Videos
|
Devotion

Paribartan Ekadasi / ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ହୁଏ ପାର୍ଶ୍ୱ ପରିବର୍ତ୍ତନ

Smruti Parija
Browse all articles by Smruti Parija
·1 year ago·3 min read
ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ହୁଏ ପାର୍ଶ୍ୱ ପରିବର୍ତ୍ତନ

Key Points

ଆଜି ହେଉଛି ପବିତ୍ର ପାର୍ଶ୍ବ ପରିବର୍ତ୍ତିନ ଏକାଦଶୀ

୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତି ମହାପ୍ରଭୁ

ଭୋଗମଣ୍ଡପ ନୀତି ଶେଷ ହେବା ପରେ ଆରମ୍ଭ ହୁଏ ଏହି ନୀତି

ଆଜି ହେଉଛି ପବିତ୍ର ପାର୍ଶ୍ବ ପରିବର୍ତ୍ତିନ ଏକାଦଶୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀରେ ଚତୁର୍ଦ୍ଧାବିଗ୍ରହଙ୍କ ପାର୍ଶ୍ବ ପରିବର୍ତ୍ତିନ କରାଯାଏ । ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି l


ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି ।ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଦଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି । ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ। ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି। ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋ ପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହା ଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି । ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା, କୁର୍ବନ୍ତିମାଳ ୩ ମୂର୍ତ୍ତିକୁ ପତନୀ ଘୋଡେଇ ରଖିଥାନ୍ତି । ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ । ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି ।


ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗରେ ସର୍ବାଙ୍ଗ ଲାଗି କରାଇଥାନ୍ତି । ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ, ଛତ୍ର, କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି । ଆଜି ଶ୍ରୀମନ୍ଦିରରେ ୨ ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ ।


ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୂର ଆଳତି ହେବା ପରେ ପାର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ । ମୁଦିରସ୍ତ, ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ । ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି । ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି । ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପାଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ ।


ତେବେ ବର୍ଷକରେ 24ଟି ଏକାଦଶୀ ପଡିଥାଏ । ସେଥିମଧ୍ୟରୁ 4 ଟି ଏକାଦଶୀକୁ ବଡ ଏକାଦଶୀ କୁହାଯାଏ । ଶ୍ରୀ ହରିଶୟନ ଏକାଦଶୀ । ଯାହା ଆଷାଢ ମାସରେ ପଡିଥାଏ । ସେହିପରି ଶ୍ରୀବିଷ୍ଣୁ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ଯାହା ଭାଦ୍ରବ ମାସରେ ପଡିଥାଏ । ସେହିପରି ଶ୍ରୀଦେବୋଉତ୍ଥାପନ ଏକାଦଶୀ ଯାହା କାର୍ତ୍ତିକ ମାସରେ ପଡିଥାଏ ଏବଂ ମାଘ ମାସରେ ପଡିଥାଏ ଭୌମ ଏକାଦଶୀ ।

Related Topics

Explore more stories