Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଟିକେ ଅଲଗା ଶ୍ରୀମନ୍ଦିରରେ ଗଣେଶ ପୂଜା

Smruti Parija
Browse all articles by Smruti Parija
·10 months ago·4 min read
ଟିକେ ଅଲଗା ଶ୍ରୀମନ୍ଦିରରେ ଗଣେଶ ପୂଜା

Key Points

ବିଘ୍ନବିନାଶକଙ୍କ ପାଇଁ ଚାଲିଛି ପ୍ରସ୍ତୁତି

ଶ୍ରୀମନ୍ଦିରରେ ପୂଜା ପାଆନ୍ତି କେତୋଟି ଗଣେଶ

କେମିତି ହୁଏ ଗଣେଶ ପୂଜା ?


ରାତି ପାହିଲେ ଗଣେଶ ପୂଜା । ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି । ବିଦ୍ୟା ବୁଦ୍ଧିର ଦେବତା ଶ୍ରୀ ବିଘ୍ନେଶ । ଯାହାଙ୍କ ଆବାହନ ପରେ ହିଁ ସମସ୍ତ କର୍ମର ଅୟମାରମ୍ଭ ହୁଏ । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, କାର୍ଯ୍ୟାଳୟ ମାନଙ୍କରେ ବିଘ୍ନବିନାଶକଙ୍କ ପୂଜା ଆଗମନ ପାଇଁ ପ୍ରସ୍ତୁତି ଚାଲିଛି ।


ଶ୍ରୀମନ୍ଦିରରେ ମଧ୍ୟ ପୂଜାପାଆନ୍ତି ଗଜାନନ । ଶ୍ରୀମନ୍ଦିର ବେଢାରେ ବିଘ୍ନବିନାଶନ ପାଇଁ ବିରାଜିତ ହୋଇଛନ୍ତି ପ୍ରଭୁ ଶ୍ରୀଗଣେଶ । କେଉଁଠି କେଉଁଠି ଗଣେଶ ପୂଜା ପାଉଛନ୍ତି ଏବଂ ସେମାନଙ୍କର ନାଁ କ'ଣ ଆସନ୍ତୁ ଜାଣିବା...


ଗଜପତିମାନେ ବିଭିନ୍ନ ସମୟରେ ଶ୍ରୀଗଣେଶଙ୍କ ବିଗ୍ରହ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ସ୍ଥାନ-କାଳ ମୁତାବକ ଅଗ୍ରପୂଜ୍ୟ ଭିନ୍ନଭିନ୍ନ ନାମରେ ନାମିତ ହୋଇଛନ୍ତି । ବଟ ଗଣେଶ,ଦନ୍ତ ତଥା ନର୍ତ୍ତକଗଣେଶ, କାଞ୍ଚି ଗଣେଶ,ରୋଷଗଣେଶ,ଚର୍ଚ୍ଚା ଗଣେଶ,ସରଘର ଗଣେଶ, ଗୋଦାମ ଗଣେଶ ଭଳି ପ୍ରାୟ ୧୦ରୁ ଅଧିକ ବିଘ୍ନରାଜଙ୍କ ଚିତ୍ର ଓ ୨୯ ଶ୍ରୀଗଣେଶ ବିଗ୍ରହ ବିରାଜିତ ରହିଛି । ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କ କେତେକ ବିଗ୍ରହଙ୍କର ଏକାଧିକ ନାମ ମଧ୍ୟ ରହିଛି ।


