Videos
|
Education-employment

First Aid / ସଙ୍କଟ ସମୟରେ ଡାକ୍ତର ନୁହେଁ, ଆପଣଙ୍କ ଫାଷ୍ଟ ଏଡ୍ ଜ୍ଞାନ ହିଁ ବଞ୍ଚାଇପାରେ ଜୀବନ

Ritu Das
Browse all articles by Ritu Das
·1 hour ago·3 min read
ସଙ୍କଟ ସମୟରେ ଡାକ୍ତର ନୁହେଁ, ଆପଣଙ୍କ ଫାଷ୍ଟ ଏଡ୍ ଜ୍ଞାନ ହିଁ ବଞ୍ଚାଇପାରେ ଜୀବନ
India

Key Points

  • Golden Hourରେ ଫାଷ୍ଟ ଏଡ୍‌ ଜ୍ଞାନ ବଞ୍ଚାଇପାରେ ମୂଲ୍ୟବାନ ଜୀବନ
  • CPRଠାରୁ ରକ୍ତସ୍ରାବ ବନ୍ଦ କରିବା ଯାଏ, ପ୍ରତି ନାଗରିକ ଜାଣିବା ଜରୁରୀ ଫାଷ୍ଟଏଡ୍‌
  • ହାତରେ ସମୟ ନଥାଏ, ଆଉ ଆଖି ପିଛୁଳାକେ ଘଟିଯାଇଥାଏ ଏକ ଅଘଟଣ। ସଡ଼କ ଦୁର୍ଘଟଣା ହେଉ ଅଥବା ଅନ୍ୟ କିଛି , ଏହିପରି ଜରୁରୀକାଳୀନ ପରିସ୍ଥିତିରେ ରୋଗୀର ନିଃଶ୍ୱାସ ବନ୍ଦ ହେବା ପୂର୍ବରୁ ଯେଉଁ ପ୍ରଥମ ସହାୟତା ମିଳେ, ତାହାହିଁ ପ୍ରକୃତରେ ' ଜୀବନର ସଞ୍ଜୀବନୀ ' ପାଲଟି ଥାଏ । ସେହି ପ୍ରାଥମିକ ଚିକିତ୍ସା (First Aid)ର ମହତ୍ତ୍ୱ ଓ ସଚେତନତାକୁ ନେଇ ପାଳିତ ହୁଏ 'ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ' ଅର୍ଥାତ୍‌ ( ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର) ।

    • ସ୍ୱତନ୍ତ୍ରତା ଓ ମୂଳମନ୍ତ୍ର

    ଆନ୍ତର୍ଜାତୀୟ ରେଡକ୍ରସ୍ ଏବଂ ରେଡ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ (IFRC) ପକ୍ଷରୁ ଚଳିତ ବର୍ଷ (୨୦୨୬) ଏହି ଦିବସର ମୂଳମନ୍ତ୍ର ବା ଥିମ୍ ରହିଛି— "ପ୍ରବାସୀ ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା" (First Aid in Migration Contexts) । ବିପର୍ଯ୍ୟୟ ଏବଂ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ଅସହାୟ ଲୋକଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଏବଂ ମାନବୀୟ ସହାୟତା ଯୋଗାଇଦେବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
    ପ୍ରାଥମିକ ଚିକିତ୍ସାର ମୂଳ ଲକ୍ଷ୍ୟ ହେଉଛି ଜଣେ ଆହତ ବା ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ମିଳିବା ପୂର୍ବରୁ ତୁରନ୍ତ ଏବଂ ସାମୟିକ ଯତ୍ନ ଯୋଗାଇଦେବା।

    • ଏହାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକୁ ସାରା ବିଶ୍ୱରେ "3 Ps" କୁହାଯାଏ

