Puri Srimandir / ମହାପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

Key Points
ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ।
ମହାପଞ୍ଚୁକର ଦ୍ୱିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ତ୍ରିବିକ୍ରମ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କ ଏହି ମନୋରମ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀଜୀଉମାନଙ୍କ ଅବକାଶ ନୀତି ସମାପନ ପରେ ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିବେ ।
ତ୍ରିବିକ୍ରମ ବେଶର ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ସ୍ୱତନ୍ତ୍ର ଚୂଳ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ନିର୍ମିତ ଚୂଳ ଲଗାଯାଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଡାଳି ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଶୋଭା ପାଇଥାଏ । ଦେବୀ ସୁଭଦ୍ରାଙ୍କ ସମେତ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକରେ ମଧ୍ୟ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜାଯାଇଥାଏ ।
ଏହି ବେଶରେ ଠାକୁରମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପାଟବସ୍ତ୍ରରେ ସଜ୍ଜିତ କରାଯାଏ । ଶ୍ରୀଜୀଉମାନେ ହଳ, ମୂଷଳ, ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି । ଏଥିସହ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି ଓ ପଦକ ମାଳି ସହିତ ଅନ୍ୟାନ୍ୟ ଅଳଙ୍କାର, ଶ୍ରୀପୟର ଓ ଶ୍ରୀହସ୍ତ ଲାଗି କରାଯାଏ । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପ ଭକ୍ତଙ୍କୁ ଆଧ୍ୟାତ୍ମିକ ଭାବନାରେ ବିଭୋର କରିଥାଏ ।
ଅନ୍ୟପକ୍ଷରେ ମହାପଞ୍ଚୁକର ଦ୍ୱିତୀୟ ଦିନରେ ଚଉରା ପୂଜା ସହ ହବିଷ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀମାନେ । ମାସବ୍ୟାପୀ କାର୍ତ୍ତିକ ବ୍ରତ ପାଳନ ପରେ ପଞ୍ଚୁକର ଏହି ପବିତ୍ର ଦିନଗୁଡ଼ିକରେ ଧାର୍ମିକ ଆସ୍ଥା ଆହୁରି ଗଭୀର ହୋଇଛି । ବ୍ରତ ପାଳନ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗି ରହିଛି ଭକ୍ତଙ୍କ ଗହଳି ଚହଳି। ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଛି ସମଗ୍ର ଶ୍ରୀମନ୍ଦିର ପରିସର ।
📱 Get Argus News App
✨Related Topics
Explore more stories