଲେ । କାରଣ ଶିବଙ୍କ ତାଣ୍ଡବ ଉଗ୍ର ରୂପକୁ ପ୍ରଭୁ ବିଷ୍ଣୁହିଁ ଶାନ୍ତ କରିଥିଲେ । ଏହା ଶୁଣିବା ପରେ ପ୍ରଭୁ ଶିବ ନିଜର ଏକ କେଶ ଉପାଡି ବୀରଭଦ୍ର ରୂପ ଉତ୍ପନ୍ନ କରିଥିଲେ । ଏହି ଅବତାରଙ୍କୁ ନୃସିଂହ ଅବତାର ଶାନ୍ତ କରିବା ପାଇଁ ପଠାଇଥିଲେ । ବୀରଭଦ୍ର ନୃସିଂହନାଥଙ୍କ ପାଖକୁ ଯିବା ସମୟରେ ଦେଖିଥିଲେ, ନୃସିଂହ ନକ୍ଷତ୍ର ଗୁଡିକୁ ରାଗରେ କାଢିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ବୀରଭଦ୍ର ତାଙ୍କୁ ପ୍ରାର୍ଥନା କରି କହିଥିଲେ, "ପ୍ରଭୁ, ଆପଣ ଯାହାକୁ ଦମନ କରିବାକୁ ଏହି ରୂପ ନେଇଥିଲେ, ତାକୁ ଦମନ କରି ସାରିଛନ୍ତି । ଏବେ ଦୟାକରି ନିଜ ରୂପକୁ ଫେରି ଆସନ୍ତୁ । ଶାନ୍ତ ହୋଇଯାଆନ୍ତୁ । ଆପଣ ଧର୍ମର ପୁନଃସ୍ଥାପନା କରିବା ପାଇଁ ଅବତାର ନେଇଥିଲେ । ଯାହାର ଉଦ୍ଦେଶ୍ୟ ସଫଳ ରୂପେ ପୂର୍ଣ୍ଣ ହୋଇସାରିଛି । ଏହି ହିଂସ୍ର ରୂପକୁ ଦମନ କରି ନିଜର ପରୋପକାରୀ ରୂପକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ପ୍ରଭୁ ।"

କିନ୍ତୁ ନୃସିଂହ ଭଗବାନ ଏହାକୁ ନଶୁଣି ବୀରଭଦ୍ର ଉପରେ ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ । ବୀରଭଦ୍ର ଜାଣିଥିଲେ, ସେ ନୃସିଂହଙ୍କର ଏହି ରୂପକୁ ସାମ୍ନା କରି ପାରିବେ ନାହିଁ । ତେଣୁ ସେ ତାଙ୍କୁ ସାମ୍ନା ନକରି ଚୁପଚାପ ଅଟକି ଯାଇଥିଲେ । କିନ୍ତୁ ଅଚାନକ ଏକ ପରିବର୍ତ୍ତନ ଦେଖବାକୁ ମିଳିଥିଲା । ସୂର୍ଯ୍ୟ ଲୁଚିଯିବାକୁ ଲାଗିଥିଲେ, ନକ୍ଷତ୍ରର ଚମକ ଫିକା ପଡି ଯାଇଥିଲା, ଆକାଶଗଙ୍ଗାରେ ଗ୍ରହଣ ଲାଗି ଯାଇଥିଲା । ଏହି ସମୟରେ ନୃସିଂହନାଥଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲା ଏକ ବିଶାଳ ରୂପ । ଯେଉଁ ରୂପ ନୃସିଂହନାଥଙ୍କ ଠାରୁ ଅନେକ ଗୁଣରେ ବଡ ଥିଲା । ତାଙ୍କର ଚମକ ସାମ୍ନାରେ ଫିକା ପଡି ଯାଉଥିଲା ନକ୍ଷତ୍ରର ଚମକ । ଏହି ରୂପ ଥିଲା ମହାଦେବଙ୍କର ଶରଭ ରୂପ । ଏହି ରୂପରେ ନୃସିଂହଙ୍କ ପଞ୍ଝାଠାରୁ ତାଙ୍କର ପଞ୍ଝା ଆହୁରି ବିଶାଳକାୟ ଥିଲା । ଶରଭ ପକ୍ଷୀ ଭଳି ୮ଟି ପର ଥିଲା ।

ଶରଭ ଏକ ପ୍ରକାର ଜଙ୍ଗଲୀ ପକ୍ଷୀ । କୁହାଯାଏ, ଏହି ପକ୍ଷୀର ବଳ ସିଂହଠାରୁ ମଧ୍ୟ ଅଧିକ । ତେବେ ପ୍ରଭୁ ମହାଦେବଙ୍କର ଏହି ରୂପ ନୃସିଂହନାଥଙ୍କ ଠାରୁ ମଧ୍ୟ ଭୟଙ୍କର ଥିଲା, ଏବଂ ଗର୍ଜନ ମଧ୍ୟ ତାଙ୍କଠାରୁ ଖୁବ ଭୟଙ୍କର ଥିଲା । ନୃସିଂହ ଅବତାର ଏହି ରୂପକୁ ଦେଖି ତାଙ୍କୁ ଆକ୍ରମଣ କରିବା ପାଇଁ ଆସୁଥିବା ବେଳେ ମହାଦେବଙ୍କ ଏହି ଶରଭ ରୂପ ତାଙ୍କୁ ବାରମ୍ବାର ପରାସଲ୍ତ କରୁଥିଲେ । ଶେଷରେ ନିଜ ପଞ୍ଝାରେ ନୃସିଂହଙ୍କ ଏହି ରୂପକୁ ଧରି ସେ ସବୁ ଲୋକରୁ ଉପରକୁ ନେଇଥିଲେ । ବ୍ରହ୍ଣାଣ୍ଡର ସର୍ବୋଚ୍ଚ ଶିଖରକୁ ନେଇ ଯାଇଥିଲେ ମହାଦେବ। ଏବଂ ଏହାପରେ ତାଙ୍କୁ ଛାଡି ଦେଇଥିଲେ । ଯେତେବେଳେ ନୃସିଂହନାଥ ପୃଥିବୀ ସହ ଧକ୍କା ହୋଇଥିଲେ , ସେତେବେଳେ ଏହି ବିଶାଳ ଅବତାର ତାଙ୍କ ଦେହରୁ ବାହାରି ଯାଇଥିଲେ । ଏହିଭଳି ଭଗବାନ ବିଷ୍ଣୁ ନିଜ ଅବତାରରୁ ମୁକ୍ତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why was there a war between Lord Vishnu and Mahadev after Holi, know the full story | Argus News