NLUO Student Protest: '୯୦ ଲକ୍ଷ ନେଉଛନ୍ତି, ମାନସିକ ଚାପ ପକାଉଛନ୍ତି'

ଅର୍ଗସ ବ୍ୟୁରୋ: NLU ରେ ଛାତ୍ର ଅଶାନ୍ତି । ବିଶ୍ବବିଦ୍ୟାଳୟରେ ସମସ୍ୟା ନେଇ ଗର୍ଜିଲେ ଛାତ୍ରଛାତ୍ରୀ । କର୍ତ୍ତୃପକ୍ଷଙ୍କୁ କଲେ କଡ଼ା ସମାଲୋଚନା । କହିଲେ ୯୦ ଲକ୍ଷ ଟଙ୍କା ଦେଉଛୁ, ହେଲେ ଓ୍ବାଇଫାଇ ନାହିଁ, AC ନାହିଁ, ଲାଇବ୍ରେରୀକୁ ଅନୁମତି ନାହିଁ । ନାସନାଲ ଲ' ୟୁନିଭର୍ସିଟି ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ । ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ପିଲାଙ୍କ ପାଠ ପଢ଼ା ପାଇଁ ଅବଶ୍ୟକୀୟ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଦାବି ପୁରଣ ନହେବ ସେତେଦିନ ପର୍ଯ୍ୟନ୍ତ ଏହି ଅନଶନ ଚାଲିବ ବୋଲି ସେମାନେ ଜିଦ୍ରେ ଅଡ଼ି ବସିଛନ୍ତି । ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ନହେବା ଯାଏଁ ଅନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ ବି ଏଥିପ୍ରତି କେହି ଗୁରୁତ୍ବ ଦେଇନାହାନ୍ତି । ବାରମ୍ବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଲ୍ଲେଖ କରାଯାଇଛି । ସେଥିରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ଶୈକ୍ଷିକ ବାତାବରଣ ନାହିଁ । ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ ଏଠାରେ ଭଙ୍ଗ କରାଯାଉଛି ।
ଭିତ୍ତିଭୂମିର ଅଭାବ, କଟକଣା
ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ମଧ୍ୟରୁ ଗୋଟିଏ ସମସ୍ୟା ହେଲା, କଲେଜରେ କ୍ଲାସ ସରିବା ପରେ ସେମାନଙ୍କୁ ଏକାଡେମିକ୍ ବ୍ଲକ୍ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ଯାହାଫଳରେ ସେମାନଙ୍କ ପାଠ ପଢ଼ିବା ପାଇଁ କିମ୍ବା କୌଣସି ସ୍ଥାନରେ ବସି ପାଠ୍ୟ ସମ୍ବନ୍ଧୀୟ ଆଲୋଚନା ପାଇଁ ଆଉ ସ୍ଥାନ ରହୁ ନାହିଁ । ପାଠ ପଢ଼ିବାକୁ ଯାଗା ସଙ୍କୁଚିତ ହୋଇଯାଉଛି ।
ଏହାବାଦ ଛାତ୍ରଛାତ୍ରୀଙ୍କ ପାଇଁ ଭିତ୍ତିଭୂମିର ମଧ୍ୟ ଘୋର ଅଭାବ ରହିଛି । ବର୍ଷକୁ ୯୦ ଲକ୍ଷ ଟଙ୍କାରୁ ଅଧିକ ଫି' ଦେଉଥିଲେ ବି ସେମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ଓ୍ବାଇଫାଇର ବ୍ୟବସ୍ଥା କରାଯାଇ ନାହିଁ । ଜରୁରୀ ସେବାର ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ । ଏୟାର କଣ୍ଡିସନ ରୁମ୍ ବି ନାହିଁ । ଓ୍ବାସ୍ରୁମ୍ ଗୁଡ଼ିକ ଭଲ ଭାବେ ସଫା କରାଯାଉ ନାହିଁ। ଏମିତିକି ଲାଇବ୍ରେରୀକୁ ମଧ୍ୟ ସବୁ ଛାତ୍ରଛାତ୍ରୀଙ୍କୁ ଯିବାକୁ ଅନୁମତି ନାହିଁ ।
ମାନସିକ ଚାପ
ଛାତ୍ରଛାତ୍ରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ମାନସିକ ଚାପ ପକାଉଛନ୍ତି । ଏମିତିକି ଯେଉଁ ଛାତ୍ରଛାତ୍ରୀ ଷ୍ଟ୍ରେସରେ ରହୁଛନ୍ତି ସେମାନଙ୍କୁ ବୁଝାସୁଝା ବି କରୁନାହାନ୍ତି । ଯଦି କେହି ନିଜ ସମସ୍ୟା ସମ୍ପର୍କରେ ଜଣାଇବାକୁ ଚେଷ୍ଟା କରୁଛି, ତା'ଉପରେ ଓଲଟା ଅଧିକ ଚାପ ପକାଯାଉଛି । ଛାତ୍ରଛାତ୍ରୀ କିଭଳି ଷ୍ଟ୍ରେସକୁ ଯିବେ ନାହିଁ, ସେନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
ବାରମ୍ବାର ବଦଳୁଛି ପରୀକ୍ଷା ବ୍ୟବସ୍ଥା
📱 Get Argus News App
✨ଆଉ ଏକ ସାଂଘାତିକ ଅଭିଯୋଗ ହେଲା, ଛାତ୍ରଛାତ୍ରୀଙ୍କ ସହ କୌଣସି ଆଲୋଚନା ନକରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ପରୀକ୍ଷା ପ୍ୟାଟର୍ଣ୍ଣ ବଦଳାଉଛନ୍ତି । ଏମିତିକି ଖାତା ଦେଖା ବ୍ୟବସ୍ଥା ମଧ୍ୟ ମନ ଇଚ୍ଛା ବଦଳାଉଛନ୍ତି କର୍ତ୍ତୃପକ୍ଷ । ଯେଉଁଥିପାଇଁ ଛାତ୍ରଛାତ୍ରୀ ଅଧିକ ଷ୍ଟ୍ରେସ ଆଡ଼କୁ ଗତି କରୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଥର ବଦଳିଛି ପରୀକ୍ଷା ଓ ଖାତା ଦେଖା ବ୍ୟବସ୍ଥା । ୨୦୨୫ ଜାନୁଆରୀ ୧ରେ ମଧ୍ୟ ନୂଆ ନିୟମ ଲାଗୁ କରାଯାଇଛି । ଯାହାକି ଛାତ୍ରଛାତ୍ରୀଙ୍କୁ ଅଧିକ ଚାପଗ୍ରସ୍ତ କରୁଛି ।
ପ୍ରାଇଭେସି ଲିକ୍
ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରଖୁନାହାନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ୨୦୨୪ ନଭେମ୍ବର ୧୧ରେ ବିଶ୍ବବିଦ୍ୟାଳୟ ବିରୋଧରେ ଅଭିଯୋଗ ଆସିଥିଲା ଯେ, ପ୍ରାୟ ୧୨୦୦ ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ତଥ୍ୟ ଓ ଅନ୍ୟ ବ୍ୟକ୍ତିଗତ ତଥ୍ୟ ଲିକ୍ କରାଯାଇଛି ।