ଆଦ୍ୟ ଗଣେଶ


ପ୍ରତ୍ୟେକ ପୂଜାରେ ଅଗ୍ରପୂଜ୍ୟ ଗଣେଶ, ସେ ମୂର୍ତ୍ତି ହୁଅନ୍ତୁ ବା କଳସ ହୁଅନ୍ତୁ । ଯେତବେଳେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ପାଇଁ ମନ୍ଦିର ତାଳୋଇବା ପାଇଁ ଚିନ୍ତା କଲେ ସେହି କାର୍ଯ୍ୟରେ ମଧ୍ୟ ପ୍ରଥମେ ଗଣେଶଙ୍କର ପୂଜା ଆବଶ୍ୟକ ଥିଲା । ତାଙ୍କ ଠାରୁ ହିଁ ଶୁଭ ପଡି଼ଲା। ତେବେ ଶ୍ରୀକ୍ଷେତ୍ରର ଅଷ୍ଟଶମ୍ଭୁ ଓ ପଞ୍ଚପାଣ୍ଡବ ବା ପଞ୍ଚମହାଦେବଙ୍କ ମଧ୍ୟରେ ଅନ୍ୟତମ କପାଳମୋଚନ ମନ୍ଦିରଠାରେ ହିଁ ଏହି ଆଦ୍ୟ ବା ଆଦି ଗଣେଶ ବିରାଜମାନ । ଯେଉଁଠାରେ ଶ୍ରୀମନ୍ଦିର ନିମନ୍ତେ ଶୁଭ ଦିଆଯାଇ ମନ୍ଦିର ନିର୍ମାଣ କର୍ମ ଆରମ୍ଭ ହୋଇଥିଲା । ପ୍ରଥମେ ବା ଅଗ୍ରରେ ପୂଜା ହୋଇଥିବାରୁ ଓ ମୂଳରୁ ପୂଜା ହୋଇ ଆସୁଥିବାରୁ ତାଙ୍କର ନାମ ଆଦ୍ୟ ବା ଆଦି ଗଣେଶ।
ଗୁମୁଟ ଗଣେଶ


ଆମେ ଶୁଣିଛେ ସମସ୍ତକର୍ମ କରିବା ପୂର୍ବରୁ ବିଘ୍ନେଶଙ୍କୁ ସ୍ମରଣ କଲେ ସମସ୍ତ ବିଘ୍ନ ଦୂରୀଭୁତ ହୁଏ । ଠିକ୍ ସେହିପରି ଶ୍ରୀମନ୍ଦିର ପ୍ରବେଶ ପଥ ସିହଂଦ୍ବାରସ୍ଥ ଗୁମୁଟ କାନ୍ଥରେ ଏକ ଗଜାନନଙ୍କ ସୁନ୍ଦର ପଟ୍ଟଚିତ୍ର ଅଙ୍କନ କରାଯାଇଛି । ଏହାର କାରଣ ହେଉଛି ମହାପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ଏହି ଗଣେଶଙ୍କୁ ଦର୍ଶନ କଲେ ଦର୍ଶନ ସମୟରେ କୌଣସି ବିଘ୍ନ ଆସିବ ନାହିଁ ।


ରୋଷ ଗଣେଶ


ବିଶ୍ବର ସବୁଠାରୁ ବଡ଼ ରୋଷଘର ହେଲା ମହାପ୍ରଭୁଙ୍କର ରୋଷଘର ଯେଉଁଠାରେ ରହିଛି ୨୪୦ଟି ଚୁଲା ଓ ଚୁଲି । ଯାହାକି ଆବାହମାନକାଳର । ଏଠାରେ ସୋମ ବଂଶୀୟ ଶାସନ କାଳର ଚୁଲି ମଧ୍ୟ ରହିଛି । ତେବେ ମହାପ୍ରଭୁ ହେଲେ ଖାଦ୍ୟ ପ୍ରିୟ ତେଣୁ ଏତେବଡ଼ ରୋଷଘରର ପ୍ରୟୋଜନ । ହେଲେ ଏହି ରୋଷେଇ ଘରେ ରୋଷ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଶ୍ରୀ ଗଣେଶଙ୍କୁ ଆରାଧନା ଓ ପୂଜନ କରାଯାଏ । ଯେପରି ରୋଷ ସମୟରେ କୌଣସି ବାଧା ବିଘ୍ନ ନ ଆସୁ ତେଣୁ ପ୍ରତ୍ୟେହ ସୁଆର ମହାସୁଆର ସେବକଗଣ ଶ୍ରୀ ଗଣେଶଙ୍କୁ ପ୍ରଣାମ କରି ରୋଷେଇ ଆରମ୍ଭ କରିଥାନ୍ତି । ଏହି ଗଣେଷ ରୋଷଶାଳାରେ ହିଁ ବିଦ୍ୟମାନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଣ୍ଡ ବା କାଞ୍ଚି ଗଣେଶ


