ଜ୍ଞାନପୀଠ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ ବିନୋଦ କୁମାର ଶୁକ୍ଳା

ବିଶିଷ୍ଟ ହିନ୍ଦୀ ସାହିତ୍ୟ ଲେଖକ ବିନୋଦ କୁମାର ଶୁକ୍ଳା ପାଇବେ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ଜ୍ଞାନପୀଠ ପୁରସ୍କାର। ସେ ୫୯ ତମ ଜ୍ଞାନପୀଠ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି।
ସମସାମୟିକ ହିନ୍ଦୀ ସାହିତ୍ୟରେ ଜଣେ ସୃଜନ ସ୍ରଷ୍ଟା ହେଉଛନ୍ତି ବିନୋଦ କୁମାର ଶୁକ୍ଳା। ତାଙ୍କ ଘର ଛତିଶଗଡ଼। ଛତିଶଗଡ଼ର ଲେଖକ ଭାବେ ସେ ପ୍ରଥମଥର ଏହି ପୁରସ୍କାର ପାଉଛନ୍ତି। ତାଙ୍କ ଲିଖିତ ପାଠକ ପ୍ରିୟ ପୁସ୍ତକ ମଧ୍ୟରେ ରହିଛି '' ନୌକର କି କମିଜ'', 'ସବ କୁଛ ହୋନା ବଚା ରହେଗା' ।
୧୯୮୯ ମସିହାରେ ତାଙ୍କ ପୁସ୍ତକ ‘ଦିୱାର ମେଁ ଏକ ଖିଡ଼କି ରହତି ଥି’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କବିତା, ଉପନ୍ୟାସ, ଗଳ୍ପ ଆଦି ଲେଖନ୍ତି। ବିନୋଦ କୁମାର ଶୁକ୍ଳାଙ୍କ ଜନ୍ମ ୧ ଜାନୁଆରୀ ୧୯୩୭ ମସିହାରେ ଛତିଶଗଡ଼ର ରାଜନନ୍ଦଗାଓଁରେ ହୋଇଥିଲା।
📱 Get Argus News App
✨ତାଙ୍କର ସାହିତ୍ୟ ପ୍ରତି ଥିବା ବିଶେଷ ଅବଦାନ ପାଇଁ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରସିଦ୍ଧ ଲେଖିକା ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ଚୟନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁରସ୍କାର ବାବଦରେ ତାଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି।
ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ । ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ ଗୋଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକ ଏହି ପୁରସ୍କାର ପାଇଥାନ୍ତି।