Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Saraswati Puja / ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା ସରସ୍ଵତୀ

Rashmita Mishra
Browse all articles by Rashmita Mishra
·5 months ago·2 min read
ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା ସରସ୍ଵତୀ
Saraswati Puja

Key Points

ଆଜି ପବିତ୍ର ଶ୍ରୀପଞ୍ଚମୀ ...ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା ସରସ୍ବତୀ ...ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ...ଶିକ୍ଷାନୁଷ୍ଠାନମାନଙ୍କରେ ପୂଜାପାଠ...

ଆଜି ପବିତ୍ର ଶ୍ରୀପଞ୍ଚମୀ, ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ଵତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ । ହିନ୍ଦୁଧର୍ମରେ ସରସ୍ଵତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ | ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା’ ସରସ୍ବତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ବରୂପ ଆଦ୍ୟାଶକ୍ତିଙ୍କର ।

ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ବିଦ୍ୟାର୍ଥୀମାନେ ଶ୍ରେଣୀଗୃହକୁ ରଙ୍ଗୀନ କାଗଜମାଳାରେ ସଜାଇ ମା’ଙ୍କୁ ଆରାଧନା କରିଥାନ୍ତି। ମା’ ସରସ୍ଵତୀଙ୍କ ପୂଜାରେ ପଞ୍ଚାମୃତ, ଧଳା ଫୁଲ, ଚନ୍ଦନ, ଆଖୁ, ଖୁରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଆଦି ଅର୍ପଣ କରାଯାଏ । ମା’ଙ୍କ ପୂଜା ଅର୍ଚ୍ଚନା ଓ ପୁଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି।

ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ଵେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ, ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖ୍ ପୂଜା କରିଥାନ୍ତି। ସରସ୍ଵତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହୋଇଥାଏ ।

ପୂଜାକୁ ନେଇ ଗୁରୁବାର ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । କିଏ ମୂର୍ତ୍ତି କିଣିବାରେ ବ୍ୟସ୍ତ ଥିଲେ ତ କିଏ ପୂଜା ସାମଗ୍ରୀ । ସନ୍ଧ୍ୟାରେ ପୂରା ସହର ଚଳଚଞ୍ଚଳ ହୋଇଉଠିଥିଲା । ପୂଜା ପାଇଁ ତାଜା ଫୁଲ ଓ ଫଳର ସମ୍ଭାର ଦୋକାନରେ ଦେଖାଯାଇଥିଲା । ମା’ଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରିବା ଲାଗି ସବୁଠାରୁ ବେଶୀ ଭିଡ଼ ଦେଖାଦେଇଥିଲା । ରାସ୍ତାକଡ଼ରେ ଶିଳ୍ପୀମାନେ ଖୁବ୍ ସୁନ୍ଦର ମୃଣ୍ମୟୀ ପ୍ରତିମା ସଜେଇ ରଖିଥିଲେ । ପୂଜାରେ ଛାତ୍ରଛାତ୍ରୀମାନେ ନୂଆ ଖାତା, କଲମ ମା’ଙ୍କ ନିକଟରେ ପୂଜା କରିଥାନ୍ତି । ସେଥିପାଇଁ ବହି, ଖାତା ଦୋକାନରେ ମଧ୍ୟ ଅଭିଭାବକ ଓ ପିଲାମାନଙ୍କର ପ୍ରବଳ ଗହଳି ଦେଖାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁରୁବାର ସଫାସୁତରା କରି ଜୋରଦାର୍ ସାଜସଜା କରିଛନ୍ତି । ବ୍ରାହ୍ମଣଙ୍କୁ ମଧ୍ୟ ଆଗରୁ ବରାଦ ଦିଆସରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Saraswati Puja | Goddess Saraswati Descends on Earth – The Goddess of Knowledge | Argus News