କିମ୍ବଦନ୍ତୀ ରହିଛି କାଞ୍ଚି ରାଜାଙ୍କୁ ହରାଇ ଗଣେଶଙ୍କୁ ଆଣିଥିବାରୁ ଶ୍ରୀମନ୍ଦିର ପୂଜା ପାଉଛନ୍ତି କାଞ୍ଚି ଗଣେଶ । ଗଜପତି ପୁରୁଷୋତ୍ତମ ଦେବ ୧୪୭୪ ଖ୍ରୀଷ୍ଟାବ୍ଦରେ କାଞ୍ଚି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି କାଞ୍ଚିରୁ ଏହି ଗଣେଶ ବିଗ୍ରହଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ତେଣୁ ଗଣେଶଙ୍କ ବିଗ୍ରହକୁ କାଞ୍ଚି ଗଣେଶ ନାମରେ ବିଦିତ ।
ଶ୍ରୀ ମନ୍ଦିରରେ ବିମଳାଙ୍କ ମନ୍ଦିର ସମ୍ମୁଖ କୂଅ ପାଖରେ ଜଳ କ୍ରୀଡ଼ାମଣ୍ଡପ ପଛ ପାଖରେ ରହିଛି ନର୍ତ୍ତକ ଗଣେଶ ମନ୍ଦିର । ମନ୍ଦିରରେ କଳା ମୁଗୁନି ପଥର ନିର୍ମିତ ଗଣେଶ ମୂର୍ତ୍ତିନୃତ୍ୟ କରୁଥିବା ଭଙ୍ଗୀରେ ଦଣ୍ଡାୟମାନ ରହିଛି । ପ୍ରାୟ ୬ ଫୁଟ ଉଚ୍ଚ ବିଶିଷ୍ଟ ଏହି ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଦୁଇ ହାତରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ହାତରେ ଜପମାଳା,ଦନ୍ତ, ମୁଦ୍ରା, ଅଙ୍କୁଶ ଓ ଲଡୁ ଧାରଣ କରିଥାଆନ୍ତି । ଗଣେଶ ଚତୁର୍ଥୀ ଦିନ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ପରେ ନର୍ତକ ଗଣେଶଙ୍କ ଭୋଗଲାଗି ଓ ବନ୍ଦାପନା ଆଦି ନୀତି ପୂଜାପଣ୍ଡା ସେବକଙ୍କ ଦ୍ଵାରା ସମ୍ପାଦିତ ହୁଏ ।


ବଟ ଗଣେଷ


ଶ୍ରୀମନ୍ଦିର ବେଢ଼ାରେ କଳ୍ପବଟ ମୂଳରେ ପୂଜା ପାଉଛନ୍ତି ବଟ ଗଣେଶ । ଶ୍ରୀମନ୍ଦିର ଭିତର ବେଢ଼ାରେ କଳ୍ପବଟ ମୂଳରେ ବଟ ଗଣେଶ ବିରାଜିତ ଅଛନ୍ତି । ଗଜପତି କପିଳେନ୍ଦ୍ର ଦେବ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ଦକ୍ଷିଣାଭିମୁଖୀ ମନ୍ଦିର ନିର୍ମିତ ହୋଇଥିବା ଗବେଷକ ମାନେ ମତ ଦିଅନ୍ତି । ଏହି ବିଗ୍ରହ ଶ୍ଵେତ ବର୍ଣ୍ଣର ହୋଇଥିବାରୁ ଭକ୍ତମାନେ ଶ୍ଵେତ ଗଣେଶ ବୋଲି ମଧ୍ୟ ଉଚ୍ଚାରଣ କରନ୍ତି । ଶ୍ରୀମନ୍ଦିର ଭିତର ବେଢାରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ । ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ । ଏହି ପାଖରେ ହିଁ ଥାଏ ରାହାସ ମଣ୍ଡପ ଯେଉଁଠାରେ ଦିନେ ପ୍ରତି ଓଡି଼ଆ ଘରର ପୁରାଣ ଓଡି଼ଆ ଭାଗବତକୁ ଜଗନ୍ନାଥ ଦାଶ ରଚନା କରିଥିଲେ।


