ଭାଲୁକୁଣୀ ଓଷା...ପିଲାବେଳର ସ୍ମୃତି

Key Points
ଆରମ୍ଭ ହୋଇଛି ଭାଲୁକୁଣୀ ଓଷା
ଆଜିକାଲି ତ ବଡ ବଡ ମେଢକୁ ଧୁମ୍ ଧାମ୍ ରେ ପୂଜା ହେଉଛି
ଟିକେ ପିଲାବେଳ କଥା ମନେ ପକାଇଲେ
ସରିଲା ଶ୍ରାବଣ ଆରମ୍ଭ ହେଲା ଭାଦ୍ରବ ମାସ । ଏଥି ସହିତ ଆରମ୍ଭ ହୋଇଛି ଓଡିଶାର ପାରମ୍ପରିକ ଓଷା ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ ଓଷା । ଆମେ ସମସ୍ତେ ଜାଣିଛେ କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ମା' ମଙ୍ଗଳାଙ୍କୁ ପୂଜା କରିଥାନ୍ତି । ଆଜିକାଲି ତ ବଡ ବଡ ମେଢ କୁ ଖୁବ ଧୁମ୍ ଧାମ୍ ରେ ପୂଜା ହେଉଛି । ନାନା ଫୁଲ ଫଳରେ ମାଙ୍କୁ ଆରାଧନା କରୁଛନ୍ତି କୁଆଁରୀମାନେ । ହେଲେ ଟିକେ ପିଲାବେଳ କଥା ମନେ ପକାଇଲେ ।
ଘରେ ଜଣଙ୍କ ଚାକିରିରେ ପୁରା ପରିବାର ନିର୍ଭର । ପୁଣି ସମସ୍ତଙ୍କ ପାଠ ପଢା..ଦେହ ପା କେତେ କଣ ଅଛି । ସେଥିପାଇଁ ପୂଜା ବଜେଟ୍ ବି ବେଶୀ ନଥାଏ । ଯେତିକି ଯାହା ଚାନ୍ଦା ଆଦାୟ ହେଲା ସେତିକିରେ କାମ ଚଳେଇ ଦବା କଥା । ହେଲେ ପୂଜାରେ ଯେମିତି କିଚି କମି ରହିବନି ସେଥିପାଇଁ ଅନେକ ଉପାୟ ଆପଣାଯାଏ । ଯେମିତିକି ବଡ ବଡ ଦିଦି ମାନେ ସାନ ଭାଇ,ଭଉଣୀମାନଙ୍କୁ ପୂଜା କାମରେ ଲଗେଇ ଦିଅନ୍ତି । କାହା ଘରୁ ଫୁଲ ଆସିବ...କାହା ବାଡ଼ିରୁ କଣ ଚୋରି ହେବ ସବୁ ଆଗରୁ ପ୍ଲାନିଂ ହୋଇଯାଇଥାଏ । ସବୁଠୁ ବଡ ଟେନସନ୍ ଥାଏ ଫୁଲ ଚୋରି । ସେଥିପାଇଁ ବଡି ଭୋରୁ ପିଲାମାନେ ବାଡିକୁ ଚାଲିଯାଆନ୍ତି ଫୁଲ ଚୋରିକରିବାକୁ । ଯାହାର ଯେତେ ଫୁଲ ତାଙ୍କ ମା ସେତେ ସୁନ୍ଦର ଦେଖାଯିବେ । ସେଥିପାଇଁ ସକାଳୁ ଆରମ୍ଭ ହୋଇଯାଏ ରେସ୍ । ତରାଟ,ମନ୍ଦାର,ଆଶୋକ, ଯାଇ, ଟଗର, କନିଆରୀ, କୁସୁମ, ଲୋଟଣୀ,ମଲ୍ଲୀ,ରଙ୍ଗଣୀ ଯିଏ ଯେତେ ପାରେ ତୋଳି ଆଣେ । ବଡ ବଡ ଦିଦି ମାନେ ପୂଜା, ବହି ବୋଲା, ଝୋଟି ଚିତା ପକାଇ...ନଡିଆ ଭାଙ୍ଗି ଭୋଗ ରେଡ୍ଡି କରନ୍ତି । ଆଉ ସାନମାନେ ଥାଆନ୍ତି ଯୋଗାଡିଆ । ସବୁଠୁ ଆକର୍ଷଣୀୟ ଲାଗେ କଇଁଫୁଲ । କଇଁଫୁଲର ନାଡକୁ ଭାଙ୍ଗି ସେଥିରେ ମାଳ ବନେଇ ଝୁଲେଇ ଦେଲେ ମା ଆହୁରି ସୁନ୍ଦର ଲାଗିଥାନ୍ତି ।
ଗାଧେଇ ପଡି ବ୍ରତ ଗୋଟେ ପିନ୍ଧିଦେଇ ଦିନ ତମାମ ଝିଅମାନେ ପୂଜା କାମରେ ଲାଗିପଡନ୍ତି । ଇଏ ଏମିତି ଏକ ଓଷା ଯେଉଁଥିରେ ଏତେ କିଛି ବାଛ ବିଚାର ନଥାଏ । ଏବେ ତ ଅରୁଆ ଖାଇ ଉପାସ କରି ପୂଜା କରୁଛନ୍ତି । ହେଲେ ଆଗରୁ ଉଷୁନା ଖାଇ ପୂଜା କରୁଥିଲେ କୁଆଁରୀମାନେ ।
