ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

Key Points
ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ପରଲୋକ
ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା
ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି
ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ରଙ୍ଗମଞ୍ଚରୁ। ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରିଦୁ’ ମାଧ୍ୟମରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ।
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ତେଲୁଗୁ ସହିତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଚଳଚ୍ଚିତ୍ର ମଧ୍ୟ ରହିଛି। ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ତାଙ୍କର ବହୁମୁଖୀ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ତାଙ୍କର କେତେକ ହିଟ୍ ଫିଲ୍ମ ମଧ୍ୟରେ ରହିଛି ‘ଆହା ନା ପେଲ୍ଲାନ୍ତା!’, ‘ପ୍ରତିଗତନା’, ‘ଖୈଦୀ ନମ୍ବର ୭୮୬’, ‘ଶିବା’, ଓ ‘ୟମଲୀଲା’। ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ‘ସୁବର୍ଣ୍ଣ ସୁନ୍ଦରୀ’ ଥିଲା ତାଙ୍କର ଶେଷ ତେଲୁଗୁ ଚଳଚ୍ଚିତ୍ର। ତାଙ୍କର ଅଭିନୟ ପାଇଁ ସେ ୨୦୧୫ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ସହିତ ୯ଟି ନନ୍ଦୀ ପୁରସ୍କାର ଗ୍ରହଣ କରିଥିଲେ।
📱 Get Argus News App
✨ଚଳଚ୍ଚିତ୍ର ଜଗତ ବ୍ୟତୀତ, ଶ୍ରୀନିବାସ ରାଓ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ଭାବେ ବିଜୟୱାଡ଼ା ପୂର୍ବ ର୍ନିବାଚନ ମଣ୍ଡଳୀରୁ ବିଧାୟକ ଭାବେ ର୍ନିବାଚିତ ହୋଇ ଜନସେବା କରିଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କୋଟା ଶ୍ରୀନିବାସ ରାଓଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତେଲୁଗୁ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଚିରଞ୍ଜୀବୀ ତାଙ୍କୁ ବହୁମୁଖୀ ପ୍ରତିଭା ଭାବେ ଅଭିହିତ କରି ଶୋକ ପ୍ରକାଶ କରିଛନ୍ତି। ଅଭିନେତା ରବି ତେଜା, ଯିଏ ଶ୍ରୀନିବାସ ରାଓଙ୍କ ସହ ୧୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି, ସେ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ମୁଁ ତାଙ୍କୁ ଦେଖି ବଡ଼ ହୋଇଛି, ତାଙ୍କ ଅଭିନୟରୁ ଶିଖିଛି। ସେ ମୋ ପାଇଁ ପରିବାର ସଦସ୍ୟ ପରି ଥିଲେ।