ରାମନବମୀ ଉପଲକ୍ଷେ ସ୍ବତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ଦର୍ଶନ ବନ୍ଦ

ଆଜି ପବିତ୍ର ରାମନବମୀ । ରାମନାମରେ ଗୁଞ୍ଜରିତ ହେଉଛି ଗଗନ ପବନ । ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ନବମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀରାମ ଜନ୍ମ ନୀତି ପାଇଁ ଆଜି ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପ ଧାରଣ କରି ଶ୍ରୀରାମଙ୍କୁ ଜନ୍ମଦେବାର ବିଧି ରହିଥାଏ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ଅର୍ଥାତ ଗତକାଲି ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା ।
ଆଜି ନବମୀରେ ଠାକୁର ମାନଙ୍କର ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଅନୁଷ୍ଠିତ ହେବ । ସେପଟେ ଅନ୍ୟପଟରେ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ । କଟକ ଖପୁରିଆ ସ୍ଥିତ କରତକଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ।