ଭୋଗରେ ଏବେ ଏତେ ଫଳ, ମିଠା ଲାଗୁଛି । ଆଗରୁ କଦଳୀ, ନଡିଆ,କାକୁଡି,ପିଜୁଳି ମିଠାରେ ବୁନ୍ଦି ଆଉ ମୁଢି...ଚୁଡା ହେଲେ ଢେର୍ । କାହିଁକି ନା ଇଏ ଖୁଦରଙ୍କୁଣୀ ମା'..ଶ୍ରଦ୍ଧାରେ ଖୁଦ ଭୋଗ କରିଦେଲେ ବି ସେ ଖୁସିରେ ଗ୍ରହଣ କରେ । ସେଥିପାଇଁ ଚୁଡା ମୁଢି..ସବୁ ଫଳମୂଳ ମିଠା ପକାଇ ଗୋଳେଇ ଦେଲେ ପ୍ରସ୍ତୁତ ହୋଇଯାଏ ଭୋଗ । ଯାହା ଅମୃତ ଭଳିଆ ଲାଗେ । ଭଙ୍ଗା ହୋଇଥିବା ନଡିଆ ଷଡେଇ ଧରି ହାତ ପତେଇ ଭୋଗ ବୋହି ନିଅନ୍ତି ଛୁଆଠୁ ବୁଢା । କାହିଁକି ନା ଏ ଭୋଗ ଭାଗି ସୁଆଦିଆ । ବାଡିରେ ହେଇଥିବା ଦେଶୀ ଫଳମୂଳ..ଆଉ ତାର ବାସ୍ନାରେ ପେଟ ପୂରିଯାଏ । ପୁଣି ବହି ବୋଲିଲା ବେଳକୁ ଭାରି ଡର ଲାଗେ । କାରଣ ଶବ୍ଦରେ କିଛି ଭୂଲ୍ ହେଲେ ରାଗିଯାଆନ୍ତି ଜେଜେ ମା ଜେଜେ ବାପା ମାନେ । କାରଣ ପିଲାଙ୍କର ମନ ଥାଏ ଭୋଗରେ ହେଲେ ପରିଣତ ବୟସରେ ପହଞ୍ଚି ସାରିଥିବା ବୁଢୀ ମାଙ୍କ ମନ ତଅପୋଇ ଗୀତରେ ଥାଏ । ସ୍ୱର ଟିକେ ବିଗିଡିଲେ କଥା ସରିଲା ।
📱 Get Argus News App
✨ପାଞ୍ଚ ପାଳି ଓଷା ସରିବା ପରେ ଯାହାର ଯାହା ମାନସିକ ଥାଏ ତାହର ସେ ମାନସିକ ପୂରା ହେଲେ ସେ କଣ ଦେବ କହିଦିଏ । ଶେଷ ପାଳିରେ ପିଠା ପଣାର ମହକ । ହରିବୋଲ୍ ହୁଳହୁଳିରେ ଫାଟି ପଡେ ପୁରା ଅଞ୍ଚଳ । କାହାର ପୂଜା ଭଲ ହେବ... ସାହି ସାହି ଭିତରେ ସେ ପ୍ରତିଯୋଗିତା..ପୂଜା କରିବାର ଇଚ୍ଛାକୁ ଆହୁରି ବଢାଇଦିଏ । ଝିଅକୁ ବର୍ଷେ ହଉଣୁ ସେ ବି ବାହାରି ପଡେ ପୂଜା କରିବାକୁ । ଖୁଦୁରୁକୁଣୀ ସହ ଜଡିତ କିଛି ପିଲାବେଳର ଅନେକ ସ୍ମୃତି । ଆଜି ବି ସେହି ପରମ୍ପରା ଓଡିଶାର କୋଣ ଅନୁକୋଣରେ ଜୀବିତ ଅଛି ।
ପ୍ରତି ରବିବାର ଦିନ ପ୍ରଭାତରୁ ଉଠି କୁଆଁରୀ ଝିଅମାନେ ନଦୀ କିମ୍ବା ପୋଖରୀ କୂଳରେ ଏକାଠି ହୋଇ ସ୍ନାନ କରି ଥାଆନ୍ତି ଏବଂ ଏହାପରେ ସେହି ପୋଖରୀ କୂଳରେ ମା' ମଙ୍ଗଳାଙ୍କୁ ସୁମରଣା କରି ବାଲୁକା ପୂଜା କରନ୍ତି । ପରେ ସମସ୍ତେ ସନ୍ଧ୍ୟା ହେବା ମାତ୍ରକେ ସବୁ କୁଆଁରୀ କନ୍ୟାମାନେ ଏକାଠି ହୋଇ ପୂଜା ସ୍ଥାନରେ ଏକତ୍ରିତ ହୁଅନ୍ତି । ଏହି ଓଷା କେବଳ ପୂଜା ଆରାଧନା ନୁହେଁ ସାମାଜିକ ସ୍ତରରେ ଏକ ଗୁରୁତ୍ବ ବହନ କରେ । ପରଷ୍ପର ମଧ୍ୟରେ ମୈତ୍ରୀ,ବନ୍ଧୁତ୍ବ ଓ ସଦଭାବ ସହ ପ୍ରତିଟି କୁମାରୀମାନଙ୍କ ଠାରେ ସୃଷ୍ଟି କରେ ନୂଆ ଆଶା ଓ ବିଶ୍ବାସ। ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘାୟୁ କାମନା କରି ମଙ୍ଗଳମୟୀ ମା' ମଙ୍ଗଳାକୁ ସ୍ମରଣ କରିଥାନ୍ତି ।