Navratri Special / କାହିଁକି ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମା’ ଶୈଳପୁତ୍ରୀ ?

Key Points
କାହିଁକି ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମା’ ଶୈଳପୁତ୍ରୀ ?
ସତୀଙ୍କଠାରୁ ଶୈଳପୁତ୍ରୀ... ଜାଣନ୍ତୁ ମା’ଙ୍କ ଦିବ୍ୟ ଅବତାରର ରହସ୍ୟ
ମା’ ଶୈଳପୁତ୍ରୀଙ୍କ ପୂଜାବିଧି, ପୌରାଣିକ କାହାଣୀ ଓ ଆଶୀର୍ବାଦର ମହତ୍ତ୍ୱ
ଜୟ ମା’ ଦୁର୍ଗା... ଶରତର ଶୁଭ୍ର ଆକାଶରେ କାଶତଣ୍ଡୀର ଦୋଳି, ଧରାପୃଷ୍ଠରେ ଭକ୍ତିର ମହକ, ଆଉ ଚାରିଆଡ଼େ ମା’ଙ୍କ ଆଗମନର ଦିବ୍ୟ ଆଭାସ…ଯେଉଁଠି ଶକ୍ତି, ସେଇଠି ସୃଷ୍ଟି... ଯେଉଁଠି ମା’, ସେଇଠି ମମତା, ଆଶୀର୍ବାଦ ଓ ଅସୀମ ଆସ୍ଥା । ମା’ ଦୁର୍ଗାଙ୍କ ନଅଟି ଦିବ୍ୟ ରୂପରେ ଲୁଚି ରହିଛି ଜୀବନର ନଅଟି ମହାମନ୍ତ୍ର, ଆଉ ସେହି ଆଧ୍ୟାତ୍ମିକ ଯାତ୍ରାର ପ୍ରଥମ ପାହାଚ ହେଉଛନ୍ତି ମା’ ଶୈଳପୁତ୍ରୀ । ତେବେ ମା’ଙ୍କ ଏହି ଦିବ୍ୟ ସ୍ୱରୂପ ପଛରେ ରହିଛି କେଉଁ ରହସ୍ୟ ? କାହିଁକି ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ଆରାଧନା କରାଯାଏ ? ଆଉ କେମିତି ତାଙ୍କ କୃପାରୁ ଜୀବନରେ ଭରିଉଠେ ସାହସ, ଶାନ୍ତି ଓ ସକାରାତ୍ମକ ଶକ୍ତି ? ଏହି ସବୁ ଆଧ୍ୟାତ୍ମିକ ରହସ୍ୟ ବିଷୟରେ ଜାଣିବା ଆମର ବିଶେଷ ଉପସ୍ଥାପନା ‘ନବରାତ୍ରୀ ସ୍ପେସିଆଲ୍’ରୁ । ଆସନ୍ତୁ, ମନରେ ଭକ୍ତି, ହୃଦୟରେ ଆସ୍ଥା ଆଉ ଓଠରେ ମା’ଙ୍କ ନାମ ନେଇ ଜାଣିବା ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପମା’ ଶୈଳପୁତ୍ରୀଙ୍କ ମହିମା...