    • Preserve Life (ଜୀବନ ରକ୍ଷା କରିବା): ଏହା ସବୁଠାରୁ ବଡ଼ ଏବଂ ପ୍ରଥମ କର୍ତ୍ତବ୍ୟ। ଆହତ ବ୍ୟକ୍ତିଙ୍କୁ ଜୀବିତ ରଖିବା ପାଇଁ ତୁରନ୍ତ CPR ଦେବା କିମ୍ବା ପ୍ରଚୁର ରକ୍ତସ୍ରାବ ବନ୍ଦ କରିବା ରେ ସାହାର୍ଯ୍ୟ କରେ।
    • Prevent Worsening (ଅବସ୍ଥା ଅଧିକ ଖରାପ ହେବାରୁ ରୋକିବା): ରୋଗୀର ସ୍ଥିତି ଯେପରି ଆଉ ଅଧିକ ଗୁରୁତର ନ ହୁଏ, ତାହା ନିଶ୍ଚିତ କରିବା। ଉଦାହରଣ ସ୍ୱରୂପ, ସଂକ୍ରମଣ ରୋକିବା ପାଇଁ କ୍ଷତ ସ୍ଥାନକୁ ଘୋଡ଼ାଇବା କିମ୍ବା ଭାଙ୍ଗିଯାଇଥିବା ହାଡ଼କୁ ସ୍ଥିର ରଖିବା ଯେପରି ଭିତର ଅଙ୍ଗ ପ୍ରତି ବିପଦ ନଆସେ
    • Promote Recovery (ସୁସ୍ଥ ହେବାରେ ସାହାଯ୍ୟ କରିବା): ପ୍ରାରମ୍ଭିକ ସ୍ତରରୁ ହିଁ ରୋଗୀକୁ ସୁସ୍ଥ କରିବା ପ୍ରକ୍ରିୟାରେ ସାହାଯ୍ୟ କରିବା। ଏଥିପାଇଁ ଆହତ ବ୍ୟକ୍ତିଙ୍କୁ ଆଶ୍ୱାସନା ଦେଇ ତାଙ୍କ ମାନସିକ ଚାପ କମାଇବା, ଯନ୍ତ୍ରଣା ଉପସମ କରିବା (ଯେପରି ପୋଡ଼ା ଜାଗାରେ ଥଣ୍ଡା ପାଣି ଢାଳିବା) ଏବଂ ଶୀଘ୍ର ଆମ୍ବୁଲାନ୍ସ ବା ଡାକ୍ତରଖାନା ପହଞ୍ଚାଇବା
    ପ୍ରତିଟି ନାଗରିକ ଜାଣିବା ଜରୁରୀ

    ଡାକ୍ତରମାନଙ୍କ ମତରେ, ଦୁର୍ଘଟଣା ଘଟିବାର ପ୍ରଥମ କିଛି ମିନିଟ୍ (Golden Hour) ରୋଗୀ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ଯଦି ଆଖପାଖର ଲୋକ ମାନେ ସାମାନ୍ୟ ପ୍ରାଥମିକ ଚିକିତ୍ସା ଯେପରିକି - ରକ୍ତସ୍ରାବ ବନ୍ଦ କରିବା, ସିପିଆର୍ (CPR) ଦେଇ ଶ୍ୱାସକ୍ରିୟା ସ୍ୱାଭାବିକ୍ ରଖିବା କିମ୍ବା ବାୟୁପଥ ଖୋଲା ରଖିବା ଭଳି କୌଶଳ ଜାଣିଥାନ୍ତି, ତେବେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିବ। ମାତ୍ର ଦୁଃଖର କଥା ଆମ ଦେଶରେ ଏବେ ବି ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ମୌଳିକ ପ୍ରାଥମିକ ଚିକିତ୍ସାର କୌଣସି ଜ୍ଞାନ ନାହିଁ ଯାହାକି ଚିନ୍ତାର ବିଷୟ ପାଲଟିଛି।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    • ବିଦ୍ୟାଳୟ ଏବଂ କର୍ମକ୍ଷେତ୍ରରେ ଆବଶ୍ୟକତା

    କେବଳ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ନୁହେଁ, ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ, ଗାଡ଼ି ଚାଳକ ଏବଂ କାର୍ଯ୍ୟାଳୟ କର୍ମଚାରୀ ପ୍ରାଥମିକ ଚିକିତ୍ସାର ମୌଳିକ ଶିକ୍ଷଣ ପାଇବା ଉଚିତ। ରାଜ୍ୟର ବିଭିନ୍ନ ସ୍କାଉଟ୍ ଓ ଗାଇଡ୍, ରେଡକ୍ରସ୍ ଯୁବ ସ୍ୱେଚ୍ଛାସେବୀମାନେ ଆଜି ବିଭିନ୍ନ ସଚେତନତା ଶିବିର ଏବଂ ଶୋଭାଯାତ୍ରା ଜରିଆରେ ଲୋକଙ୍କୁ ଏହି ବାର୍ତ୍ତା ଦେଉଛନ୍ତି।

    ପ୍ରାଥମିକ ଚିକିତ୍ସା କେବଳ ଏକ ଡାକ୍ତରୀ ବିଜ୍ଞାନର ଅଂଶ ନୁହେଁ, ବରଂ ଏହା ମାନବିକତାର ଏକ ପ୍ରକୃତ ପରିପ୍ରକାଶ। ଆସନ୍ତୁ ଆମେ ସମସ୍ତେ ମିଶି ପ୍ରତିଜ୍ଞା କରିବା ଯେ ଆମେ କେବଳ ଆମ ନିଜ ପାଇଁ ନୁହେଁ ବରଂ ବିପଦରେ ଥିବା ଅନ୍ୟ ଜଣଙ୍କ ଜୀବନ ରକ୍ଷା ପାଇଁ ମଧ୍ୟ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ଆହ୍ୱରଣ କରିବା ।