ନୃତ୍ୟ ଗଣପତି ବା ନାଟୁଆ ଗଣେଶ


ଶ୍ରୀକ୍ଷେତ୍ର ଅଧୀଶ୍ବରୀ ମାଆ ବିମଳାଙ୍କ ଅଗ୍ରରେ ଦକ୍ଷୀଣ ଦିଗକୁ ମୁଖ ଥାଇ ଏ ମନ୍ଦିର ରହିଛି । ଏବଂ ଏହା ଭିତର ବେଢାରେ । ଅଷ୍ଟଭୂଜ ଗଣପତି ମୂଷିକ ଉପରେ ନୃତ୍ୟରତ ଭଙ୍ଗୀ ଥିବାରୁ ଏହାଙ୍କର ନାମ ନୃତ୍ୟ ଗଣପତି । ଏ ସ୍ବରୁପ ମଧ୍ୟ ରଥରେ ପାର୍ଶ୍ବ ଦେବତା ଭାବରେ ବ୍ୟବହାର ହୋଇଥାନ୍ତି ।
ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ ନୀତି କିପରି ହୁଏ ?


ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯାଏ।ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ , ନୃତ୍ୟ ଗଣେଶ , ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ।


ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖା ଯାଇ ତହିଁ ଉପରେ ପତନି ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ପ୍ରଶାସନ ପକ୍ଷରୁ ଯୋଗାଇଥିବା ୨୨ଟି ନଡ଼ିଆ ଉକ୍ତ ବେହେରଣ କରଣ ମାନେ ଭାଙ୍ଗିଥାନ୍ତି ଓ ଏହାକୁ ପ୍ରସାଦ ରୂପେ ସେବନ ମଧ୍ୟ କରାଯାଇଥାଏ ।


ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ସ୍ନାନ ଯାତ୍ରାରେ ପ୍ରଭୁ ଗଣେଶଙ୍କ ବେଶ ହୋଇଥାନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ହିନ୍ଦୁ ଧର୍ମରେ 5 ଜଣ ହେଉଛନ୍ତି ଗଣ ଠାକୁର । ପ୍ରଥମେ ହେଉଛି ପ୍ରଭୁ ଗଣେଷ , ନାରାୟଣ, ଶଙ୍କର, ମା' ଦୁର୍ଗା ଓ ସୂର୍ଯ୍ୟ ଦେବତା । ଏହି ଗଣ ଦେବତା ଙ୍କ ମଧ୍ୟରେ ପ୍ରଥମ ଆଦ୍ୟ ଦେବତା ହେଉଛନ୍ତି ପ୍ରଭୁ ଗଣେଶ । ଏଣୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଆମେ ପ୍ରଭୁ ଗଣେଷଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥାଉ । ଏଣୁ ଅଗ୍ରପୂଜ୍ୟ ପ୍ରଭୁ ଗଣେଷଙ୍କୁ ଏକାଧିକ ନାମରେ ଅଭିହିତ କରାଯାଇ ଶ୍ରୀମନ୍ଦିରରେ ପୂଜା କରାଯାଉଛି । ଭିନ୍ନ ଭିନ୍ନ ସମୟରେ ତତ୍କାଳୀନ ଗଜପତି ମହାରାଜା ମାନେ ଶ୍ରୀମନ୍ଦିର ରେ ପ୍ରଭୁ ଗଣେଶଙ୍କୁ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି ।


Sponsored
ganesh-chaturthi-at-puri-temple | Argus News