୪ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ଛାଡ଼ିଛନ୍ତି ଅନେକ ଛାପ; ୩ ପିଢ଼ିକୁ କରିଛନ୍ତି ପ୍ରଭାବିତ

Key Points
ଓଡ଼ିଆ ଫିଲ୍ମ ଜଗତକୁ ଷ୍ଟାରଡମ୍ ଶିଖାଇ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ, ସେ କିମ୍ବଦନ୍ତୀ ଅଭିନେତା ଆଜିଠୁ ଅତୀତ । ପାଖାପାଖି ଚାରି ଦଶନ୍ଧିର ଅଭିନୟକୁ ଛାଡ଼ି ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ।
ଭୁବନେଶ୍ଵର: ଯାହାଙ୍କ କର୍ମଭୂମି ଥିଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି, ଜୀବନ ଥିଲା ଚଳଚ୍ଚିତ୍ର ଆଉ ଦର୍ଶକ ଥିଲେ ତାଙ୍କ ପାଇଁ ଭଗବାନ । ଓଡ଼ିଆ ଫିଲ୍ମଜଗତକୁ ଷ୍ଟାରଡମ୍ ଶିଖାଇ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ, ସେ କିମ୍ବଦନ୍ତୀ ଅଭିନେତା ଆଜିଠୁ ଅତୀତ । ପାଖାପାଖି ଚାରି ଦଶନ୍ଧିର ଅଭିନୟକୁ ଛାଡ଼ି ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି । ସେ ହେଉଛନ୍ତି ଓଡ଼ିଶାରେ ଘରେ ଘରେ ପରିଚିତ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ୯୦ ଦଶକର ଏହି ସୁପରଷ୍ଟାରଙ୍କୁ ଅର୍ଗସ ନ୍ୟୁଜର ସଲାମ ।
ତାଙ୍କ ମନ ଥକି ନଥିଲା । ହେଲେ ଚକାନୟନଙ୍କର ବୋଧେ ତାଙ୍କୁ ସବୁଦିନ ଦେଖିବାକୁ ଇଚ୍ଛା ହେଲା । ସେ ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବେ କି ନାହିଁ ସେକଥା ତ କେହି ଜଣା ନାହିଁ । ହେଲେ ତାଙ୍କ ଅବର୍ତ୍ତମାନରେ ସମସ୍ତଙ୍କ ନେତ୍ରରେ ଲୁହର ପଖାଳ । ମେଘର ଜ୍ୟାମିତିରେ ବି ଆଜି ଥମଥମ୍ ଆକାଶ । କୋଳାହଳ ସତରେ କ’ଣ ଏତେ ନୀରବ ହୁଏ ? ଏମତି ନୀରବି ଯାଏ ଯେ ନିଜ ସ୍ଵର ବି ଆଉ ମନେ ପଡ଼େନା । ସେହି ନୀରବତା ପାଇଁ ଆଜି ସାରା ଓଡ଼ିଶାରେ ଶୂନ୍ୟତାର ଦୁଃଖ ।
କେମିତି ଗୋଟେ ଶୂନ୍ୟତା ସବାର ହୋଇଛି କଳିଙ୍ଗ ଷ୍ଟୁଡିଓରୁ ଜଗନ୍ନାଥ ବିହାର ପୁଣି ବାରିପଦା ଯାଏଁ । ନ ହେବ ବା କେମିତି ? କାହିଁକି ନା ଶିଉଳି ଲତାରେ ନ ହେଲେ ବି ଏବେ ପରା ସତ୍ୟନଗର ଶ୍ମଶାନରେ ଶୋଇଛନ୍ତି ଓଡ଼ିଆ ସିନେ ଜଗତର ସବୁଠୁ ବଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି । ସମସ୍ତଙ୍କୁ ଛାଡ଼ି ସେ ଏତେ ଦୂରକୁ ଯାଇଛନ୍ତି ଯେ ଯେଉଁଠୁ ଆଉ ଫେରିବାର ନାହିଁ କି ଅଭିନୟର ଯାଗୁଗରୀ ଅନ୍ଦାଜରେ କାହାକୁ ହସେଇବା ବା କନ୍ଦେଇବାର ନାହିଁ ।