ହିନ୍ଦୁ ଧର୍ମରେ ଶକ୍ତି ଉପାସନାର ରହିଛି ଏକ ସ୍ୱତନ୍ତ୍ର ମହତ୍ତ୍ୱ । ଶାରଦୀୟ ନବରାତ୍ର ହେଉ କି ବସନ୍ତୀ ନବରାତ୍ର, ମା’ଙ୍କ ଆରାଧନାରେ ଭକ୍ତିମୟ ହୋଇଉଠେ ପରିବେଶ । ନଅ ଦିନ ଧରି ନବଦୁର୍ଗାଙ୍କ ନଅଟି ସ୍ୱରୂପକୁ ପୂଜା କରିବାର ପରମ୍ପରା ରହିଛି ।
ପୌରାଣିକ କଥା ଅନୁସାରେ, ମା’ ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ କନ୍ୟା । ପୂର୍ବଜନ୍ମରେ ସେ ଥିଲେ ପ୍ରଜାପତି ଦକ୍ଷଙ୍କ କନ୍ୟା ସତୀ ଏବଂ ଭଗବାନ ଶିବଙ୍କ ପତ୍ନୀ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦକ୍ଷ ପ୍ରଜାପତି ଏକ ଯଜ୍ଞର ଆୟୋଜନ କଲେ, ହେଲେ ଅହଂକାର ଓ କ୍ରୋଧବଶତଃ ନିଜ ଜ୍ଵାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ପିତାଙ୍କ ଯଜ୍ଞରେ ପହଞ୍ଚି ସତୀ ଦେଖିଲେ, ତାଙ୍କ ସ୍ୱାମୀ ଶିବଙ୍କୁ ଅପମାନିତ କରାଯାଉଛି । ଏହି ଅପମାନ ସହ୍ୟ କରି ନ ପାରି ସତୀ ଯଜ୍ଞକୁଣ୍ଡରେ ନିଜ ଜୀବନ ତ୍ୟାଗ କଲେ । ସମୟ ବିତିଲା । ପରବର୍ତ୍ତୀ ଜନ୍ମରେ ସେ ହିମାଳୟଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମ ନେଲେ ଅଉ ହୈମବତୀ ନାମରେ ମଧ୍ୟ ପରିଚିତ ହେଲେ ଏହି ଦେବୀ ପୁନର୍ବାର ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କଲେ । ଏହିପରି ଭାବରେ ସତୀଙ୍କଠାରୁ ପାର୍ବତୀ ଏବଂ ପାର୍ବତୀଙ୍କଠାରୁ ଶୈଳପୁତ୍ରୀଙ୍କ ଦିବ୍ୟ ସ୍ୱରୂପକୁ ନେଇ ଭକ୍ତି ଓ ଆସ୍ଥାର ଏକ ଅନନ୍ୟ ପରମ୍ପରା ଗଢ଼ିଉଠିଛି ।
ମା’ଙ୍କ ପୂଜାବିଧି ଓ ନବରାତ୍ରର ମହତ୍ତ୍ୱ
ଧାର୍ମିକ ପରମ୍ପରା ଅନୁସାରେ, ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବରାତ୍ର ଆରମ୍ଭ ହୁଏ । ଏହି ସମୟରେ ଭକ୍ତମାନେ ଉପବାସ, ପୂଜାପାଠ ଓ ମା’ଙ୍କ ନାମ ସ୍ମରଣ କରି ନିଜ ମନକୁ ଭକ୍ତିରେ ନିମଗ୍ନ କରନ୍ତି । ପୂଜା ପାଇଁ ପ୍ରଥମେ ଘରର ଏକ ପରିଷ୍କାର ସ୍ଥାନକୁ ଶୁଦ୍ଧ କରି ମା’ଙ୍କ ଫଟୋ ବା ପ୍ରତିମା ସ୍ଥାପନ କରାଯାଏ । ପରମ୍ପରା ଅନୁଯାୟୀ ଘଟସ୍ଥାପନା କରି ଦୀପ ଜଳାଯାଏ ଏବଂ ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରି ମା’ଙ୍କ ଆରାଧନା କରାଯାଏ ।
କେତେକ ଧାର୍ମିକ ବିଶ୍ୱାସ ଅନୁସାରେ, ମା’ଙ୍କୁ ମନ୍ଦାର ଫୁଲ, ଜାଇଫଳ, ଅଁଳା ଓ କଦଳୀ ଅର୍ପଣ କଲେ ବିଭିନ୍ନ ଶୁଭଫଳ ମିଳିଥାଏ । ସେହିପରି ଏହି ପବିତ୍ର ନଅ ଦିନରେ ଦାନ, ଧର୍ମ ଓ ଅସହାୟଙ୍କ ସେବା କରିବାକୁ ମଧ୍ୟ ବିଶେଷ ପୁଣ୍ୟକାର୍ଯ୍ୟ ବୋଲି ମନେ କରାଯାଏ । ତେବେ ମନେ ରଖନ୍ତୁ, ମା’ଙ୍କ ପୂଜାରେ କେବଳ ଆଡ଼ମ୍ବର ନୁହେଁ, ବରଂ ଶୁଦ୍ଧ ମନ, ସଚ୍ଚା ଭକ୍ତି ଓ ନିଷ୍କାମ ସେବା ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ତେବେ ଦର୍ଶକବନ୍ଧୁ, ମା’ ଶୈଳପୁତ୍ରୀଙ୍କ ଏହି ପୌରାଣିକ କାହାଣୀ ଆମକୁ ଶିଖାଏ ଆସ୍ଥା, ଧୈର୍ଯ୍ୟ ଓ ଅଟଳ ଭକ୍ତିର ମହତ୍ତ୍ୱ ।
📱 Get Argus News App
✨Related Topics
Explore more stories