କେମିତି ଆସିଲା, କେମିତି ଆକ୍ରମଣ କଲା ଅଭିଯୁକ୍ତ, କ୍ରାଇମ ସ୍କ୍ରିନ୍ ରିକ୍ରିଏସନରେ ଜଣାଇଲା ସତ

ଅର୍ଗସ ବ୍ୟୁରୋ: ରାତି ଅଧରେ କ୍ରାଇମ ସିନ୍ ରିକ୍ରିଏସନ । ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣାରେ ରାତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦକୁ ନେଇ ସବୁ ସ୍ଥାନରେ ଯାଞ୍ଚ କରିଛି ପୋଲିସ । ଘଟଣା ରାତିରେ କ’ଣ ଘଟିଥିଲା ତାର ଟିକନିକ ତଥ୍ୟ ଦେଇଛି ଅଭିଯୁକ୍ତ । ବାନ୍ଦ୍ରା ପୋଲିସ ପ୍ରଥମେ ଅଭିଯୁକ୍ତକୁ ନେଇ ସୈଫଙ୍କ ଘରକୁ ଯାଇଥିଲା । ସେଠାରେ ପୋଲିସ ଉପସ୍ଥିତିରେ ଘଟଣା ସମୟରେ କଣ କଣ ଘଟିଥିଲା, କେମିତି ଘଟଣାସ୍ଥଳରେ ପହଞ୍ଚିଥିଲା ଅଭିଯୁକ୍ତ ଏବଂ ସେଠାରୁ କେମିତି ଫେରାର ହୋଇଥିଲା ଗୋଟିଏ ପରେ ଗୋଟିଏ ସବୁ କହିଛି ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ।
ଏବଂ ସୈଫଙ୍କ ଘରୁ ବାହାରିବା ପରେ ସେ କେଉଁଠିକି ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କଣ କଣ ଘଟିଥିଲା ତାର ଟିକନିକ ତଥ୍ୟ ପୋଲିସକୁ ଦେଇଛି । ସୈଫଙ୍କ ଘରୁ ବାହାରିବା ପରେ ବାନ୍ଦ୍ରା ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ନେଇଥିଲା ପୁଲିସ । ସୈଫଙ୍କ ଘରୁ ବାହାରି କେମିତି ଓ କେଉଁଠିକି ଯାଇଥିଲା ଅଭିଯୁକ୍ତ ତାହା ପୋଲିସ ସାମ୍ନାରେ କହିଛି ଅଭିଯୁକ୍ତ । ଗତ ଗୁରୁବାର ରାତିରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସୈଫଙ୍କ ଅପରେସନ କରାଯାଇଥିଲା । ଅପରେସନ ପରେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ପୋଲିସ ଏହି ମାମଲାରେ ସୈଫଙ୍କ ଘରୋଇ ସହାୟକଙ୍କୁ ବି ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରିନାଙ୍କର ବି ବୟାନ ରେକର୍ଡ କରିଛି ପୋଲିସ ।