ଉତ୍ତମ… କେବଳ ଗୋଟେ ସେଲିବ୍ରିଟିର ନାଆଁ ନୁହେଁ, ସ୍ଵପ୍ନର ନାଆଁ ବି । କୁନିଆ ଭାଇ, କେବଳ ଗୋଟେ ଜୟପାଠର ନାଆଁ ନୁହେଁ, ଜୟଯାତ୍ରାର ବି । ହେଲେ ସେ ସ୍ଵପ୍ନକୁ ନେଇ ପ୍ରତି ମୁହୂର୍ତ୍ତରେ ଜୀଉଁଥିବା ସୌଦାଗର ଆଉ ସେ ଜୟଯାତ୍ରାରେ ଜୟପାଠ କରୁଥିବା ମଣିଷ ଜଣକ କିନ୍ତୁ ଆଜି ସେପାରିର ଅତିଥି ।
୧୩୫ରୁ ଅଧିକ ସିନେମାରେ ଯିଏ ଦର୍ଶକଙ୍କୁ ହସଉଥିଲା, କନ୍ଦାଉଥିଲା, ତମାମ ଜୀବନ କହୁଥିଲା ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା, ପାରସ୍ପରିକ ପ୍ରିୟବୋଧର କଥା, ପରସ୍ପରର ଆସ୍ଥା ଓ ଅସ୍ତିତ୍ଵ ପ୍ରତି ସମ୍ମାନବୋଧର କଥା । ସେଥିପାଇଁ ତ ଆଜି ତାଙ୍କ ସମ୍ମାନରେ ଓଡ଼ିଶା ଯେମିତି ଝାଉଁଳି ପଡ଼ିଛି ।
୧୯୫୮ ଡିସେମ୍ବର ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ ହୋଇଥିଲେ ଉତ୍ତମ ।
୧୯୭୬ରେ ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ପାଇଁ ତାଙ୍କୁ ସାଇନ୍ କରିବା ପର ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ସ୍ଵପ୍ନ ଦେଖୁଥିବା ଉତ୍ତମଙ୍କ ଜୀବନର ଗତିପଥ ଯେମିତି ବଦଳିଯାଇଥିଲା । ଫିଲ୍ମରୁ ପ୍ରେମ କରି ସେ ଅପରାଜିତାଙ୍କ ହାତ ଧରିଥିଲେ । ଆଉ ଫିଲ୍ମଯାତ୍ରାରେ ଅଭିମାନରୁ ଆରମ୍ଭ ହୋଇଥିବା ଯାତ୍ରା ପରେ ଶତାଧିକ ଓଡ଼ିଆ ଫିଲ୍ମରେ ଅପ୍ରତିଦ୍ଵନ୍ଦ୍ଵୀ ନାୟକରେ ଶେଷ ହୋଇଛି ।
କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ପାଚେରୀ ଉଠିଲା ମଝି ଦୁଆରେ, ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ସହର ଜଳୁଛି, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ଧର୍ମ ସହିଲେ ହେଲା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ, ଉଦଣ୍ଡି ସୀତା, ଯୋର ଯାର ମୂଲକ ତାର ଏମିତି ଆହୁରି ଅନେକ ଫିଲ୍ମ .. ଉତ୍ତମ ମହାନ୍ତି ଏକୁଟିଆ ସୁପରଷ୍ଟାର ଥିଲେ ଯିଏ ଓଲିଉଡ୍, ବଲିଉଡ୍ ଓ ହଲିଉଡର ନାୟିକାଙ୍କ ବିପକ୍ଷରେ ନାୟକ ଭାବେ ଅଭିନୟ କରିଥିଲେ ।
ସତ କହିବାକୁ ଗଲେ ଉତ୍ତମଙ୍କ ବିୟୋଗରେ ସବୁ ଦିନ ପାଇଁ ଶାନ୍ତ ଓଲିଉଡର ସବୁଠୁ ବଡ଼ ସ୍ପର୍ଦ୍ଧିତ ସ୍ଵର ଓ ଚିରଶାନ୍ତ ଏକ ଦର୍ପିତ ଚେହେରା । ଏବେ କେବଳ ଉଦଣ୍ଡି ସୀତା ଯାହା ପାଦର ଅଳତା ପାଇଁ ବାହୁନି ବାହୁନି କାନ୍ଦିବ ହେଲେ ସଳିତା ଆଉ ଜଳିବନି । କାହିଁକି ନା ତା ମନର ମଣିଷଟା ଏବେ ଆରପାରିରେ ।
